ଅଧାରାସ୍ତାରେ ଆମ୍ବୁଲାନ୍ସର ଆଗଚକା ଫାଟିଲା : ଚାଲିଗଲା ରୋଗୀଙ୍କ ଜୀବନ
କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସରେ ଗୁରୁତର ରୋଗୀକୁ କେନ୍ଦୁଝର ମେଡିକାଲରୁ କଟକ ବଡ଼ ଡାକ୍ତରଖାନା ନିଆଯାଉଥିଲା । କେନ୍ଦୁଝରର ଘସିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ଫାଣ୍ଡି ଛକରେ ଆମ୍ବୁଲାନ୍ସର ଆଗଚକା ପଙ୍କ୍ଚର୍ ହୋଇଗଲା । ବଦଳ ଟାୟାର ନଥିବାରୁ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ସେଠାରେ ଅଟକି ରହିଥିଲା । ଚିକିତ୍ସାରେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ରିମୁଳି ନିକଟ ଦଳିତା ଗ୍ରାମର ଇନ୍ଦ୍ରମଣି ମହାରଣା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ କେନ୍ଦୁଝର ମେଡିକାଲରେ ଚିକିତ୍ସା କରାଯାଉଥିଲା । ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସରେ ଇନ୍ଦ୍ରମଣିଙ୍କୁ ଅକ୍ସିଜେନ ଲଗାଯାଇ କଟକ ବଡ଼ ମେଡିକାଲ ନିଆଯାଉଥିଲା । ୨୦ ନମ୍ବର ଜାତୀୟ ରାଜପଥ ସାଇଁକୁଳ ଫାଣ୍ତି ଛକରେ ଆମ୍ବୁଲାନ୍ସର ଆଗଚକା ପଙ୍କ୍ଚର୍ ହୋଇଯାଇଥିଲା । ବଦଳ ଟାୟାର ନଥିବାରୁ ପଙ୍କଚର ମରାମତି କରି ଚକା ଲଗାଇଲା ବେଳକୁ ବହୁତ ଡେରି ହୋଇଯାଇଥିଲା । ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡା. ଆଶୁତୋଷ ଜେନା ତାଙ୍କୁ ମୃତ ଘୋଷଣା କରିଥିଲେ ।