ରାଜସ୍ଥାନ ଜୟପୁରରେ ପକ୍ଷୀ ମଡ଼କ : ସାମ୍ଭର ହ୍ରଦ ନିକଟରେ ମରିପଡ଼ିଛନ୍ତି ଶହ ଶହ ବିଦେଶୀ ପକ୍ଷୀ 

290

କନକ ବ୍ୟୁରୋ : ରାଜସ୍ଥାନର ରାଜଧାନୀ ଜୟପୁରରୁ ଆସିଛି ପକ୍ଷୀ ମଡକ ଖବର । ଜୟପୁର ନିକଟ ସାମ୍ଭର ଦ୍ରଦରେ ପାଖାପାଖି ୧ହଜାରରୁ ଅଧିକ ବିଦେଶୀ ପକ୍ଷୀ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ଏଥିମଧ୍ୟରେ ରହିଛନ୍ତି ୧୨ରୁ ଅଧିକ ପ୍ରଜାତିର ପକ୍ଷୀ  । ବହୁ ସଂଖ୍ୟାରେ ପକ୍ଷୀଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଖବର ପାଇ ବନବିଭାଗ ଓ ସ୍ବେଛାସେବୀ ସଂଗଠନ ପହଂଚି କାରଣ ଜାଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପକ୍ଷୀମଡକର କାରଣ ସ୍ପଷ୍ଟ ହୋଇନଥିବାବେଳେ ଦୂଷିତ ପାଣି ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଗତକାଲି ସାମ୍ଭର ହ୍ରଦ ନିକଟରୁ ୫କିଲୋମିଟର ଅଂଚଳ ମଧ୍ୟରେ ପାଖାପାଖି ୧୫ଶହରୁ ଅଧିକ ପକ୍ଷୀଙ୍କ ମୃତଦେହ ଠାବ କରାଯାଇଛି । ଶୀତଦିନେ ଏଠାକୁ ଅନେକ ବିଦେଶାଗତ ପକ୍ଷୀଙ୍କ ଭିଡ ଜମିଥାଏ । ତେବେ ପକ୍ଷୀମଡକ ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବନ ବିଭାଗ,ରାଜସ୍ୱ ବିଭାଗ ଓ ପଶୁ ବିଭାଗ । ମୃତ ପକ୍ଷୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ଭୋପାଳ ନେସନାଲ ଇନଷ୍ଟିୁଚ୍ୟଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ ସେଂଟରକୁ ରକ୍ତ ନମୁନାକୁ ପଠା ଯାଇଛି । ଆସନ୍ତା ୪ରୁ ୫ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ପକ୍ଷୀମଡକର କାରଣ ସ୍ପଷ୍ଟ ହେବ ।