ସବୁ ଜିଲ୍ଲାରେ ଖୋଳାଯିବ ଗଭୀର କୂଅ : ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା କାମ ଶେଷ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

559

କନକ ବ୍ୟୁରୋ : ଏଣିକି ଜଳ ସେଚନ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସବୁ ଜିଲ୍ଲାରେ ଗଭୀର କୂଅ ଖୋଳାଯିବ । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୧ ଲକ୍ଷ ୨୫ ହଜାର କୂଅ ଖୋଳିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଟାର୍ଗେଟ୍ ପ୍ରଦାନ କରାଯାଇଛି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଏଥିପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ବ୍ଲକ୍ ଵାରି ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଚାଷୀମାନଙ୍କର ଜମି ଥିବ ସେମାନଙ୍କ ଜମିରେ ଏହି କୂଅ ଖନନ କରାଯିବ। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ ହଜାର ୭୦୦ କୂଅ ଖନନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ୧୨ ହଜାର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୧ ହଜାର ଗଭୀର କୂଅ ଖୋଳାଯିବ।

ରାଜ୍ୟର ସବୁ ବ୍ଲକ୍‌ରେ ୩୫% ଜଳସେଚନ କରିବାକୁ ସରକାର ଅତୀତରେ ଘୋଷଣା କରିଥିଲେ। ଜଳ ସେଚନ ପାଇଁ ପାଣିପଞ୍ଚାୟତ ଯୋଜନା ବି କାର୍ଯ୍ୟକାରୀ ହେଲା। ତଥାପି ସବୁ ବ୍ଲକରେ ୩୫% ଜଳସେଚନ ସୁବିଧା ପହଞ୍ଚିପାରିନି।