ଓଡିଶାରେ ହେବ ପୂର୍ବାଞ୍ଚଳ ମନ୍ଥନ । ଜୋନାଲ କମିଟି ବୈଠକରେ ଏକାଠି ହେବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ? ଯୋଗ ଦେଇପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

493

କନକ ବ୍ୟୁରୋ: ଓଡିଶାରେ ହେବ ମୁଖ୍ୟମନ୍ତ୍ରୀଙ୍କ ମିଟିଂ । ଭୁବନେଶ୍ୱରରେ ହେବ ମୁଖ୍ୟମନ୍ତ୍ରୀ ସମ୍ମିଳନୀ । ଏଥିପାଇଁ ଓଡିଶା ଆସି ପାରନ୍ତି ୫ ରାଜ୍ୟର ମୁଖ୍ୟମନ୍ତ୍ରୀ । ଆସନ୍ତା ଜାନୁୟାରୀ ୩୧ ତାରିଖରେ ଭୁବନେଶ୍ୱରରେ ହେବା ପାଇଁ ଯାଉଛି ୨୪ ତମ ପୂର୍ବାଂଚଳ ରାଜ୍ୟ ଜୋନାଲ କମିଟି ବୈଠକ । ମିଳିଥିବା ସୂଚନା ଅନୁସାରେ ବୈଠକରେ ୫ ରାଜ୍ୟ ଯଥା ଓଡିଶା ସମେତ ବିହାର, ଝାଡଖଣ୍ଡ, ସିକିମ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ଚୂଡାନ୍ତ ହୋଇନଥିଲେ ମଧ୍ୟ ଏହି ବୈଠକରେ ସେ ଯୋଗଦେବାର ସମ୍ଭାବନା ମଧ୍ୟ ରହିଛି । ପୂର୍ବରୁ ଜାନୁୟାରୀ ୪ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ର ସଚିବଙ୍କ ଅଧକ୍ଷ୍ୟତାରେ ବୈଠକ ହୋଇଥିଲା । ଦୀର୍ଘ ୨୯ ବର୍ଷ ପରେ ଓଡିଶାରେ ହେବା ପାଇଁ ଯାଉଛି ଏହି ଜୋନାଲ କମିଟି ବୈଠକ । ପୂର୍ବରୁ ୨୦୧୮ ଅକ୍ଟୋବର ମାସରେ କୋଲକାତାରେ ହୋଇଥିଲା ପୂର୍ବାଂଚଳ ଜୋନାଲ କମିଟି ବୈଠକ ।

ତେବେ ଜୋନାଲ କମିଟି ବୈଠକରେ କେଉଁ ପ୍ରସଙ୍ଗରେ ହେବ ଆଲୋଚନା ?
୧- ବିଭିନ୍ନ ରାଜ୍ୟରେ ନକ୍ସଲ ପ୍ରଭାବକୁ ହ୍ରାସ କରିବା ସହ ଏହାର ମୂଳୋତ୍ପାଟନ କିଭଳି ହୋଇପାରିବ ସେନେଇ ହୋଇପାରେ ଆଲୋଚନା ।
୨- ୫ ରାଜ୍ୟର ଗ୍ରାମାଂଚଳରେ ବ୍ୟାଙ୍କିକ ସେବା ଓ ସୁବିଧା କିଭଳି ମିଳିପାରିବ ସେ ନେଇ ମଧ୍ୟ ହୋଇପାରେ ଆଲୋଚନା ।
୩- କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ପ୍ରସଙ୍ଗ ମଧ୍ୟ ଉଠିପାରେ କଥା ?

କିନ୍ତୁ ଏସବୁ ଭିତରେ ଅମିତ ଶାହାଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଯଦି ଗସ୍ତ ଚୂଡାନ୍ତ ହୁଏ ତାହା ହେଲେ ଗୃହ ମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ସେପଟେ ମୁଖ୍ୟମନ୍ତ୍ରୀ ସମ୍ମିଳନୀ ବିକାଶର ବାଟ ଫିଟାଇବ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଥିବା ବେଳେ ଅମିତ ଶାହାଙ୍କ ଉପସ୍ଥିତିକୁ ବିଜେଡି କେବଳ ଗୃହମନ୍ତ୍ରୀ ହିସାବରେ ଗ୍ରହଣ କରିବ ବୋଲି ସେ କହିଛନ୍ତି ।