ଜମାଟୋ ବଏ ଉପରେ ଲାଗିଲା ଗମ୍ଭୀର ଅଭିଯୋଗ ! ଖାଦ୍ୟ ଡେଲିଭରି କରିବାକୁ ଆସି କୁକୁର ଚୋରୀ କରିଥିବା ନେଇ ଅଭିଯୋଗ ଆଣିଲେ ମହିଳା

390

ଆଜିର ଡିଜିଟାଲ୍ ଜମାନାରେ ହାତ ପାହାନ୍ତାରେ ସବୁ ମିଳୁଛି । ଆଙ୍ଗୁଠି ବୁଲାଇ କିଏ ସପିଙ୍ଗ୍ କରୁଛି ତ ପେଟପୂଜା କରିବା ପାଇଁ କିଏ ଫୁଡ୍ ଡେଲିଭରି ଆପ୍ ର ସାହାରା ନେଉଛି । କିନ୍ତୁ ଏହି ଫୁଡ୍ ଡେଲିଭରୀ ଆପ୍ ରୁ ଅର୍ଡର କରିବା ଏବେ ଜଣେ ଦମ୍ପତୀଙ୍କ ପାଇଁ ଭାରୀ ପଡିଛି । ମହାରାଷ୍ଟ୍ରର ପୁଣେରୁ ଚକିତ କଲା ଭଳି ଏକ ଖବର ଆସିଛି । ଫୁଡ୍ ଡେଲିଭରୀ ଆପ୍ ଜମାଟୋରୁ ଅର୍ଡର କରିଥିବା ଦମ୍ପତୀଙ୍କ ଅଭିଯୋଗ ରହିଛି ଯେ ଖାଦ୍ୟ ନେଇ ଆସିଥିବା ଜମାଟୋ ବଏ ତାଙ୍କ ପୋଷାକୁକୁରକୁ ଚୋରୀ କରି ନେଇଯାଇଛି ।

କୁକୁରର ନାଁ ଡୋଟ୍ଟୁ । କୁକୁରର ମାଲିକାଣି ବନ୍ଦନା ଶାହ ଟ୍ୱିଟରରେ ଏହାର ଅଭିଯୋଗ କରିଛନ୍ତି । ଲୋକମାନେ ମଧ୍ୟ ଏଭଳି କାମକୁ ନେଇ ନିଜ ରାଗ ଦେଖାଇଛନ୍ତି ଯେଉଁଥିପାଇଁ ଜମାଟୋକୁ ମଧ୍ୟ ଉତ୍ତର ଦେବାକୁ ପଡିଛି । ପୁଣେର କାର୍ବେ ରୋଡ୍ ରେ ରହୁଥିବା ବନ୍ଦନା ଶାହ୍ ସୋମବାର ଦ୍ୱିପ୍ରହର ସମୟରେ ଜମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । ଡେଲିଭରି ବଏ ତୁଷାର ଯେତେବେଳେ ଖାଦ୍ୟ ଦେବାକୁ ଆସିଲେ ସେତେବେଳେ ଦମ୍ପତୀ ଘର ଭିତରେ ଥିଲେ ଏବଂ କୁୁକୁର ବାହାରେ ଖେଳୁଥିଲା । କିନ୍ତୁ ଆଉ କିଛି ସମୟ ପରେ କୁକୁରକୁ ଘରେ ଦେଖିନଥିଲେ ବନ୍ଦନା । ସିସିଟିଭି କ୍ୟାମେରାରୁ ଜମାଟୋ ବଏ କୁକୁର ସାଙ୍ଗରେ ନେଇଯାଉଥିବା ଦେଖାଯାଇଥିଲା । ବନ୍ଦନା ଏନେଇ ପୋଲିିସରେ ମଧ୍ୟ ଏତଲା ଦେଇଛନ୍ତି । ବନ୍ଦନା କହିଛନ୍ତି ଯେ ଜମାଟୋ ବଏ ତୁଷାରଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଛି ସେ କହିଛନ୍ତି ଯେ ସେ କୁକୁରକୁ ସାଙ୍ଗରେ ନେଇ ଆସିଛନ୍ତି ଏବଂ ଗାଁକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ଜମାଟୋ ଏନେଇ ପ୍ରତିକ୍ର୍ରିୟା ରଖି କହିଛି , ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ଆମେ ଆପଣଙ୍କ ସହ ଶୀଘ୍ର କଥା ହେବୁ ଏବଂ ଏହାର ସମାଧାନ ବାହାର କରିବାରେ ଚେଷ୍ଟା କରିବୁ ।