ଅଜ୍ଞାତ କୋକିଳକଣ୍ଠୀଙ୍କ ପରେ ଏବେ ଝୁମେଇଲେ ଜମାଟୋ ବଏ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଜମାଟୋ ବଏଙ୍କ ସୁମଧୁର ସ୍ୱର
ପ୍ରତିଭାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ଯେକୌଣସି ମାଧ୍ୟମରେ ବାହାରକୁ ବାହାରି ଆସେ । ଏବେକାର ସମୟ ଏମିତି ହେଲାଣି ଯେ ବଣମଲ୍ଲୀର ବାସ୍ନା ଖାଲି ବଣରେ ସୀମିତ ହୋଇ ରହୁନି ଏହାର ମହକ ବାହାରକୁ ଆସୁଛି । କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଜଣେ ଗରିବ ମହିଳାଙ୍କ କୋକିଳକଣ୍ଠର ସ୍ୱର ଚାରିଆଡେ ବ୍ୟାପିଥିଲା । ଆଜି ସେ ବଣମଲ୍ଲୀ ଚର୍ଚ୍ଚିତ କୋକିଳକଣ୍ଠୀ ନାମରେ ବିଖ୍ୟାତ ହୋଇସାରିଛନ୍ତି । ବର୍ତ୍ତମାନ ଆଉ ଜଣେ ପ୍ରତିଭାର ଭଣ୍ଡାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଧୁମ୍ ମଚାଇଛି । ଜମାଟୋର ଜଣେ ଡେଲିଭରୀ ବଏଙ୍କ ମଧୁର କଣ୍ଠରେ ଗାଉଥିବା ସଂଗୀତ ଏବେ ଇଣ୍ଟରନେଟ୍ ରେ ଝଡ ପରି ବ୍ୟାପୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଡେଲିଭରୀ ବଏ ଜଣକ ଯେତେବେଳେ ଜଣେ ଗ୍ରାହକଙ୍କ ଘରକୁ ଖାଦ୍ୟ ଡେଲିଭରୀ କରିବାକୁ ଗଲେ ଗ୍ରାହକଙ୍କ ନେହୁରାରେ ସେ ଚିତଚୋର୍ ସିନେମାର ଲୋକପ୍ରିୟ ଗୀତ “ଗୋରୀ ତେରା ଗାଓଁ ବଡା ପ୍ୟାରା …” ଗୀତ ଗାଇଥିଲେ । ଗ୍ରାହକ ଏହି ଭିଡିଓଟିକୁ ଇଣ୍ଟରନେଟ୍ ରେ ଅପଲୋଡ୍ କରିବା ପରେ ଏହା ଝଡ ପରି ଭାଇରାଲ୍ ହେଉଛି । ଗୌହ୍ୱାଟିର ଜମାଟୋ ଡେଲିଭରୀ ବଏ ପ୍ରାଞ୍ଜିତ୍ ହୋଲୋଇ ଅନିର୍ବନ୍ ଚକ୍ରବର୍ତ୍ତୀ ନାମକ ଜଣେ ଗ୍ରାହକଙ୍କ ଘରକୁ ଖାଦ୍ୟ ଡେଲିଭରୀ କରିବାକୁ ଯାଇଥିଲେ । ଅନିର୍ବନ୍ ଖାଦ୍ୟ ଅର୍ଡର କରିବା ସମୟରେ ଡେଲିଭରୀ ବଏଙ୍କ ପ୍ରୋଫାଇଲ୍ ଚେକ୍ କରି ଜାଣିଥିଲେ ଯେ ସେ ସଂଗୀତର ସୌଖିନ୍ ଏବଂ ଭବିଷ୍ୟତରେ ସେ ଜଣେ ଗାୟକ ହେବାକୁ ଚାହୁଁଛନ୍ତି । ଯେତେବେଳେ ପ୍ରାଞ୍ଜିତ୍ ଖାଦ୍ୟ ନେଇ ପହଞ୍ଚିଥିଲେ ଅନିର୍ବନ୍ ତାଙ୍କୁ ଗୀତ ଗାଇବା ପାଇଁ କହି ଭିଡିଓ ରେକର୍ଡ କରିଥିଲେ ଏବଂ ଏହି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ।
ଏହି ଭିଡିଓରେ ପ୍ରାଞ୍ଜିତ୍ ଙ୍କ ସୁମଧୁର ସ୍ୱରର ଗାୟିକି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଛି । ଆପଣଙ୍କୁ କହିରଖୁଛୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ହିଁ ପଶ୍ଚିମବଙ୍ଗର ରାନୁଙ୍କ ଜୀବନ ବଦଳିଥିଲା ତାଙ୍କୁ ଏକ ନୂତନ ଜୀବନ ମିଳିଥିଲା । କିଏ ଜାଣିଥିଲା ରେଲୱେ ଷ୍ଟେସନରେ ଟଙ୍କାଏ ଦୁଇଟଙ୍କା ପାଇଁ ଗୀତ ଗାଉଥିବା ରାନୁ ଆଜି ଲୋକପ୍ରିୟ ସଂଗୀତ ଶୋରେ ଗୀତ ଗାଇବେ ବୋଲି ।