କନକ ବ୍ୟୁରୋ : ଜନ୍ମରୁ ଗୋପାଳନ ପ୍ରତି ଥିଲା ନିଶା । ଯେଉଁଠି ଗାଈ ଦେଖିଲେ ତାର ସେବା ପାଇଁ ଧାଇଁ ଯାଉଥିଲେ । ହେଲେ ବଡ ହେଲେ ଆଉ ପେଶାରେ ହୋଇଗଲେ ଇଞ୍ଜିନିୟର । ହେଲେ ନିଶା ପାଖରେ ହାର ମାନିଲା ପେଶା । ଆଉ ଚାକିରି ଛାଡି ଗାଁ ରେ ଆରମ୍ଭ କଲେ ଲୋପ ପାଇଯାଉଥିବା ଦେଶୀ ଗାଈ ଫାର୍ମ । ଏମିତି ଜଣେ ନିଆରା ମଣିଷ ହେଉଛନ୍ତି ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁର ଶିବା ପଟେଲ ।
ଇଂଜିନିୟରିଂ ଚାକିରି ଛାଡି ଗୋପାଳନ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁର ୨୭ ବର୍ଷୀୟ ଯୁବକ ଶିବା ପଟେଲ । ଡିପ୍ଲୋମା ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଏନଟିପିସିରେ ଚାକିରି କରନ୍ତି । ବେଶ ଭଲ ପଇସା ରୋଜଗାର ବି କରନ୍ତି ଶିବା । ମାତ୍ର ଏହି ଚାକିରି ସୁହାଏ ନାହିଁ ଶିବାଙ୍କୁ । ଆଉ ଏସବୁ ଭିତରେ ଗୋପାଳନ ନିଶା ତାଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରେ । ଆଉ ଛାକିରି ଛାଡି ନିଜ ଗାଁକୁ ଆସି ଆରମ୍ଭ କରନ୍ତି ଦେଶୀ ଗାଈ ଫାର୍ମ । ବାହାରେ ବୁଲନ୍ତା ଗାଈ ଗୋରୁ ହୁଅନ୍ତୁ ବା ଗାଁରେ କେହି ନିଜ ଘରେ ଗାଈ ରଖିବାରୁ ଅମଙ୍ଗ ହେଲେ କି ଗାଈ ବୟସ୍କ ହୋଇଗଲେ ତାହାକୁ ଲୋକଙ୍କ ଘରୁ ନେଇ ଆସି ନିଜ ଗାଁରେ ଆରମ୍ଭ କରନ୍ତି ଦେଶୀ ଗାଇ ଗୋରୁ ସଂରକ୍ଷଣ ଫାର୍ମ । ୩୦ଟି ଗାଈରୁ ଆରମ୍ଭ ହୋଇଥିବା ଏହି ଫାର୍ମରେ ଏବେ ଗାଈ-ବାଛୁରୀଙ୍କ ସଂଖ୍ୟା ୨୦୦ ପହଚିଂଲାଣି । ଦେଶୀ ଗାଈରୁ କମ କ୍ଷୀର ତାଙ୍କୁ ମିଳିଥାଏ । ଯାହାକୁ ବିକ୍ରି କରି ନିଜ ଫାର୍ମ ଚଳାଇଛନ୍ତି ଶିବା । ଅନେକ ଅସୁବିଧା ଭିତରେ ବି ଏହି ଯୁବ ଇଞ୍ଜିନୟର ନିଜର ନିଶାକୁ ଏକ ଦିଗ ଦେଇ ପାରିଛନ୍ତି ।
କେବଳ ଯୁବ ଇଞ୍ଜିନିୟର ଶିବା ନୁହନ୍ତି ତାଙ୍କର ପୂରା ପରିବାର ଏହି ଦେଶୀ ଗାଈ ଗୋରୁ ପାଳନରେ ନିଜକୁ ଉତ୍ସର୍ଗୀକୃତ କରି ଦେଇଛନ୍ତି । ପରିବାର ସମସ୍ତ ସଦସ୍ୟ ସକାଳ ହେଲେ ଲାଗି ପଡନ୍ତି ଗାଈ ଗୋରୁଙ୍କ ସେବାରେ । ହେଲେ ଆଜି ବି କିଛି ସରକାରୀ ସହାୟତା ମିଳିପାରିନଥିବାରୁ ଚାଳ ଛପର କରି ଏହି ପରିବାର ଦୁଇ ଶହରୁ ଅଧିକ ଦେଶୀ ଗାଇ ଗୋରୁଙ୍କ ଲାଳନ ପାଳନ କରି ଆସୁଛନ୍ତି । ହେଲେ ଗାଈ ଗୋରୁ ଲାଳନ ପାଳନ ଏକ କଠୋର ସମସ୍ୟା ବୋଲି ମୁହଁ ଫେରାଇ ନେଉଥିବା ସଭ୍ୟ ସମାଜର ସମସ୍ତ ଯୁବ ବର୍ଗ ପାଇଁ ଆଜି ଏକ ଉଦାହରଣ ପାଲଟିଯାଇଛନ୍ତି ଯୁବ ଇଞ୍ଜିନିୟର ଶିବା ପଟେଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/PHOTO-01003205-1.png)