କନକ ବ୍ୟୁରୋ: ‘ଏବେ ତୁ ଗଗଲ୍ସ ପିନ୍ଧି ପାରିବୁ’ ଏଇ କେତୋଟି ଶବ୍ଦ ଯଶସ୍ବୀଙ୍କ ପାଇଁ ଶ୍ରୁତିମଧୁର ବଲିଉଡ୍ ସଂଗୀତଠାରୁ କୌଣସି ଗୁଣରେ କମ୍ ନଥିଲା। ସ୍ବପ୍ନ ସତରେ ପରିଣତ ହେଲାବେଳେ ମନରେ ଉଠୁଥିବା ଉଲ୍ଲାସ ଓ ଆବେଗଠାରୁ ଏହା ଆହୁରି ମିଠା ଥିଲା। ଦିନ ଥିଲା, ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା ଯଶସ୍ବୀଙ୍କ ପାଇଁ କାଠିକର ପାଠ ଥିଲା। ଅନେକ ସମୟରେ ତାଙ୍କୁ ଭୋକିଲା ପେଟରେ ହିଁ କ୍ରିକେଟ୍ ଅଭ୍ୟାସ କରିବାକୁ ପଡ଼ୁଥିଲା। ମାୟାନଗରୀ ମୁମ୍ବାଇରେ ଘର ବଖରାଏ ନଥିବାରୁ ତମ୍ବୁ ତଳେ ଦୀର୍ଘ ତିନି ବର୍ଷ କଟିଥିଲା। ତମ୍ବୁପକା ସେହି ଘରେ ଶୋଇଲାବେଳେ ବାହାରର ବିଭିନ୍ନ କର୍କଶ କୋଳାହଳ କାନରେ ବାଜି ପ୍ରତିଫଳିତ ହେବାଠାରୁ ପ୍ରଶିକ୍ଷକ କହିଥିବା ଏହି ପଦେ କଥା ଆତ୍ମସନ୍ତୋଷ ଭରା ଏବଂ ସ୍ମରଣୀୟ ଥିଲା। କାରଣ ଏକଦିବସୀୟ କ୍ରିକେଟ୍ରେ ସର୍ବକନିଷ୍ଠ ଖେଳାଳି ଭାବେ ଦ୍ବିଶତକ ଅର୍ଜନ କରିବା ପରେ ହିଁ ଖୁସି ହୋଇ ପ୍ରଶିକ୍ଷକ ସନଗ୍ଳାସ୍ ପିନ୍ଧିବା ଉପରେ ଲାଗୁ କରିଥିବା କଟକଣା ଉଠାଇ ନେଇଥିଲେ। ୧୭ ବର୍ଷୀୟ ଯଶସ୍ବୀ ଶେଷରେ କ୍ରିକେଟ୍ ପଡ଼ିଆରେ ସନଗ୍ଲାସ୍ ପିନ୍ଧିବାର ହକ୍ ପାଇ ଯାଇଥିଲେ। ଉତ୍ତର ପ୍ରଦେଶ ଜନ୍ମିତ ଏବଂ ମୁମ୍ବାଇରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳୁଥିବା ଯଶସ୍ବୀ ଜୟସ୍ବାଲ ଏବେ ବିରଳ ବିଶ୍ବ କୀର୍ତ୍ତିମାନର ଅଧିକାରୀ। ବିଜୟ ହଜାରେ ସୀମିତ ଓଭର ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ଦ୍ବିଶତକ ସହ ଯଶସ୍ବୀ ନିଜ ପଦାର୍ପଣ ଋତୁର ପାଞ୍ଚଟି ପାଳିରେ ତିନିଟି ଶତକ ଅର୍ଜନ କରିଛନ୍ତି। ତା’ ସହ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ଉଭା ହୋଇଛନ୍ତି।

Advertisment

publive-image

ଯଶସ୍ବୀଙ୍କ ସଂଘର୍ଷଭରା କ୍ରିକେଟ୍ କ୍ୟାରିୟର କିଭଳି ଥିଲା, ତାହା ଜାଣିବା ଲାଗି ୬ ବର୍ଷ ତଳକୁ ଯିବାକୁ ହେବ। ୨୦୧୩ରେ ମାତ୍ର ୧୧ ବର୍ଷ ବୟସରେ କ୍ରିକେଟକୁ କ୍ୟାରିୟର କରିବାକୁ ଉତ୍ତରପ୍ରଦେଶର ଛୋଟିଆ ଗାଁ ଭଦୋହୀରୁ ମୁମ୍ବାଇ ଚାଲି ଆସିଥିଲେ ସେ । ହେଲେ ମୁମ୍ବାଇରେ ରହିବାକୁ ଘରଟିଏ ନ ଥିଲା। ସେଥିପାଇଁ ସେ ଏକ ଡାଏରି ଫାର୍ମରେ ରହି ଅଭ୍ୟାସ ଆରମ୍ଭ କରିଥିଲେ। ଦିନ ସାରାର ଅଭ୍ୟାସ ପରେ ଫାର୍ମରେ କୌଣସି କାମ କରିବାକୁ ଆଉ ଶକ୍ତି ନଥିବାରୁ ରାତି ୮ଟା ସୁଦ୍ଧା ହିଁ ଶୋଇ ଯାଉଥିଲେ ଯଶସ୍ବୀ। । ଏଥିରେ କ୍ଷୁବ୍ଧ ଫାର୍ମ ମାଲିକ ତାଙ୍କୁ ସେଠାରୁ ବାହାର କରି ଦେଇଥିଲେ। ସେଥିପାଇଁ ପିତାମାତା ସଂପର୍କୀୟ ଦାଦାଙ୍କୁ ଯଶସ୍ବୀଙ୍କୁ ଘରେ ରଖିବାକୁ କାକୁତିମିନତି କରିଥିଲେ। ଅବଶ୍ୟ ଦାଦା ଏଥିରେ ରାଜି ହୋଇଥିଲେ। କିଛି ଦିନ ପରେ କିନ୍ତୁ ନିଜ କଥା ନିଜେ ବୁଝିବାକୁ ସଫାସଫା କହି ଦେଇଥିଲେ। ଏହା ପୂର୍ବରୁ ଯଶସ୍ବୀଙ୍କ ପାଇଁ ସେ ମୁସଲିମ୍ ୟୁନାଇଟେଡ୍ କ୍ଲବରେ ଯୋଗ ଦେବାର ବ୍ୟବସ୍ଥା କରି ଦେଇଥିଲେ। କାରଣ ଏହି କ୍ଲବ୍ ପାଖରେ ପିଲାଙ୍କୁ ରଖିବା ଲାଗି ଟେଣ୍ଟ ହାଉସ୍ ଘର ଥିଲା।

publive-image

ଅଧିକାଂଶ ସମୟ କ୍ରିକେଟ୍ ପଡ଼ିଆରେ କଟାଉଥିବା ଯଶସ୍ବୀଙ୍କ ପାଇଁ ସେଠାରେ ରହିବା ଆଦୌ ସହଜ ନ ଥିଲା। ଖରା, ବର୍ଷା ଓ ଶୀତ ତିନିଟି ଯାକ ଋତୁରେ ତାଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ପାଖରେ ଟଙ୍କାଟିଏ ନଥିବାରୁ ଅନେକ ସମୟରେ ଭୋକ ଉପାସରେ ରହୁଥିଲେ ସେ। ଏପରିକି ପକେଟ ମନି ପାଇଁ ବାଧ୍ୟ ହୋଇ ରାମଲୀଳାରେ ଗୁପ୍ଚୁପ୍ ବିକିବା ଆରମ୍ଭ କରିଥିଲେ ଯଶସ୍ବୀ। ଭୋଜନ ମିଳୁଥିବାରୁ ଅନେକ ପ୍ରତିଯୋଗିତାର ଆୟୋଜକଙ୍କୁ ନିଜ ଆଡ଼ୁ ବଲ୍ ବୟ ଦାୟିତ୍ବ ତୁଲାଇବାକୁ ପ୍ରସ୍ତାବ ଦେଉଥିଲେ ସେ। ଡିସେମ୍ବର ମାସର ଏକ ଶୀତୁଆ ସକାଳ ତାଙ୍କ ଜୀବନ ନୂଆ ମୋଡ଼ ନେଇଥିଲା। ମୁମ୍ବାଇର ଆଜାଦ ମଇଦାନରେ ଖେଳୁଥିଲା ବେଳେ ସେଠାର ଜଣେ ପୂର୍ବତନ କନିଷ୍ଠ ସ୍ତରୀୟ କ୍ରିକେଟ୍ ଖେଳାଳି ତଥା ପ୍ରଶିକ୍ଷକ ଜ୍ବାଲା ସିଂହଙ୍କ ନଜର ଯଶସ୍ବୀଙ୍କ ଉପରେ ପଡ଼ିଥିଲା। ଯଶସ୍ବୀଙ୍କ ଷ୍ଟ୍ରୋକ୍ ମେକିଂ ଏବଂ ଏକାଗ୍ରତା ଜ୍ବାଲାଙ୍କୁ ବେଶ୍ ପ୍ରଭାବିତ କରିଥିଲା।

publive-image

ଯଶସ୍ବୀଙ୍କ ଭଳି ଜ୍ବାଲା ମଧ୍ୟ ଦିନେ ଭାରତୀୟ ଦଳରେ ସ୍ଥାନ ପାଇବାର ସ୍ବପ୍ନ ଦେଖିଥିଲେ। ଏଥିପାଇଁ ୧୯୯୫ ମସିହାରେ ସେ ଉତ୍ତରପ୍ରଦେଶରୁ ମୁମ୍ବାଇ ଚାଲି ଆସିଥିଲେ। ତେବେ ଆଘାତ ଜନିତ ସମସ୍ୟା ପାଇଁ ତାଙ୍କର ଏହି ସ୍ବପ୍ନ ପାଣି ଫୋଟକା ଭଳି ମିଳେଇ ଯାଇଥିଲା। ଯଶସ୍ବୀଙ୍କ ଭିତରେ ଜ୍ବାଲା ନିଜକୁ ଦେଖିବା ସହ ତାଙ୍କୁ ନିଜ ଘରେ ରଖି କ୍ରିକେଟ୍ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଜ୍ବାଲାଙ୍କଠାରୁ ପ୍ରଶିକ୍ଷଣ ନେବାର ମାତ୍ର ୧୫ ଦିନ ଭିତରେ ହିଁ ଜାଇଲ୍ସ ସିଲ୍ଡ ମ୍ୟାଚରେ ଯଶସ୍ବୀ ୩୧୯ ରନ୍ କରିବା ସହ ୧୨ ୱିକେଟ୍ ନେଇଥିଲେ। ପର ମୁକାବିଲାରେ ସେ ଦ୍ବିଶତକ ମାରିବା ସହ ୧୨ ୱିକେଟ୍ ହାସଲ କରିଥିଲେ। ସ୍କୁଲ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ମୁମ୍ବାଇ କନିଷ୍ଠ ଦଳ ସହ ଶ୍ରୀଲଙ୍କା ଗସ୍ତ କରିଥିବା ଭାରତୀୟ ୧୯ ବର୍ଷୀୟ ଦଳରେ ସେ ସ୍ଥାନ ପାଇଥିଲେ। ପ୍ରଥମ ଦୁଇ ମ୍ୟାଚ୍ରେ ସେ ଭଲ କରି ପାରି ନ ଥିଲେ। ତୃତୀୟ ମ୍ୟାଚରେ କିନ୍ତୁ ୧୧୪ ରନର ଚମତ୍କାର ପାଳି ଖେଳିଥିଲେ। ତା’ ପରେ ଏସିଆ କପ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।