ଏମିତି ଡାକ୍ତରଙ୍କୁ ଦୁରୁଜୁହାର ! ଗୋଟିଏ ଗୋଡରେ ହୋଇଥିଲା ଘା, ଅନ୍ୟ ଗୋଡରେ କରିଦେଲେ ଅପରେସନ ।

286

କନକ ବ୍ୟୁରୋ : ଗୋଟିଏ ଗୋଡରେ ଘା, ଆଉ ଗୋଟିଏ ଗୋଡରେ ଅପରେସନ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝରରେ ଏଭଳି ଏକ ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି । ମୀତାରାଣୀ ଜେନା ନାମକ ଜଣେ ମହିଳା, ଗୋଡର ଘା ଅପରେସନ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର, ନିଶ୍ଚେତକ ଦେଇ ଅପରେସନ ବି କଲେ । କିନ୍ତୁ ପରେ ଦେଖିଲେ ଯେଉଁ ଗୋଡରେ ଘା ହୋଇଛି, ସେହି ଗୋଡରେ ଅପରେସନ ନକରି ଅନ୍ୟ ଗୋଡରେ ଅପରେସନ୍ କରିଦେଇଛନ୍ତି । ପୁଣି ଘା ହୋଇଥିବା ଗୋଡରେ ଅପରେସନ୍ କଲେ । ଏବେ ମୀତାରାଣୀଙ୍କ ଦୁଇଟି ଗୋଡରେ ଅପରେସନ୍ ହୋଇ ଚିକିତ୍ସାଧୀନ ଅଛନ୍ତି ।

କେନ୍ଦୁଝର ଜିଲ୍ଲା ଖଡିବିଲ ଗାଁର ମିତାରାଣୀ ଜେନାଙ୍କ ବାମ ଗୋଡ ପାଦ ଫାଟି ଯନ୍ତ୍ରଣା ହେବାରୁ ସେ ଆନନ୍ଦପୁର ସବ-ଡିଭିଜନ୍ ହସ୍ପିଟାଲକୁ ଯାଇଥିଲେ । ଡାକ୍ତର ତାଙ୍କୁ ଦେଖିବା ପରେ ଡ୍ରେସିଂ କରିବା ପାଇଁ କର୍ମଚାରୀଙ୍କୁ କହିଥିଲେ । ହେଲେ ମିତାରାଣୀଙ୍କ କହିବା ହେଲା ତାଙ୍କୁ ଆନାସ୍ଥେସିଆ ଦେଇ ଡ୍ରେସିଂ କରାଯାଇଥିଲା । ଆଉ ହୋସ୍ ଆସିବା ପରେ ଦେଖିଲେ ତାଙ୍କ ବାମ ଗୋଡ ସ୍ଥାନରେ ସଂପୃକ୍ତ କର୍ମଚାରୀ ଡାହାଣ ଗୋଡରେ ଡ୍ରେସିଂ କରିଛନ୍ତି । ଏଥିରେ ତାଙ୍କ ସ୍ୱାମୀ ଓ ସେ ଆପତି କରିବା ପରେ ପୁଣି ତାଙ୍କ ବାମ ଗୋଡକୁ ଡ୍ରେସିଂ କରାଯାଇଥିଲା । ଏନେଇ ମିତାରାଣୀ କହିଛନ୍ତି, ‘ଡ୍ରେସିଂ ରୁମରେ ଥିବା କର୍ମଚାରୀ ମୋତେ ନିଶ୍ଚେତକ ଦେଇ ଡ୍ରେସିଂ କରିଥିଲେ । ମୋର ହୋସ୍ ଆସିଲା ବେଳକୁ ଦେଖିଲି ବାମ ଗୋଡ ବଦଳରେ ମୋର ଡାହାଣ ଗୋଡରେ ଡ୍ରେସିଂ କରିଛନ୍ତି । ମୋ ସ୍ୱାମୀ ଆଉ ମୁଁ ଆପତ୍ତି କରିବାରୁ ପୁଣି ଡାହାଣ ଗୋଡ ଡ୍ରେସିଂ କଲେ । କର୍ମଚାରୀଙ୍କ ଅବହେଳରୁ ମୁଁ ଏବେ ଆଉ ଚାଲିପାରୁ ନାହିଁ । ଏଥିପାଇଁ ଯେଉଁମାନେ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।’

ଓଡିଶାର ଏକ ପଲ୍ଲିରେ ଥିବା ଏହି ଡାକ୍ତରଖାନାରେ ଚିକିତ୍ସାରେ ଏଭଳି ଚରମ ଅବହେଳାକୁ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର ଧରିଛି । ହସ୍ପିଟାଲ କର୍ମଚାରୀଙ୍କ ଖାମ ଖିଆଲି ମନୋଭାବରୁ ସେ ଆଉ ଚାଲିପାରୁ ନାହାନ୍ତି । ଏପରିକି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମେଡିକାଲ ଅଫିସରଙ୍କୁ ଲିଖିତ ଅଭିଯୋଗ ବି କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଆମେ ଆନନ୍ଦପୁର ସିଡିଏମଓ କହିଛନ୍ତି, ମୁଁ ତିନି-ଚାରି ଦିନ ହେଲା ଛୁଟିରେ ଅଛି । କାଲି ତ ମୁଁ ହସ୍ପିଟାଲରେ ନଥିଲି । କିନ୍ତୁ ମୁଁ ଯାହା ଜାଣିଛି, ତାର ପାଦ ଫାଟିଥିଲା । ଇନଫେକସନ୍ ହୋଇ ପୁଜ ହୋଇଯାଇଥିଲା । ଯାହାକୁ ସେମାନେ ଡ୍ରେସିଂ କରିଛନ୍ତି । ତେଣୁ ତାହା ଅପରେସନ୍ ନୁହେଁ । ତାର ଦୁଇଟାଯାକ ଗୋଡ ଇନଫେକସନ୍ ହୋଇଥିଲା । ତାକୁ ଯୋଉଟା ଅଧିକ ପେନ୍ ହେଉଥିବ ସେଇଟା ସେ କହିଛି । କିନ୍ତୁ ଆର ଗୋଡଟା ବି ପୁଜ ଥିଲା । ମୁଁ ତ ଜଏନ କରିନି ଏପର୍ଯ୍ୟନ୍ତ । କିନ୍ତୁ ଯାହା ଶୁଣିଛି । ଆମେ ଯାହା ବି ହେଲେ ଗୋଟିଏ ଗୋଡ ଡ୍ରେସିଂ କଲାବେଳେ, ଯଦି ଆର ଗୋଡରେ ପୁଜ ଅଛି ତାହାହେଲେ ସେଇଟାକୁ ବି ଡ୍ରେସିଂ କରିବା କି ନାହିଁ ବୋଲି କହିଛନ୍ତି ସିଡିଏମଓ ।

ଛୁଟିରେ ଅଛନ୍ତି ଆନନ୍ଦପୁର ସିଡିଏମଓ । ଏବଂ ଛୁଟିରୁ ଫେରିବା ପରେ ପୁରା ଘଟଣାରେ ତଦନ୍ତ କରିବେ ବୋଲି କହିଛନ୍ତି । ହେଲେ ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚିକିତ୍ସା ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ବାବଦରେ ଓଡିଶା ପୋଲିସର ସିଆଇଡି ୨୦୧୨ରେ ଏକ ଗାଇଡଲାଇନ୍ ଜାରି କରିଛି । ଏହି ଗାଇଡଲାଇନ୍ ଅନୁସାରେ ଜଣେ ଡିଏସପି ର‌୍ୟାଙ୍କର ଅଧିକାରୀ ମାମଲାର ଛାନଭିନ କରି ରିପୋର୍ଟ ଦେବା ପରେ ଦୋଷୀଙ୍କୁ ଗିରଫ କରାଯାଇ ପାରିବ । ଆଉ ଏହି ଘଟଣାରେ ହସ୍ପିଟିଲ କର୍ତୃପକ୍ଷଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି ।