ଶବଦାହ ପାଇଁ କାଠ ବିକୁଛନ୍ତି କୁସ୍ତି ଚାମ୍ପିୟନ୍ । ସ୍ୱର୍ଗଦ୍ୱାରରେ ବିତୁଛି ମଲ୍ଲ ଯୋଦ୍ଧା ବୈଦ୍ୟନାଥଙ୍କ ଦୁର୍ବିସହ ଜୀବନ

484

କନକ ବ୍ୟୁରୋ: ମଲ୍ଲଯୋଦ୍ଧା ତଥା କୁସ୍ତି ସହର କୁହାଯାଉଥିବା ପୁରୀରେ ପ୍ରତିଭାଙ୍କ ଅଭାବ ନାହିଁ । କାହିଁ କେଉଁ କାଳରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବାକୁ ପୁରୀରେ ଉତ୍ପତ୍ତି ହୋଇଛି ‘ଜାଗା’ ଘର । ଯେଉଁଠି ସୁନ୍ଦର ସ୍ୱାସ୍ଥ୍ୟ ଏବଂ କୁସ୍ତି ପାଇଁ ସାହିର ଯୁବକମାନେ ଆରମ୍ଭ କରିଥାନ୍ତି ପ୍ରଶିକ୍ଷଣ । ତେବେ ପୁରୀରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନେକ କୁସ୍ତି ପ୍ରତିଭା ରହିଛନ୍ତି । ସେମାନଙ୍କ ମଧ୍ୟରୁ ବୈଦ୍ୟନାଥ ହେଉଛନ୍ତି ଅନ୍ୟତମ ।

୧୯୩୯ ମସିହାରେ ଜନ୍ମିତ ବୈଦ୍ୟନାଥଙ୍କ ଘର ପୁରୀ ମାଟିମଣ୍ଡପସାହି ଅଙ୍ଗାରୁଆ ଲେନରେ । ମାଧବ ମହାସୁଆରଙ୍କ ପୁଅ ବୈଦ୍ୟନାଥ ମହାସୁଆରଙ୍କ କୁସ୍ତି ପ୍ରତିଭା ଦେଖି ଗୁରୁ ଶ୍ୟାମସୁନ୍ଦର ନାୟମ ତାଙ୍କୁ କୁସ୍ତି ଶିକ୍ଷା ଦେଇଥିଲେ । ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗୀତା ସହିତ ବୈଦ୍ୟନାଥ ପଂଜାବ,ଦିଲ୍ଲୀ ଏବଂ ହରିୟାଣାରେ ଅନୁଷ୍ଠିତ ହୋଇଥିବା ଜାତୀୟ ପ୍ରତିଯୋଗୀତାରେ ମଧ୍ୟ ଚାମ୍ପିୟନ ହୋଇଥିଲେ । ହେଲେ ୧୯୬୮ରୁ ବୈଦ୍ୟଦାଥଙ୍କ ଜୀବନରେ ଘୋଟି ଯାଇଥିଲା କଳା ବାଦଲ । କୁଷ୍ଠରୋଗରେ ଆକ୍ରାନ୍ତ ହେବା ପରେ ଭାଙ୍ଗି ରୁଜି ଚୂରମାର୍ ହୋଇଯାଇଥିଲା ବୈଦ୍ୟଦାଥଙ୍କର ସବୁ ସ୍ୱପ୍ନ ।କାହିଁକି ନା କୁଷ୍ଠରୋଗରେ ଆକ୍ରାନ୍ତ ହେବା ପରେ ସମାଜ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦେଇଥିଲା । ଯେଉଁ କାରଣରୁ ବୈଦ୍ୟନାଥଙ୍କୁ ବାଧ୍ୟ ହୋଇ କୁସ୍ତିକୁ ସବୁଦିନ ପାଇଁ ଛାଡିବାକୁ ପଡିଥିଲା । ପାଖାପାଖି ୮/୧୦ ବର୍ଷ କାଳ ବୈଦ୍ୟନାଥଙ୍କୁ ଘରେ ରହିବାକୁ ପଡିଥିଲା ।

ବାପା,ମାଙ୍କ ମୃତ୍ୟୁ ପରେ ନିଜେ ସ୍ୱାବଲମ୍ବି ହେବାକୁ ଅଣ୍ଟା ଭିଡି ୧୯୮୦ ମସିହାରୁ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଆବଶ୍ୟକ ଝାଉଁ କାଠ ବିକ୍ରି କରିବା ଆରମ୍ଭ କରିଥିଲେ ବୈଦ୍ୟନାଥ । ପୁରୀ ପୌର ସଂସ୍ଥା ବୈଦ୍ୟନାଥଙ୍କୁ ରହିବା ପାଇଁ ଏକ ଘର ଯୋଗାଇ ଦେଇଛି । ଏବେ ସେହି ଘରେ ସେ ମୁଣ୍ଡ ଗୁଂଜିଛନ୍ତି । ଦିନ ବେଳା ରିକ୍ସାରେ ଘରକୁ ଆସି ଦୁଇ ମୁଠା ଖାଇ ଦେଇ ପୁଣି ସ୍ୱର୍ଗଦ୍ୱାରକୁ ଫେରିଯାଆନ୍ତି ବୈଦ୍ୟନାଥ । ସେଥିରୁ ଯାହା ବି କିଛି ରୋଜଗାର କରନ୍ତି ସେଥିରେ ବୈଦ୍ୟନାଥ ଓ ତାଙ୍କ ପତ୍ନୀ ଦୁଃଖେ ସୁଖେ ଚଳିଯାଆନ୍ତି । ଯଦିଓ ସରକାରଙ୍କ ପକ୍ଷରୁ ତାଙ୍କୁ ଏବେ ୩ ହଜାର ଟଙ୍କା ଭତ୍ତା ମିଳୁଛି । ମାତ୍ର ଜୀବନର ସାୟାହ୍ନରେ ବୈଦ୍ୟନାଥ ଶବଦାହ ପାଇଁ କାଠ ବିକ୍ରି କରି ଚଳିବା କ୍ରୀଡାପ୍ରେମୀଙ୍କୁ ବ୍ୟଥିତ କରିଛି ।