କେତେ ସାକ୍ଷର ଭାରତ ? ଜାଣନ୍ତୁ କେଉଁ ରାଜ୍ୟରେ ଅଛନ୍ତି ସର୍ବାଧିକ ଶିକ୍ଷିତ, ଓଡିଶାର ସ୍ଥାନ କେତେ

240

ଅଶିକ୍ଷା ରୂପକ ଅନ୍ଧକାରକୁ ଦୂର କରିବା ପାଇଁ ପୂରା ବିଶ୍ୱ ପାଳନ କରୁଛି ୫୨ ତମ ଅର୍ନ୍ତଜାତୀୟ ସାକ୍ଷରତା ଦିବସ । ପୂରା ଦୁନିଆରୁ ଅଶିକ୍ଷା ସମାପ୍ତ କରିବାର ସଂକଳ୍ପ ନେଇ ସାକ୍ଷରତା ଦିବସ ପାଳନ ହେଉଛି । ଶିକ୍ଷା ପ୍ରତି ଲୋକ ମାନଙ୍କର ଧ୍ୟାନ ଆର୍କଷିତ କରିବାକୁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଥାଏ । ୧୯୬୬ ମସିହାରେ ପ୍ରଥମ ଥର ପାଇଁ ୟୁନେସ୍କା ଦ୍ୱାରା ଆରମ୍ଭ ହୋଇଥିଲା ଏହି ଦିବସ ।

ପୂରା ବିଶ୍ୱରୁ ନିରକ୍ଷରତା ଦୂର କରିବା ପାଇଁ ଏହି ଦିବସ ପାଳନ କରିବାକୁ ୧୯୬୫ ସେପ୍ଟେମ୍ବର ୮ରେ ଇରାନରେ ବିଭିନ୍ନ ଦେଶର ଶିକ୍ଷା ମନ୍ତ୍ରୀଙ୍କୁ ନେଇ ହୋଇଥିବା ସମ୍ମିଳନୀରେ ଏହା ଉପରେ ଚର୍ଚ୍ଚା ହୋଇଥିଲା । ପରେ ୧୯୬୬ରେ ୮ ସେପ୍ଟେମ୍ବରକୁ ବିଶ୍ୱ ସାକ୍ଷରତା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ୟୁନେସ୍କୋ ।

ଗରିବୀକୁ ଦୂର କରିବା , ଶିଶୁ ମୃତ୍ୟୁହାର କମାଇବା, ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା, ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । କାରଣ କେବଳ ଉନ୍ନତ ଶିକ୍ଷା ମାଧ୍ୟମରେ ହିଁ ଏଭଳି ସମସ୍ୟାକୁ ଦୂର କରାଯାଇପାରିବ । ଏକ ନୂଆ ସମାଜ ଗଠନ ପାଇଁ ଶିକ୍ଷାର ଆବଶ୍ୟକତା ଅନେକାଂଶରେ ରହିଛି । ଶିକ୍ଷା କେବଳ ପଢିବା ଓ ଲେଖିବା ମଧ୍ୟରେ ସୀମିତ ରହିନଥାଏ । ଏହା ଲୋକମାନଙ୍କୁ ନିଜ ଅଧିକାର ପ୍ରତି ସଚେତନ କରିବା ସହ ସାମାଜିକ ବିକାଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ । ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟ ଅନୁଯାୟୀ, ଏବେ ବିଶ୍ୱର ମୋଟ ୪ ଆରବ ଲୋକ ସାକ୍ଷର ଥିବା ବେଳେ ଏବେ ମଧ୍ୟ ୧ ଆରବ ଲୋକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ବିଶ୍ୱର ୧୨୭ ଦେଶ ମଧ୍ୟରୁ ୧୦୧ ଦେଶ ଏଭଳି ରହିଛି ଯେଉଁଠାରେ ଲୋକମାନେ ପୂର୍ଣ୍ଣ ସାକ୍ଷରତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି । ଆଉ ଏହା ମଧ୍ୟରେ ଭାରତ ସାମିଲ ରହିଛି । ୨୦୧୧ ସୁଦ୍ଧା ଭାରତର ସାକ୍ଷରତା ହାର ଥିଲା ୭୪ ପ୍ରତିଶତ । କିନ୍ତୁ ବ୍ରିଟିଶ ଶାସନ ସମୟରେ ଏହା ମାତ୍ର ୧୨ ପ୍ରତିଶତରେ ସୀମିତ ଥିଲା । ଏବେ ଦେଶର ରାଜ୍ୟ ଗୁଡିକ ଉପରେ ନଜର ପକାଇଲେ କେରଳରେ ସାକ୍ଷର ହାର ସର୍ବାଧିକ ୯୩,୯୧ ପ୍ରତିଶତ ଥିବା ବେଳେ ବିହାରରେ ସର୍ବନିମ୍ବ ୬୩.୮୨ ପ୍ରତିଶତ ଲୋକ ସାକ୍ଷର ଅଛନ୍ତି । ସେହିଭଳି ୨୦୧୧ ଜନଗଣନା ଅନୁଯାୟୀ ଓଡିଶା ୭୩.୪୫% ସାକ୍ଷରତା ହାର ସହ ପୂରା ଦେଶରେ ୨୫ ତମ ସ୍ଥାନରେ ରହିଛି ।