ଭାରତରେ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ୧ ଲକ୍ଷ ୧୦ ହଜାର ଦର୍ଶକ ବସିବାର ରହିଛି କ୍ଷମତା, ସ୍ୱତନ୍ତ୍ର ବ୍ୟବସ୍ଥା ସହ ପ୍ରଥମ ଥର ପାଇଁ ଲାଗିଛି ଏଲଇଡି ଲାଇଟ୍ ।

1,496

କନକ ବ୍ୟୁରୋ : ଭାରତରେ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ଗୁଜୁରାଟ ଅହମ୍ମଦାବାଦରେ ଚାଲିଛି ସବୁଠୁ ବଡ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ । ଏହି ଷ୍ଟାଡିୟମ୍ ୬୩ ଏକର ଜାଗାରେ ତିଆରି ଚାଲିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷ୍ଟାଡିୟମର ବ୍ୟୟ ଅଟକଳ ୭୦୦ କୋଟି ଟଙ୍କା ରହିଛି । ସବୁଠାରୁ ବଡ କଥା ହେଉଛି, ମ୍ୟାଚ୍ ସମୟରେ ଏହି ଷ୍ଟାଡିୟମରେ ପାଖାପାଖି ୧ ଲକ୍ଷ ୧୦ ହଜାର ଲୋକ ବସିବାର କ୍ଷମତା ରହିଛି । ଆଉ ଷ୍ଟାଡିୟମର ନାଁ ରଖାଯାଇଛି ସର୍ଦ୍ଦାର ପଟେଲ୍ କ୍ରିକେଟ୍ ଷ୍ଟାଡିୟମ ।

କୁହାଯାଉଛି, ଯଦି ସବୁକିଛି ଠିକଠାକ୍ ଚାଲେ, ତେବେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏଠାରେ ଏସିଆ ଏକାଦଶ ଏବଂ ବିଶ୍ୱ ଏକାଦଶ ମଧ୍ୟରେ ପ୍ରଥମ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ତଥା ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହାଙ୍କ କହିବା ଅନୁଯାୟୀ, ଏହି ଷ୍ଟାଡିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱପ୍ନର ଷ୍ଟାଡିୟମ୍ ଅଟେ । ଏହି ଷ୍ଟାଡିୟମର ପରିକଳ୍ପନା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କରାଯାଇଥିଲା । ଏବଂ ଏହି ଷ୍ଟାଡିୟମର ଉଦଘାଟନ୍ ମଧ୍ୟ ନିଜେ ପ୍ରଧାନମନ୍ତ୍ରୀ କରିପାରନ୍ତି ।

ତେବେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପାଖାପାଖି ଶେଷ ହେବାକୁ ବସିଥିବା ବେଳେ, ଏଠାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚକୁ ସ୍ମରଣୀୟ କରିବାକୁ ଯାଉଛି ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ । ଆଉ କୁହାଯାଉଛି, ଦୁନିଆର ସମସ୍ତ ଷ୍ଟାର କ୍ରିକେଟର ଏକାସଙ୍ଗେ ଏହି ମ୍ୟାଚ୍ ଖେଳିବେ । ତେବେ ଏହି ଷ୍ଟାଡିୟମଟି ମେଟ୍ରୋ ଷ୍ଟେସନ ପାଖରେ ଥିବା ସାବରମତି ନଦୀ କୂଳରେ ନିର୍ମାଣ କରାଯାଇଛି । ସର୍ଦ୍ଦାର ପଟେଲ କ୍ରିକେଟ୍ ଷ୍ଟାଡିୟମ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ଠାରୁ ମଧ୍ୟ ବଡ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାଡିୟମରେ ଆଉ କଣ ରହିଛି ବିଶେଷତ୍ୱ ।
ବିଶ୍ୱର ଏହି ବଡ ଷ୍ଟାଡିୟମରେ ତିନୋଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ, କ୍ଲବ ହାଉସ, ଅଲମ୍ପିକ ସାଇଜ୍ ସୁଇମିଂ ପୁଲ ଏବଂ ଗୋଟିଏ ଇଣ୍ଡୋର କ୍ରିକେଟ୍ ଏକାଡେମି ମଧ୍ୟ ତିଆରି କରାଯାଇଛି ।

ଷ୍ଟାଡିୟମର ଷ୍ଟ୍ରକଚର ଏମିତି ହୋଇଛି ଯେ, ଯେତେବେଳେ ବି ଜଣେ ଖେଳାଳୀ ବ୍ରାଉଣ୍ଡ୍ରିଂ ମାରିବେ, ଷ୍ଟାଡିୟମରେ ବସିଥିବା ପ୍ରତିଟି କ୍ରିକେଟ୍ ପ୍ରେମୀ ଏହାକୁ ଦେଖିପାରିବେ ।
ସେହିପରି ପାର୍କିଂ ବ୍ୟବସ୍ଥା ମଧ୍ୟ ଉନ୍ନତ ଧରଣର ରହିଛି । ଯେଉଁଥିରେ ୪ ହଜାର କାର୍ ଏବଂ ୧୦ ହଜାର ବାଇକ୍ ପାର୍କିଂର ବ୍ୟବସ୍ଥା ରହିଛି ।
ପ୍ରଥମ ଥର ପାଇଁ କୌଣସି ଷ୍ଟାଡିୟମରେ ଏଲଇଡି ଲାଇଟ୍ ଲଗାଯିବ ।
ଏହା ଛଡା ୭୫ଟି କର୍ପୋରେଟ୍ ବକ୍ସ ନିର୍ମାଣ କରାଯାଇଛି ।
ଷ୍ଟାଡିୟମରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି ।
ଷ୍ଟାଡିୟମ ପାଖରେ ମେଟ୍ରୋ ଲାଇନ୍ ମଧ୍ୟ ଅଣାଯାଇଛି ।

ଆଖି ଝଲସିଯିବା ଭଳି ଆଲୋକମାଳାରେ ଷ୍ଟାଡିୟମକୁ ସଜାଯିବାକୁ ଥିବାବେଳେ କେବେ ଏହାର ଉଦଘାଟନ ହେଉଛି, ଏବେ ତାକୁ ହିଁ ଅପେକ୍ଷା ।