ପୁରା ହେବ ଉଡନ୍ତା କାରର ସ୍ୱପ୍ନ । ରାସ୍ତାରେ ଚାଲିବ, ଆକାଶରେ ପବନର ଛାତିକୁ ଚିରି ୨୦୦ କିଲୋମିଟର ବେଗରେ ଉଡିବ କାର ।

432

କନକ ବ୍ୟୁରୋ : ଆକାଶରେ ଉଡିବ କାର । ଏବେ କେବଳ ରାସ୍ତାରେ ନୁହେଁ, ଆପଣ ଚାହିଁଲେ ଆକାଶରେ ମଧ୍ୟ କାର ଚଲାଇପାରିବେ । ହୁଏତ ଏଭଳି କିଛି ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ । କିନ୍ତୁ ପୂରା ହେବାକୁ ଉଡନ୍ତା କାରର ସ୍ୱପ୍ନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଫ୍ଲୋରିଡାଠାରେ ଲଂଚ ହୋଇଛି ବିଶ୍ୱର ପ୍ରଥମ ଚାଲୁଥିବା ଏବଂ ଉଡୁଥିବା କାର ।

ତେବେ ଏହି ଉଡନ୍ତା କାରର ନାଁ ରଖାଯାଇଛି, ପର୍ସନାଲ ଏୟାର ଲ୍ୟାଣ୍ଡିଂ ଭେଇକିଲ୍ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେ ଯେଉଁ କାର ଗୁଡିକୁ ଆପଣ ରାସ୍ତାରେ ଚାଲୁଥିବାର ଦେଖୁଛନ୍ତି, ସେଗୁଡିକ ଆକାଶରେ କେମିତି ଉଡିବ । ତେବେ ଅନ୍ୟ କାର ଗୁଡିକ ଠାରୁ ଏହି କାରଟି ସମ୍ପୂର୍ଣ୍ଣ ଭିନ୍ନ । ଏହି ଗାଡିର ଉପରେ ରିୟର ପ୍ରୋପେଲର ଲଗାଯାଇଛି । ଯାହାକୁକି ଆବଶ୍ୟକ ନପଡିଲେ କଢାଯାଇପାରିବ । ଆଉ ଏହାର ସାହାଯ୍ୟରେ ଏହି କାର ୧୨,୫୦୦ ଫୁଟ୍ ଉଚ୍ଚତା ଉପରେ ଉଡିପାରିବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି କାରର ବିଶେଷତ୍ୱ ।

ଆକାଶରେ ପବନର ଛାତିକୁ ଚିରି ଦ୍ରୁତ ଗତିରେ ଉଡିବ ଏହି କାର । ଆଉ ଏହାକୁ ଉଡାଇବା ପାଇଁ ଗ୍ୟାସୋଲିନର ଆବଶ୍ୟକ ପଡିଥାଏ । ଆକାଶରେ ଏହି କାରର ବେଗ ଘଂଟାପ୍ରତି ୨୦୦ କିଲୋମିଟର ରହିବ । ସେହିପରି ରାସ୍ତାରେ ଏହି କାର ଘଂଟାପ୍ରତି ୧୦୦ କିଲୋମିଟର ବେଗରେ ଗତିକରିବ ।

ତେବେ ସବୁଠାରୁ ବଡ କଥା ହେଉଛି, ଏହି ଗାଡି ଲଂଚ ହେବାର ବହୁ ପୂର୍ବରୁ ଲୋକମାନେ ଏହାକୁ କିଣିବା ପାଇଁ ବୁକିଂ କରିଥିଲେ । ଆଉ ଏହି କାରର ମୂଲ୍ୟ ହେଉଛି ୪ କୋଟି ୩ ଲକ୍ଷ ଟଙ୍କା । ଏହି ଗାଡିର ପ୍ରଥମ ଡେଲିଭରି ୨୦୨୧ ମଧ୍ୟରେ କରାଯିବାର ସମ୍ଭାବନା ରହିଛି ।

ଏହି ଉଡନ୍ତା କାରରେ ୨ ଜଣ ବସିବାର ବ୍ୟବସ୍ଥା ରହିଛି । ଏହି ଗାଡି ମାତ୍ର ୮ ସେକେଣ୍ଡରେ ଆକାଶରେ ଘଂଟା ପ୍ରତି ୬୦ କିଲୋମିଟରର ସ୍ପିଡ ଧରିଥାଏ । ଏହି କାରର ଓଜନ ହେଉଛି ୬୮୦ କିଲୋଗ୍ରାମ । ତେବେ ଏହାକୁ ଆକାଶରେ ଉଡାଇବା ପାଇଁ ୫୪୦ ଫୁଟ ଲମ୍ବା ରନୱେର ଆବଶ୍ୟକତା ପଡିବ । ଦେଖିବାକୁ ମଧ୍ୟ ଏହି କାରଟି ଅଧିକ ଆକର୍ଷଣୀୟ ରହିବ । ତେବେ ଉଡନ୍ତା କାରକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଥିବା ବେଳେ ଏହା କେବେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଉଛି, ଏବେ ତାକୁ ହିଁ ଅପେକ୍ଷା ।