ମଦ ଦୋକାନୀଙ୍କୁ ସାବାଡ଼ କଲେ ଉତ୍ତ୍ୟକ୍ତ ମହିଳା । ଭାଙ୍ଗିଦେଲେ ମଦ ଭାଟି, ନଷ୍ଟ କରିଦେଲେ ଶହ ଶହ ପେଟି ମଦ  ।

508

କନକ ବ୍ୟୁରୋ : ତାତିଲେ ମହିଳା. ଭାଙ୍ଗିଲେ ମଦ ଦୋକାନ । ମଦ ବିରୋଧରେ ମହିଳା ତାତିବା ସହ ମଦ ଦୋକାନରେ ପଶି ଶହ ଶହ ଦେଶୀ ମଦ ବୋତଲ ଭାଙ୍ଗିଛନ୍ତି । ଆଉ ଏଭଳି ଘଟଣା  କେନ୍ଦ୍ରାପଡା ନାଗେଶ୍ୱରପୁର ଗାଁରେ ଦେଖିବାକୁ ମିଳିଛି । ଯେଉଁଠି ମହିଳା ମାନେ ଗାଁରେ ଥିବା ମଦ ଦୋକାନକୁ ଭାଙ୍ଗି ଧୂଳିସାତ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ନାଗେଶ୍ୱରପୁର ଗାଁରେ ଥିବା ମଦ ଦୋକାନକୁ ଉଚ୍ଛେଦ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଗାଁ ମଝିରେ ମଦ ଦୋକାନ ଥିବାରୁ ମଦ୍ୟପଙ୍କ ଦୌରାତ୍ମ ଦେଖିବାକୁ ମିଳୁଥିଲା । ରାସ୍ତାରେ ଯାଉଥିବା ମହିଳା ଓ ଯୁବତୀଙ୍କୁ ମଦ୍ୟପଙ୍କ ଦୁର୍ବବ୍ୟହାର ସହ  ବିଭିନ୍ନ ସମୟରେ ଗଣ୍ଡଗୋଳ ଦେଖିବାକୁ ମିଳୁଥିଲା । ତେଣୁ ଏଠାରୁ ମଦ ଭାଟି ଉଚ୍ଛେଦ କରିବାକୁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ଗାଁର ମହିଳା । କିନ୍ତୁ ପ୍ରଶାସନ କେବଳ ଯାଞ୍ଚ କରିବାକୁ କହି ଚୁପ୍ ବସିଯାଇଥିଲା । ଆଉ ଏହା ଭିତରେ ଗାଁ ଭିତରେ ମଦୁଆଙ୍କ ଦୌରାତ୍ମ ବଢିବାରେ ଲାଗିଥିଲା ।

ପ୍ରଶାସନ ପକ୍ଷରୁ ମଦ ଭାଟି ଉଚ୍ଛେଦ ନେଇ କୌଣସି ସଂକେତ ନ ମିଳିବା ପରେ ଏକଜୁଟ୍ ହୋଇଥିଲେ ଗାଁ ମହିଳା । ମଦ ଭାଟିକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବାର ସଂକଳ୍ପ ନେଇ ମଦ ଭାଟି ନିକଟରେ ପହଞ୍ଚିଥିଲେ ମହିଳା । ଆଉ ଏହାପରେ ମଦ ଦୋକାନରୁ ଗୋଟିଏ ପରେ ଗୋଟିଏ ମଦ ପେଟି ଭାଙ୍ଗିବା ଆରମ୍ଭ କରିଥିଲେ ଉତ୍ତ୍ୟକ୍ତ ମହିଳା । ତେବେ ମହିଳା ମଦ ଭାଙ୍ଗିବା ନେଇ ମଦ ଭାଟି ମାଲିକ ଓ ମହିଳାଙ୍କ ମଧ୍ୟରେ ବେଶ କିଛି ସମୟ କଥା କଟାକଟି ହୋଇଥିଲା । ଏପରିକି ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ହାର ମାନିନଥିଲେ ମହିଳା । ଭାଟିରେ ଥିବା ସବୁ ମଦ ପ୍ୟାକେଟକୁ ଫୋପାଡି ନଷ୍ଟ କରିଥିଲେ ଉତ୍ତ୍ୟକ୍ତ ମହିଳା ।