ସାଲମୀଙ୍କୁ ସଲାମ୍…ଆଖୁରସ ବିକିଲେ, ପେଟ ପୋଷିଲେ…ସ୍ୱାମୀଙ୍କ ମୁଣ୍ଡରୁ ଆର୍ଥିକ ବୋଝ ହାଲକା କରିବା ସହ ଡହ ଡହ ଖରାରେ ଝାଳ ବୁହାଇ ଗଢୁଛନ୍ତି ପିଲାଙ୍କ ଅସଜଡା ଭବିଷ୍ୟତ

ଦେବଗଡରୁ ଆସିଲା ପ୍ରେରଣାଦାୟୀ କାହାଣୀ

632

କନକ ବ୍ୟୁରୋ: ଘର ଚଳାଇବା ହେଉ କି ରୋଜଗାର…ମହିଳାମାନେ ଯେ କେଉଁ ଗୁଣରେ ପୁରୁଷଙ୍କଠାରୁ କମ୍ ନୁହନ୍ତି ତାହା ପ୍ରମାଣିତ ହୋଇଛି ଦେବଗଡ ଜିଲ୍ଲାରେ । କିଛିଦିନ ତଳେ ଏହି ଜିଲ୍ଲାର ଜଣେ ଆଦିବାସୀ ମହିଳା ରାଜେଶ୍ୱର ଟେଟେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତାଙ୍କ ଭଳି ଆଉ ଜଣେ ମହିଳା ହେଲେ ସାଲମୀ ପୂର୍ତ୍ତି । ଡହ ଡହ ଖରାରେ ଯେଉଁଠି ଲୋକେ ବାହାରକୁ ବାହାରିବାକୁ ଭୟ କରନ୍ତି ସେଠି ରାସ୍ତା କଡରେ ଛିଡା ହୋଇ ଆଖୁରସ ବିକ୍ରି କରି ପିଲାମାନଙ୍କର ଭବିଷ୍ୟତ ସଜାଡିବା ସହ ସ୍ୱାମୀଙ୍କ କାନ୍ଧରୁ ଆର୍ଥିକ ବୋଝ ହାଲକା କରିବାକୁ ଅଂଟା ଭିଡିଛନ୍ତି ସାଲମୀ ।

ଦେବଗଡ ପୌରାଂଚଳର ମୋହନୀପୁରରେ ସଲାମୀଙ୍କ ଘର । ସ୍ୱାମୀ, ଗୋଟିଏ ପୁଅ ଓ ଝିଅକୁ ନେଇ ସାଲମୀ ଙ୍କ ପରିବାର । ସ୍ୱାମୀ ପାତରାସ ପୂର୍ତ୍ତି ଚାଷବାସ କରନ୍ତି ହେଲେ ଏଥିରୁ ଯେଉଁ ଟଙ୍କା ଆସେ ସେଥିରେ ଘରର ଗୁଜୁରାଣ ମେଂଟାଇବା ସମ୍ଭବପର ନଥିଲା । ତେଣୁ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଶାଇ ଦୁଃଖ ରୂପି ପାହାଡ ଡେଇଁ ସ୍ୱାବଲମ୍ବୀ ହେବା ସହ ପିଲାମାନଙ୍କ ମୁହଁରେ ଦାନା ଦି ମୁଠା ଦେବା ପାଇଁ ଅଂଟା ଭିଡିଥିଲେ ସାଲମୀ । ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ଦେବଗଡ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ କଡରେ ଠିଆ ହୋଇ ସେ ଆଖୁରସ ବିକ୍ରି କରୁଛନ୍ତି । କାହିଁକି ନା ଆଖୁରସ ବିକିଲେ ହିଁ ସ୍ୱାମୀଙ୍କ ଦୁଃଖକୁ ସେ ଦୂର କରିପାରିବେ ଆଉ ପିଲାଙ୍କ ପାଠପଢା ଖର୍ଚ୍ଚ ସାଙ୍ଗକୁ ଦୁଇ ଓଳି ଦୁଇ ମୁଠା ଭଲରେ ଖାଇପାରିବେ ।

ତେବେ ପରିବାର ପ୍ରତିପୋଷଣ କରିବାରେ ଅର୍ଥ ବାଧକ ସାଜିବାରୁ ସାଲମୀ ପ୍ରଥମେ ହାତବୁଲା ମେସିନ ସାହାଯ୍ୟରେ ଆଖୁରସ ବାହାର କରି ବିକ୍ରି ଆରମ୍ଭ କରିଥିଲେ । ମାତ୍ର ଆୟ ବଢିବା ପରେ ହାତ ପେଡା ବଦଳରେ ସାଲମୀ ଏବେ ଇଲେକ୍ଟନିକ ମୋଟରବାଲା ଆଖୁ ପେଡା ମେସିନ ବ୍ୟବହାର କରୁଛନ୍ତି । ଏଥିରୁ ମାସିକ ପ୍ରାୟ ଦଶ ହଜାର ଟଙ୍କା ଲାଭ ପାଉଥିବା କହିଛନ୍ତି ସାଲମୀ । ଆଉ ଏହି ଟଙ୍କାରେ ସେ ପୁଅକୁ ବାହା ଦେବା ସହ ଝିଅକୁ କଲେଜରେ ପାଠ ମଧ୍ୟ ପଢାଉଛନ୍ତି । ସତରେ ମହିଳା ହୋଇ ବି ସାଲମୀଙ୍କ ଏଭଳି ଉଦ୍ୟମ ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ ।