ମା ଓ ନବଜାତକଙ୍କ ଜୀବନ ବଂଚାଇଥିବା ଅଗ୍ନିଶମ କର୍ମଚାରୀଙ୍କୁ ସାଲ୍ୟୁଟ କଲେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ: ଟୁଇଟରରେ ଫଟୋ ପୋଷ୍ଟ କରି ଦେଲେ ମେସେଜ୍

ଏପଟେ ବାତ୍ୟା ନାମରେ ଝିଅର ନାଁ ଅମ୍ଫାନ ରଖିବେ ବୋଲି କହିଲେ ପରିବାର ଲୋକ

249

କନକ ବ୍ୟୁରୋ: ବାତ୍ୟା ଅମ୍ଫାନ ବେଳେ ଜୀବନକୁ ବାଜି ଲଗାଇ ମହାକାଳପଡାରେ ମାଆ ଓ ନବଜାତକର ଜୀବନ ବଂଚାଇଥିବା ଅଗ୍ନଶିମ କର୍ମଚାରୀଙ୍କୁ ସାଲ୍ୟୁଟ କରିଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ । ନିଜ ଟୁଇଟର ଆକାଉଁଟରେ ସେହି ସମୟର ଏକ ଫଟୋ ଟୁଇଟ୍ କରିବା ସହ ୨୨ଟି ଗଛ କାଟି ସାହାଯ୍ୟ କରିବା ପାଇଁ ପହଁଥିବାରୁ ସେମାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି । ବାତ୍ୟା ଅମ୍ଫାନ ଯେତେବେଳେ ଓଡିଶା ଉପକୂଳ ଦେଇ ଅତିକ୍ରମ କରୁଥିବାବେଳେ ସମୁଦ୍ର ଉପକୂଳ ଅଂଚଳ ମହାକାଳପଡାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଥିଲା ପବନ । ଏହି ସମୟରେ ଜରା ଗାଁର ବର୍ଷା ସେଠୀ ନାମକ ଜଣେ ପ୍ରସୂତି ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ ।

ତାପରେ ତାଙ୍କ ପରିବାର ଲୋକ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ, ରାସ୍ତାରେ ବଡ ବଡ ଗଛ ଉପୁଡି ପଡିଥିବାରୁ ଆମ୍ବୁଲାନ୍ସ ପହଁଚି ପାରିନଥିଲା । ତାପରେ ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ରାସ୍ତାରେ ପଡିଥିବା ଗଛ କାଟି ରାସ୍ତା ସଫା କରି ଜରା ଗାଁରେ ପହଁଚିଥିଲେ । ସେଠାରୁ ପ୍ରସବ ବେଦନା ପାଉଥିବା ବର୍ଷାଙ୍କୁ ଅଗ୍ନିଶମ ଗାଡିରେ ହସ୍ପିଟାଲକୁ ନେଇଥିଲେ । ହେଲେ, ହସ୍ପିଟାଲରେ ପହଁଚିବା ପୂର୍ବରୁ ସେହି ଗାଡିରେ ହିଁ ଶିଶୁ କନ୍ୟାର ଜନ୍ମ ହୋଇଥିଲା । ତାପରେ ମାଆ ଓ ଝିଅକୁ ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚାଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିିଥିଲେ । ଅନ୍ୟପଟେ ବାତ୍ୟା ଅମ୍ଫାନରେ ଜନ୍ମ ହୋଇଥିବାରୁ ଝିଅର ନାଁ ଅମ୍ପାନ ରଖିବାକୁ ସ୍ଥିର କରିଛନ୍ତି ପରିବାର ଲୋକ ।