ବ୍ରହ୍ମପୁରରେ ଅଭାବନୀୟ ଘଟଣା। ରାସ୍ତା କଡରେ ପ୍ରସବ କଲେ ମହିଳା। ଜଣାଇବା ପରେ ବି ଆସିଲା ନାହିଁ ଆମ୍ବୁଲାନ୍ସ

763

କନକ ବ୍ୟୁରୋ: ରାସ୍ତା ଉପରେ ସନ୍ତାନ ପ୍ରସବ କଲେ ଜଣେ ମହିଳା । ଏହି ଅଭାବନୀୟ ଖବର ଆସିଛି ବ୍ରହ୍ମପୁରରୁ । ବ୍ରହ୍ମପୁରର ବଡ ମେଡିକାଲଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା । ରାସ୍ତା ଉପରେ ସର୍ବସମ୍ମୁଖରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଛନ୍ତି । ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି, ଗାଡି ମଟର ଯାଉଛି ଏଭଳି ସମୟରେ ମହିଳା ଜଣଙ୍କ ରାସ୍ତା କଡରେ ପଡି ରହିଛନ୍ତି ।

ଆଉ ନିକଟରେ ଥିବା ଦୁଇ ମହିଳା ଏକ ଲୁଗା ଢ଼ାଙ୍କି ପ୍ରସବ କରାଉଛନ୍ତି । ବ୍ରହ୍ମପୁର ଭଳି ସହରରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ବିଚଳିତ କରିଛି । ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ବିଡମ୍ବିତ ହୋଇଛି ମାତୃତ୍ୱ । ଅନ୍ୟପଟେ ମହିଳା ଜଣଙ୍କ ରାସ୍ତାରେ ଘଂଟାଏ କାଳ ପଡି ଯନ୍ତ୍ରଣା ପାଇବା ପରେ ବି ଆମ୍ବୁଲାନ୍ସ ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ପହଁଞ୍ଚି ନଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ଘର ପାତ୍ରପୁର ବ୍ଲକର ବୋଲି ଜଣାପଡିଛି ।

ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସମ୍ପର୍କୀୟମାନେ ବସ୍ ଯୋଗେ ବ୍ରହ୍ମପୁରକୁ ଆଣିଥିଲେ । ବସ୍ ଷ୍ଟାଣ୍ଡରୁ ଓହ୍ଲାଇବା ପରେ ଯନ୍ତ୍ରଣା ବଢ଼ିଯିବାରୁ ପ୍ରସୂତି ଜଣଙ୍କ ଚାଲି ଚାଲି ମେଡିକାଲକୁ ଯିବା ଆଉ ସମ୍ଭବ ହୋଇନଥିଲା । ତାପରେ ପେଟ ଛକଠାରେ ସେ ରାସ୍ତା ଉପରେ ଶୋଇଯାଇଥିଲେ । ଆଉ ସେହିଠାରେ ହିଁ ଜନ୍ମ ଦେଇଥିଲେ ସନ୍ତାନ ।\n