ଟିକ୍ ଟକ୍ ମାୟାରେ ବାୟା ହେଲେ ଲେଡି କନଷ୍ଟେବଳ ! ଥାନା ଭିତରେ ଭିଡିଓ ରେକର୍ଡିଂ କରି ନିଲମ୍ବିତ ହେଲେ ମହିଳା ପୁଲିସ କର୍ମୀ

830

ମହଙ୍ଗା ପଡିଲା ଟିକ୍ ଟକ୍ ଭିଡିଓ ଅପଲୋଡ କରିବା । ଥାନା ଭିତରେ ଭିଡିଓ ରେକର୍ଡିଂ କରି ନିଲମ୍ବିତ ହେଲେ ମହିଳା କନଷ୍ଟେବଳ । ଗୁଜରାଟର ମହିଳା କନଷ୍ଟେବଳ ଅର୍ପିତା ଚୌଧୁରୀ ଡ୍ୟୁଟି ସମୟରେ ଥାନା ଭିତରେ ଟିକ୍ ଟକ୍ ଭିଡିଓ ରେକର୍ଡିଂ କରିଥିବାର ଦେଖିବାକୁ ମିଳିଛି । ମହିଳା କନଷ୍ଟେବଳ ଜଣକ ଖାକି ବର୍ଦ୍ଦି ବଦଳରେ ସିଭିଲ୍ ଡ୍ରେସରେ ଥାନାକୁ ଆସି ଏକ ହିନ୍ଦୀ ଗୀତରେ ଟିକ୍ ଟକ୍ ଭିଡିଓ ରେକର୍ଡିଂ କରି ଏହାକୁ ଅପଲୋଡ କରିଛନ୍ତି ।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ସମ୍ପୃକ୍ତ କନଷ୍ଟେବଳକୁ ନିଲମ୍ବିତ କରାଯାଇଛି । ଗୁଜରାଟ ମେହସାନା ଜିଲ୍ଲାର ଲଙ୍ଗନାଜ ପୋଲିସ ହାଜତ ଭିତରେ ଏହି ଭିଡିଓ ରେକର୍ଡିଂ କରି ଅଡୁଆରେ ପଡିଛନ୍ତି ମହିଳା କନଷ୍ଟେବଳ ଅର୍ପିତ ଚୌଧୁରୀ । ଡ୍ୟୁଟି ସମୟରେ ବିଶୃଂଖଳା ବ୍ୟବହାର ପାଇଁ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ମେହସାନା ଡିଏସପି କହିଛନ୍ତି ।

ପ୍ରଥମେ ସେ ନିଜ ୟୁନିଫର୍ମ ବଦଳରେ ସିଭିଲ ଡ୍ରେସ ପିନ୍ଧିଥିଲେ ଏବଂ ହାଜତ ଭିତରେ ଭିଡିଓ ରେକର୍ଡିଂ କରି ବିଶୃଂଖଳା ଆଚରଣ ପ୍ରଦର୍ଶନ କରିଥିବା ଯୋଗୁଁ ତାଙ୍କୁ ନିଳମ୍ବିତ କରାଯାଇଛି ବୋଲି ଡିଏସପି ସୂଚନା ଦେଇଛନ୍ତି । ଜୁଲାଇ ୨୦ତାରିଖରେ ଏହି ଭିଡିଓ ସୁଟିଂ କରାଯାଇଥିବା ସୂଚନା ମିଳିଛି । ଲୋକ ରକ୍ଷକ ଦଳରେ ନିଯୁକ୍ତି ପାଇଥିବା ଅର୍ପିତା ଚୌଧୁରୀ ଗତବର୍ଷ ବଦଳି ହୋଇ ମେହସାନାକୁ ଆସିଥିଲେ ।