ଭୋଟ ପାଇଁ ଗାଁରେ ହେଉଛି ମଦବର୍ଷା ! ରାଜ୍ୟ ପାନୀୟ ନିଗମରୁ ସାମ୍ନାକୁ ଆସିଲା ସତ

22

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ସହ ବଢ଼ିଚାଲିଛି ମଦ ବିକ୍ରି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୩ ପ୍ରତିଶତ ବିଦେଶୀ ମଦ ବିକ୍ରି ବଢ଼ିଛି । ସେହିଭଳି ବିଅର ବିକ୍ରି ବି ଦୁଇ ପ୍ରତିଶତ ବଢ଼ିଛି । ମଦ ବିନା ଭୋଟରେ ଜିତିବା ସମ୍ଭବ ନୁହେଁ ବୋଲି କେହି କେହି କହୁଥିବା ବେଳେ, କେତେକ ଜାଗାରେ ପ୍ରାର୍ଥୀମାନେ ମଦ ବଦଳରେ ଭୋଟରଙ୍କୁ କ୍ଷୀର ପ୍ୟାକେଟ୍ କିମ୍ବା ପଇଡ ଦେଉଥିବା ଦେଖାଯାଉଛି ।

ପଂଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଉଠୁଛି-ପଡୁଛି । ଭୋଟରଙ୍କୁ ପ୍ରଭାବିତ କରିବାକୁ ଗାଁ ଗହଳିରେ ମଦ ଏବେ ଏକ ପ୍ରମୁଖ ମାଧ୍ୟମ ହୋଇଛି । ମଦ ବିରୋଧରେ ଅନେକ ଆନ୍ଦୋଳନର ପ୍ରଭାବ ନିର୍ବାଚନ ବେଳେ ଯେମିତି ଗାଏବ ହୋଇଯାଇଛି ।

ରାଜ୍ୟ ପାନୀୟ ନିଗମ ଲିମିଟେଡର ତଥ୍ୟ ଅନୁଯାୟୀ, ଗତ ବର୍ଷ ଜାନୁଆରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୩ ପ୍ରତିଶତ ବିଦେଶୀ ମଦ ବିକ୍ରି ବଢ଼ିଛି । ଗତ ବର୍ଷ ଜାନୁଆରୀ ମାସରେ ୬ ଲକ୍ଷ ୭ ହଜାର ୧୩ କେସ୍ ବା କାର୍ଟୁନ୍ ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ୬ ଲକ୍ଷ ୮୪ ହଜାର ୩୨୪ କେସ୍ ବା କାର୍ଟୁନ୍ ମଦ ବିକ୍ରି ହୋଇଛି ।

ସେହିଭଳି ବିଅର ବିକ୍ରି ବି ଦୁଇ ପ୍ରତିଶତ ବଢ଼ିଛି । ଗତ ବର୍ଷ ଜାନୁଆରୀ ମାସରେ ୨ ଲକ୍ଷ ୩୫ ହଜାର ୫୭୧ କାର୍ଟୁନ୍ ମଦ ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ୨ ଲକ୍ଷ ୪୦ ହଜାର ୮୧୯ କାର୍ଟୁନ୍ ମଦ ବିକ୍ରି ହୋଇଛି । ଦେଶୀ ମଦ ବିକ୍ରିରେ ବିଶେଷ ପରିବର୍ତନ ହୋଇନାହିଁ ।

ପଂଚାୟତ ନିର୍ବାଚନ ବେଳେ ମଦର ପ୍ରଭାବକୁ ଏଡ଼ାଇବା ପାଇଁ କିଛି କିଛି ପ୍ରାର୍ଥୀ ଅଭିନବ ଉପାୟ ଅବଲମ୍ବନ କରିଥିବା ଦେଖାଯାଇଛି । କୋଣାର୍କର ଜଣେ ସମିତି ସଭ୍ୟ ଘର ଘର ବୁଲି ଭୋଟରମାନଙ୍କୁ ପଇଡ ଦେଉଥିବା ଦେଖାଯାଇଥିଲା । ସେହିଭଳି ଭଦ୍ରକରେ ମଧ୍ୟ ଜଣେ ସମିତି ସଭ୍ୟ ଭୋଟରମାନଙ୍କୁ କ୍ଷୀର ପ୍ୟାକେଟ୍ ଦେବା ଦେଖାଯାଇଥିଲା ।

ଭୋଟକୁ ଅର୍ଥ, ହିଂସା ଓ ମଦରୁ ଦୂରେଇ ରଖିବାକୁ ବିଭିନ୍ନ ସ୍ତରରେ ଚାଲିଛି ଆନ୍ଦୋଳନ । ଅନ୍ୟପଟରେ କିଛି ଦଳ ଭୋଟ୍ ପାଇବା ପାଇଁ ସବୁ କଳକୌଶଳ ଲଗାଇ ଦେଉଥିବା ଦେଖାଯାଉଛି ।