ସୌରଭ ଗାଙ୍ଗୁଲିଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ବିସିସିଆଇର ଅଧ୍ୟକ୍ଷ ପଦବୀ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା କରିପାରେ ବିଜେପି

ଗୋଟିଏ ବର୍ଷ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ

928

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଚେହେରା ହୋଇପାରନ୍ତି ସୌରଭ ଗାଙ୍ଗୁଲି । ଆଗାମୀ ନିର୍ବାଚନରେ ଗାଙ୍ଗୁଲିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା କରାଇପାରେ ବିଜେପି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ବିସିସିଆଇ ପରବର୍ତ୍ତି ସଭାପତି ସୌରଭ ଗାଙ୍ଗୁଲି ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଏବେ ଦାଦାଙ୍କ ସମ୍ଭାବ୍ୟ ରାଜନୈତିକ କ୍ୟାରିଅରକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।

ଗତକାଲି ସୌରଭ ଗାଙ୍ଗୁଲି ବିସିସିଆଇ କାର୍ଯ୍ୟାଳୟକୁ ଯାଇ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେ ସଭାପତି ଆପାତଃ ଚୂଡାନ୍ତ ହୋଇଥିବା ବେଳେ ଔପଚାରିକ ଘୋଷଣା ବାକି ରହିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ବିରୋଧରେ ମୈଦାନକୁ ସୌରଭ ଗାଙ୍ଗୁଲିଙ୍କ ଭଳି ଲୋକପ୍ରିୟ ଚେହେରାକୁ ବିଜେପି ସାମ୍ନାକୁ ଆଣିବା ସମ୍ଭାବନା ରହିଛି । ତେବେ ଗାଙ୍ଗୁଲିଙ୍କ ଲୋକପ୍ରିୟତାକୁ ଆୟୁଧ କରି ମମତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଜେପି ରଣନୀତି କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।