ହତ୍ୟା ନକରି ହତ୍ୟାକାରୀ: ପୋଲିସର ଭୁଲ ପାଇଁ ୩ ମାସ ହେବ ଜେଲ ଭୋଗୁଛନ୍ତି ବାପପୁଅ

657

କନକ ବ୍ୟୁରୋ: ସ୍ତ୍ରୀ ବଞ୍ଚିଛି, ସ୍ୱାମୀ ସଜା କାଟୁଛି । ବିନା ହତ୍ୟାରେ ବି ହତ୍ୟାକାରୀର ଦୋଷ ମୁଣ୍ଡାଇଛି ସ୍ୱାମୀ । ହତ୍ୟା ନହରି ନରହନ୍ତାର ନାଁ ନେଇ ଜେଲରେ ଜୀବନ କାଟୁଛନ୍ତି ବାପପୁଅ । ବିନା ଦୋଷରେ ନିଜ ସ୍ତ୍ରୀ ପାଇଁ ସ୍ୱାମୀ ଜେଲ ଯିବ ସେକଥା ଚଳିବ ହେଲେ କିଛି ନକରି ନୀରିହ ବାପଟା କଣ ପାଇଁ ଜେଲର ଚାରିକାନ୍ଥ ଭିତରେ ସଜା କାଟିବ । ବହୂ ବଞ୍ଚିଥାଇ ବି ବଧୂହତ୍ୟା ଅଭିଯୋଗରେ ୩ ମାସ ହେଲା ଜେଲ ଭୋଗୁଛନ୍ତି ସ୍ୱାମୀଶଶୁର । ବିନା ଦୋଷରେ, ବିନା ଖୋଳତାଡରେ ମୃତା ଅଭିଯୋଗ ହୋଇଥିବା ମହିଳାଙ୍କ ସ୍ୱାମୀ ଓ ବୃଦ୍ଧ ଶଶୁରଙ୍କୁ ଗିରଫ କରି ଜେଲ ପଠାଇବା ପରେ ପୋଲିସର ଖାମଖିଆଲି ମନୋଭାବ ଉପରେ ଆଙ୍ଗୁଳି ଉଠିଛି ।

ତେବେ ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ପୁରୁଣାପାଣି ଗାଁରୁ । ସୂଚନାନୁସାରେ ଗତ ଏପ୍ରିଲ ୨୧ ତାରିଖ ଦିନ ପୁରୁଣାପାଣି ଗାଁର ସଞ୍ଜୟ ନାୟକ ଓ ପତ୍ନୀ ରାୟମଣି ବାଙ୍କିରାଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ତାପର ଦିନ ଅର୍ଥାତ ୨୨ ତାରିଖରେ ସ୍ତ୍ରୀ ଶାଶୁ ଘର ଛାଡି କୁଆଡେ ପଳାଇଥିଲେ । ଆଉ ସ୍ତ୍ରୀ ନିଖୋଜ ହେବା ପରେ ସ୍ୱାମୀ ସଞ୍ଜୟ ବାଦାମପାହାଡ ଥାନାରେ ଅଭିଯୋଗ କରିଥିଲେ ।

ସେପଟେ ଏପ୍ରିଲ ୨୭ରେ ଗାଁ ପାଖ ପାହାଡପୁର ଜଙ୍ଗଲରେ ଏକ ଅଚିହ୍ନା ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଝିଅର ବାପଘର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଆଉ ଉକ୍ତ ଅଭିଯୋଗ ଆଧାରରେ ରାୟମଣିଙ୍କ ସ୍ୱାମୀ ଓ ଶଶୁରକୁ ଗିରଫ କରିଥିଲା ପୋଲିସ । ଗିରଫ ପରେ ଦୀର୍ଘ ୩ ମାସ ହେବ ରାଇରାଙ୍ଗପୁର ଜେଲରେ ସଜା ଭୋଗୁଛନ୍ତି ବାପପୁଅ ।

ତେବେ ଜୁଲାଇ ୧୭ରେ ଜଙ୍ଗଲରୁ ଉଦ୍ଧାର ହୋଇଥିବା ମୃତଦେହର ଡିଏନଏ ଟେଷ୍ଟ ପାଇଁ ଯେତେବେଳେ ମୃତା ରାୟମଣିଙ୍କ ମାଆଙ୍କ ଘରକୁ ଯାଇଥିଲା ସେତେବେଳେ ନିଜ ଆଖିକୁ ବିଶ୍ୱାସ କରି ପାରିନଥିଲେ ପୋଲିସ ଅଧିକାରୀ । ମୃତ ଲୋକ ଜୀବିତ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ପୋଲିସ । କାରଣ ଯାହାଙ୍କ ହତ୍ୟା ଅଭିଯୋରେ ୨ ନୀରିହ ଲୋକ ସଜା ଭୋଗୁଛନ୍ତି ସେ ମହିଳା ମରି ନାହାନ୍ତି କି ତାଙ୍କୁ ହତ୍ୟା ହୋଇନି । ସେ ଜୀବିତ ଅଛନ୍ତି । ଜଣେ ଜୀବିତ ଥାଇ ବି କେମିତି ପୋଲିସ ଏବେ ବଡ ପଦକ୍ଷେପଟେ ନେଇଗଲା ତା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ଜେଲରେ ଥିବା ବାପପୁଅଙ୍କ ମୁକ୍ତି ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ସଞ୍ଜୟଙ୍କ ବୃଦ୍ଧା ମାଆ । ପରିବାରରେ ୨ ଜଣ ପୁରୁଷ ଜେଲରେ ଥିବାରୁ ଅଭାବୀ ପରିବାର ଚଳାଇବା ସଞ୍ଜୟଙ୍କ ମାଆ ପାନଙ୍କ ପକ୍ଷେ ଏକଦମ ଅସମ୍ଭବ ହୋଇ ପଡିଛି । ‘ଦୁଇ ମରଦ ନୋକ ଜେଲରେ ଅଛନ୍ତି, ସେମାନେ ନାହାନ୍ତି ବୋଲି ଆମେ ଖାଇବାକୁ ଗଣ୍ଡେ ପାଉନୁ’ ବୋଲି ସଞ୍ଜୟଙ୍କ ମାଆ କହିଛନ୍ତି । ତେବେ ବିନା ଦୋଷରେ ଦୁଇ ଜଣଙ୍କୁ ଦୋଷୀ ସଜାଇଥିବା ବାଦାମପାହାଡ ପୋଲିସର ଏ ଖାମଖିଆଲି ଦାୟିତ୍ୱକୁ ସବୁଆଡୁ ନିନ୍ଦା କରାଯାଇଥିବା ବେଳେ କେମିତି ନୀରିହ ଗରିବ ଲୋକ ୨ ଜଣ ଜେଲରୁ ନିର୍ଦ୍ଦୋଷରେ ମୁକୁଳିବେ ସେ ବ୍ୟବସ୍ଥା ପୋଲିସ କରୁ ବୋଲି ପୁରୁମାପାଣି ବାସିନ୍ଦା ଦାବି କରିଛନ୍ତି । ତେବେ କେବେ ପୋଲିସ ନିଜ ଭୁଲକୁ ସୁଧାରି ୨ ଜଣଙ୍କୁ ଜେଲରୁ ବାହାରୁ କରୁଛି ତାକୁ ଅପେକ୍ଷା ରହିଲା ।