ପାଞ୍ଚଶହ ଟଙ୍କାକୁ ପାଞ୍ଚପ୍ରାଣୀ କୁଟୁମ୍ବ… ବଞ୍ଚିବାର ରାହା ୨୫ କେଜି ଚାଉଳ… ରାତି ପାହିଲେ ଚାରି ଝିଅଙ୍କ ପେଟ ପାଇଁ ଭାତ ଖୋଜୁଛନ୍ତି ରାଣୀଲତା

668

କନକ ବ୍ୟୁରୋ: ୫୦୦ ଟଙ୍କାରେ କଣ ପାଞ୍ଚଟି ପେଟ ପୂରିବ ? ୨୫ କେଜି ଚାଉଳରେ କଣ ମାସେ ଚଳି ହେବ? ଜୀବନ ବଞ୍ଚାଇବା ପାଇଁ ଘର କୋଣରେ ସାଇତା ଥିବା ଚାଉଳ ବସ୍ତା ସରି ସରି ଆସିଲେ କଣ ଖାଇବେ ପିଲା? କେମିତି ବଞ୍ଚିବେ ସେମାନେ ? କଇଁକଇଁ ହୋଇ ଦୁଃଖ କହିଲା ବେଳେ ବନ୍ଧ ମାନୁନି ଲୁହ, କାନ୍ଥକୁ ଆଉଜି ଘର ଖୁଣ୍ଟରେ ମୁଣ୍ଡ ପିଟୁଛି କୋହ…

ତିନି ବର୍ଷ ତଳୁ ସ୍ୱାମୀ ଚାଲିଯିବା ପରେ ତଳିତଳାନ୍ତ ହୋଇଛନ୍ତି ରାଣୀଲତା । ମାତ୍ର ୪୦ ବର୍ଷ ବୟସରୁ ହାତରୁ ସଙ୍ଖା ଭାଙ୍ଗିଛି, ମଥାରୁ ସିନ୍ଦୂର ଲିଭିଛି । ଗୋଟିଏ ପଟେ ସ୍ୱାମୀଙ୍କୁ ହରାଇବାର ଦୁଃଖ ଆଉ ଅନ୍ୟପଟେ ଚାରି ଚାରିଟି ଝିଅଙ୍କ ପେଟରେ ଦାନା ଯୋଗାଡର ଦାୟିତ୍ୱ । ନାରୀଟିଏ ହୋଇଥିବାରୁ ଆଉ ଘରେ ସାଇତା ସମ୍ପତ୍ତି ନଥିବାରୁ ନିଇତି ଯନ୍ତ୍ରଣା ଜୁଇରେ ଜଳୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଦିଘିଗାଁର ରାଣୀଲତା ବାରିକ ।

ସ୍ୱାମୀ ଗଲା ପରେ ଝାଟିମାଟି ଘରେ ଦୁଃଖକଷ୍ଟରେ ଚଳିଯାଉଥିଲେ ସମସ୍ତେ । ଓଳିଏ ଖାଇଲେ ଓଳିଏ ଉପାସ ରହିଲେବି ଦୁଃଖ ନଥିଲା । କାରଣ ସେମାନେ ରାତିରେ ଶାନ୍ତିରେ ଶୋଇ ପାରୁଥିଲେ । ୪ଟି ଝିଅଙ୍କୁ ନେଇ ନିର୍ଭୟରେ ରାତି କାଟୁଥିଲେ ରାଣୀଲତା । ହେଲେ ଏବେ ବାତ୍ୟା ବୁଲବୁଲ ଚାଳ ଛପର ଉଡାଇ ନେବା ପରେ ଭାଙ୍ଗି ଯାଇଛି ଘର । ଜୁ ନଥିବା ହାତରେ ଭଙ୍ଗା ଘରକୁ ଯେତେ ସଜାଡିଲେ ବି ନା ସେ ସଜାଡି ହେଉଛି ନା ସୁରକ୍ଷିତ ରହୁଛି । ପୁରୁଷ ଶୂନ୍ୟ ଏ ଚାରିକାନ୍ଥ ଭିତରେ ଚାରି ଝିଅଙ୍କ ସୁରକ୍ଷା ପାଇଁ ରାତି ଅନିଦ୍ରା ହେଉଛନ୍ତି ରାଣୀଲତା । ତେବେ ରାଣୀଙ୍କ ସମସ୍ୟା କଥା ଶୁଣିବା ପରେ ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।