ରାଗିଗଲେ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା । କୋର୍ଟ ରୁମରୁ ବିଚାରପତି ବାହାରିଯିବା କ୍ଷଣି ଜୋରରେ ଚିଲ୍ଲାଇଲେ, କହିଲେ ଦଣ୍ଡ ମିଳିବା ପରେ ଫାଶୀ ଦେବ, ଏବେ ତ ବସିବା ପାଇଁ ଜାଗା ଦିଅ ।

251

ମାଲେଗାଓଁ ବୋମା ବିସ୍ପୋରଣ ମାମଲାରେ ଆଜି ମୁମ୍ବାଇର ଏନଆଇଏ କୋର୍ଟରେ ହାଜିର ହୋଇଥିଲେ ଭୋପାଳ ସାଂସଦ ସ୍ୱାଧୀ ପ୍ରଜ୍ଞା ସିଂ ଠାକୁର । ତେବେ କୋର୍ଟ ରୁମରୁ ବିଚାରପତି ଯିବା କ୍ଷଣି ଜୋରରେ ପାଟି କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ୱାଧୀ ପ୍ରଜ୍ଞା । କୋର୍ଟ ରୁମରେ ତାଙ୍କୁ ଯେଉଁ ଚେୟାର ବସିବାକୁ ଦିଆଯାଇଥିଲା ତାହା ବହୁତ ଛୋଟ ଓ ଅପରିଷ୍କାର ଥିଲା । ଆଉ ଏହି ଚେୟାର ବସିବା ଯୋଗ୍ୟ ମଧ୍ୟ ନଥିଲା ବୋଲି କହିଛନ୍ତି ସ୍ୱାଧୀ ।

ମାମଲାର ଶୁଣାଣି ପାଇଁ ୨ଟା ୪୫ରେ କୋର୍ଟରେ ହାଜର ହୋଇଥିଲେ ସ୍ୱାଧୀ । କୋର୍ଟ ରୁମରେ ତାଙ୍କୁ ବସିବାକୁ କୁହାଯାଇଥିଲେ ମଧ୍ୟ ସ୍ୱାଧୀ ଛିଡା ହୋଇ ରହିଥିଲେ । ଏକ ଝରକାକୁ ସାହାରା କରି କୋର୍ଟ ରୁମରେ ସେମିତି ଛିଡା ହୋଇ ରହିଥିଲେ । ଆଉ ୫ଟା ୧୫ରେ ବିଚାରପତି କୋର୍ଟରୁ ବାହାରିଯିବା ପରେ ଜୋରରେ ପାଟି କରିଥିଲେ ସ୍ୱାଧୀ ପ୍ରଜ୍ଞା ।

ସ୍ୱାଧୀଙ୍କ କହିବା ଅନୁଯାୟୀ ତାଙ୍କର ଶରୀର ଅସୁସ୍ଥ ଥିବା ସତ୍ତେ୍ୱ ମଧ୍ୟ ସେ କୋର୍ଟରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ କୋର୍ଟ ରୁମରେ ଯେଉଁ ଚେୟାରରେ ବସିବାକୁ କୁହାଯାଇଥିଲା ତାହା ବହୁତ ଛୋଟ ଥିଲା । ଆଉ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଏହି ଚେୟାରରେ ବସି ପାରିନଥିଲେ ସ୍ୱାଧୀ । କିନ୍ତୁ ବିଚାରପତି ଯିବା ପରେ କହିଥିଲେ, ଯଦି କୋର୍ଟକୁ ଡକାଯାଉଛି ତେବେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ଆବଶ୍ୟକ । ଦଣ୍ଡ ମିଳିବା ପୂର୍ବରୁ ବସିବାକୁ ତ ସୁଯୋଗ ଦିଆଯାଉ ଯେତେବେଳେ ଦଣ୍ଡ ଘୋଷଣା ହେବ ସେତେବେଳେ ଫାଶୀରେ ଚଢାଇ ଦେବ ।

୨୦୦୮ ସେପ୍ଟେମ୍ବର ୨୯ରେ ମାଲେଗାଓଁର ଏକ ମସଜିଦ୍ ନିକଟରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ ।