ରାଜନୀତି ମୈଦାନରେ ଆଟାକ ନୁହେଁ ଡିଫେନ୍ସ କରୁଛନ୍ତି ମୋଦି! ବଦଳୁଥିବା ରାଜନୈତିକ ସମୀକରଣକୁ ଦେଖି ହୋଇଛି କି ମ୍ୟାଚ୍ ଫିକ୍ସିଂ ?

347

କନକ ବ୍ୟୁରୋ:  ଗତ ଗୋଟିଏ ମାସ ମଧ୍ୟରେ ମୋଦିଙ୍କ ୩ ଥର ଓଡିଶା ଗସ୍ତ ସମୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ତାହା ହେଉଛି ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ଡିଫେନ୍ସ ମନୋଭାବ । ଅଥାର୍ତ ମୋଦିଙ୍କ ପାଇଁ ପଡିଆ ପ୍ରସ୍ତୁତ ହୋଇଛି । ସ୍ଲଗ ଓଭର ମଧ୍ୟ ରହିଛି କିନ୍ତୁ ଆଟାକ ବଦଳରେ ଡିଫେନ୍ସ କରି ଖେଳୁଛନ୍ତି ମୋଦି । ଲାଗୁଛି ସତେ ଯେମିତି ୨୦୧୯ ପୂର୍ବରୁ ମୋଦି କରିଛନ୍ତି ମ୍ୟାଚ୍ ଫିକ୍ସିଂ ।

MODIଏକଥା ଏଥିପାଇଁ କୁହାଯାଉଛି, କାରଣ ମୋଦି ପୂର୍ବରୁ ଓଡିଶା ଆସୁଥିବା ବେଳେ ଗେରୁଆ କ୍ୟାମ୍ପରେ ଉତ୍ସାହ ଖେଳିଯାଉଥିଲା । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଡାଇରେକ୍ଟ ଆଟାକ କରୁଥିଲେ ମୋଦି । ଯାହା ସବୁଜ କ୍ୟାମ୍ପକୁ ଅସ୍ତବ୍ୟସ୍ତ କରିଦେଉଥିଲା । କିନ୍ତୁ ମୋଦିଙ୍କ ଗତ ୩ଟି ଓଡିଶା ଗସ୍ତ ସମୟରେ ଦେଖିବାକୁ ମିଳିଛି ବିରାଟ ପରିବର୍ତ୍ତନ । ରାଜ୍ୟ ସରକାରଙ୍କ ବଦଳରେ ମୋଦିଙ୍କ ଟାର୍ଗେଟ ରାଡାର ରେଞ୍ଚରେ ରହୁଛି କଂଗ୍ରେସ । ଯାହା ନବୀନ ସରକାରକୁ ମଧ୍ୟ ବେଶ ସୁହାଇଛି ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପ୍ରତି ମୋଦି ଏତେ ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବା ପଛର କାରଣ କଣ । ନିର୍ବାଚନ ବର୍ଷରେ ନବୀନ ସରକାରକୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଅଡୁଆରେ ପକାଇବା ବଦଳରେ ମୋଦି ଚୁପ ରହୁଛନ୍ତି କାହିଁକି । ତେବେ ଏହାର ଉତ୍ତର ହେଉଛି ୨୦୧୮ ଶେଷ ଆଡକୁ ଆସିଥିବା ୩ଟି ରାଜ୍ୟର ଫଳାଫଳ । ଯାହା ମୋଦିଙ୍କୁ ମୁହଁ ନ ଖୋଲିବାକୁ ବାଧ୍ୟ କରିଛି ବୋଲି ଚର୍ଚ୍ଚା ହେଉଛି ।

୨୦୧୮ ଶେଷ ଆଡକୁ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଶିବିରରେ ଛନକା ପଶିଛି । କାରଣ ଏହି ୩ ରାଜ୍ୟରେ ବିଜେପିର ଗଡ ଭାଙ୍ଗିଛି । ଖାସକରି ଦୀର୍ଘ ୧୫ ବର୍ଷ ଧରି ଗେରୁଆ ଗଡ ରହି ଆସିଥିବା ମଧ୍ୟପ୍ରଦେଶ ଓ ଛତିଶଗଡ ବିଜେପି ହାତରୁ ଖସିଯିବା ପରେ ୨୦୧୯ ପାଇଁ ମୋଦି-ଶାହା ଯୋଡି ଶଙ୍କାରେ ପଡିଯାଇଥିବା ଚର୍ଚ୍ଚା ହେଉଛି ।

ଏହି ଫଳାଫଳ ହିଁ ଦର୍ଶାଉଛି ଯେ, ୨୦୧୯ ନିର୍ବାଚନରେ ହୁଏତ ଆଉ ମୋଦି ମ୍ୟାଜିକ କାମ କରିନପାରେ । କାରଣ ବିଭିନ୍ନ ସର୍ଭେ ରିପୋର୍ଟ ଓ ସାଂପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ୨୦୧୯ରେ ପୁଣିଥରେ ସଂଖ୍ୟା ଗରିଷ୍ଠତା ସହ ଏକାକୀ ଶାସନ କ୍ଷମତାକୁ ଫେରିବା ମୋଦିଙ୍କ ପାଇଁ ଏତେ ସହଜ ହୋଇନପାରେ । ୨୦୧୯ରେ ସରକାର ଗଢିବା ପାଇଁ ଆସନ ସଂଖ୍ୟା ଅର୍ଥାତ ମ୍ୟାଜିକ ନମ୍ବର ମୋଦିଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇପାରେ ।

ଏଭଳି ଚର୍ଚ୍ଚା ପଛରେ ମଧ୍ୟ ଏକ ବଡ କାରଣ ରହିଛି, ୨୦୧୪ ପରେ ଲଗାତାର ଗେରୁଆ ବାନା ଉଡାଇ ଆସୁଥିବା ବିଜେପିର ବିଜୟ ରଥରେ ବ୍ରେକ ଲଗାଇଛି ଏହି ୩ଟି ରାଜ୍ୟର ନିର୍ବାଚନ ଫଳାଫଳ । ଅର୍ଥାତ କଂଗ୍ରେସ ମୁକ୍ତ ଭାରତ ପାଇଁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଚୁରମାର ହୋଇଛି । ଏହି ନିର୍ବାଚନ ଫଳାଫଳ ଦର୍ଶାଇଥିଲା ଯେ ଦେଶରେ ଲୋକଙ୍କର ମୁଡ ପରିବର୍ତ୍ତନ ହୋଇଛି ଓ ଆଉ ମୋଦି ମ୍ୟାଜିକ ଫେଲ୍ ମାରିଛି । ଏହାଛଡା ୨୦୧୪ ପରେ ନନଷ୍ଟପ ଗଡି ଆସୁଥିବା ବିଜେପିର ବିଜୟ ରଥରେ ମହାମେଣ୍ଟ ମାଧ୍ୟମରେ ବ୍ରେକ ଲଗାଇବାକୁ ଜୋରଦାର ପ୍ରୟାସ କରୁଛି କଂଗ୍ରେସ ।

କେବଳ କଂଗ୍ରେସ ନୁହେଁ ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ ୨୦୧୪ରେ ବିଜେପି ସବୁଠୁ ଅଧିକ ସଫଳ ହୋଇଥିବା ଉତ୍ତର ପ୍ରଦେଶରେ ମଧ୍ୟ ବୁଆ (ମାୟାବତୀ) ଓ ବବୁଆ (ଅଖିଳେଶ) ହାତ ମିଳାଇଛନ୍ତି । ପୂର୍ବରୁ ମଧ୍ୟ ଏହି  ଯୋଡି ହାତ ମିଳାଇବା ଦ୍ୱାରା ଗେରୁଆ ଗଡ କୁହାଯାଉଥିବା ଗୋରଖପୁରରେ ମଧ୍ୟ ମାତ୍ ଖାଇଥିଲା ବିଜେପି । ତେଣୁ ୨୦୧୯ରେ ଅଖିଳେଶ-ମାୟାବତୀଙ୍କ ମେଣ୍ଟ  ବିଜେପି ପାଇଁ କେବଳ ଅଡୁଆ ସୃଷ୍ଟି କରିବନି ବରଂ ବିଜେପିର ଆସନ ସଂଖ୍ୟାରେ ମଧ୍ୟ ବ୍ରେକ ଲଗାଇବ । ଆଉ ଏହାର ସିଧାସଳଖ ପ୍ରଭାବ ଜାତୀୟ ରାଜନୀତିରେ ଦେଖିବାକୁ ମିଳିବ । କାରଣ ଏହି ଉତ୍ତରପ୍ରଦେଶରୁ ୨୦୧୪ରେ ୮୦ରୁ ୭୧ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ବିଜେପି ।

ଏତିକିରେ ସରିନାହିଁ ବିଜେପିର ଟେନସନ । ଗତ ଗୋଟିଏ ବର୍ଷ ମଧ୍ୟରେ ଏନଡିଏ ସରକାରର ହାତ ଛାଡିଛନ୍ତି ସହଯୋଗୀ ଦଳ । ଆଉ କିଛି ସହଯୋଗୀ ଦଳ ସିଧାସଳଖ ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦି ସରକାର ଉପରେ କ୍ଷୁବ୍ଧ । ଯାହା ବିଜେପିର ୨୦୧୯ ରାସ୍ତାକୁ ଆହୁରି ଚ୍ୟାଲେଞ୍ଜମୟ କରିଛି । ଆଉ ଏଭଳି ସ୍ଥିତିରେ ନୂଆ ସାଥୀ ଖୋଜୁଛି ବିଜେପି । ଏନେଇ ତାମିଲନାଡୁରେ ମଧ୍ୟ ମୋଦି ସଂକେତ ଦେଇ ସାରିଛନ୍ତି । ଖାସକରି ଏନଡିଏ ଥିବା ପୁରୁଣା ସାଥୀ ମାନଙ୍କୁ ପୁଣିଥରେ ସାଥୀରେ ନେବାକୁ ଇଚ୍ଛା ପ୍ରକାଶ କରିଛି ବିଜେପି । ଆଉ ଖୋଜା ଯାଉଥିବା ପାର୍ଟନର ତାଲିକାରେ ମୋଦି-ଶାହା ଯୋଡି ପାଇଁ ବିଜେଡି ପ୍ରଥମ ପସନ୍ଦ ପାଲଟିଛି ବୋଲି ଚର୍ଚ୍ଚା ହେଉଛି ।

ଯଦି ୨୦୧୯ ନିର୍ବାଚନରେ ସରକାର ଗଢିବାକୁ ଏକାକୀ ବିଜେପି ଆବଶ୍ୟକୀୟ ସଂଖ୍ୟା ହାସଲ କରିନପାରେ ତେବେ ବିଜେଡି ଓ ଅନ୍ୟ ଆଞ୍ଚଳିକ ଦଳ ସମର୍ଥନରେ ଶାସନ କ୍ଷମତାକୁ ଫେରିବାକୁ ବିଜେପି ଶିବିରରେ ଅଙ୍କକଷା ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୋଦିଙ୍କ ବୟାନ । ଯଦି ଏବେଠୁ ଏହି ଆଞ୍ଚଳିକ ଦଳକୁ ମନାଇବାରେ ବିଜେପି ବିଫଳ ହୁଏ ତେବେ ୨୦୧୯ରେ ଏଥିପାଇଁ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିପାରେ । ତେଣୁ ପରିବର୍ତ୍ତିତ ରାଜନୈତିକ ସ୍ଥିତିକୁ ଦେଖି ବିଜେପି ଏବେ ବିଜେଡି ସରକାରକୁ ଟାର୍ଗେଟ କରିବା ବଦଳରେ ଚୁପ୍ ରହିବାକୁ ଅଧିକ ଶ୍ରେୟସ୍କର ମଣୁଛି । ତେଣୁ ଓଡିଶାରେ ବିଜେପିର ମିଶନ ୧୨୦କୁ ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା ସେଥିରେ ବ୍ରେକ ଲାଗିଛି । ଅର୍ଥାତ ଆମର କେନ୍ଦ୍ର, ତୁମର ରାଜ୍ୟ ନ୍ୟାୟରେ ବିଜେଡି ସରକାର ବିରୋଧରେ ମୁହଁ ଖୋଲିବାକୁ ମଙ୍ଗୁ ନାହାନ୍ତି କେନ୍ଦ୍ରୀୟ ନେତୃବୃନ୍ଦ ।

ବିଭିନ୍ନ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ପୁଣିଥରେ ବିଜେଡି ସରକାର ଗଢିବାକୁ ଯାଉଥିବା ସାମ୍ନାକୁ ଆସିଛି । ଏପରିକି ଲୋକସଭା ଆସନରେ ମଧ୍ୟ ବିଜେଡି ବେଶ ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ ରିପୋର୍ଟ କହୁଛି । ତେଣୁ ଉତ୍ତରପ୍ରଦେଶ ସମେତ ଅନ୍ୟ ୩ଟି ରାଜ୍ୟରେ ଦଳର ଆସନ ସଂଖ୍ୟା କମିବ ବୋଲି ଯେଉଁ ଆକଳନ କରାଯାଉଛି ତାହାର ଭରଣା ପାଇଁ ବିଜେଡି ଓ ଅନ୍ୟ ଆଞ୍ଚଳିକ ଦଳକୁ ସାଥୀରେ ନେବାକୁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।

ତେଣୁ ଏଭଳି ସ୍ଥଳେ ବିଜେଡି ସରକାର ବିରୋଧରେ ନ କହିଲେ ବି ଚୁପ୍ ରହିବାକୁ ଅଧିକ ଶ୍ରେୟସ୍କର ମଣୁଛନ୍ତି ବିଜେପିର କେନ୍ଦ୍ରୀୟ କମାଣ୍ଡର ମାନେ । ଯାହାଫଳରେ ୨୦୧୯ରେ ଯଦି ସରକାର ଗଢିବାକୁ ସଂଖ୍ୟା ଗଣିତରେ ବିଜେପି ପଛରେ ରୁହେ ତେବେ ବିଜେଡି ଭଳି ଆଞ୍ଚଳିକ ଦଳ ମୋଦି-ଶାହାଙ୍କ ପାଇଁ ସଙ୍କଟମୋଚକ ସାଜିପାରନ୍ତି ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି ।