କେମିତି ଖସି ଯାଉଛନ୍ତି ଦୁଷ୍କର୍ମକାରୀ? କ୍ରାଇମବ୍ରାଞ୍ଚ ଆଇଜି କହିଲେ, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପଛର ପୂରା କାରଣ

329

କନକ ବ୍ୟୁରୋ : ଧର୍ଷଣ ଭଳି ସାଂଘାତିକ ଅପରାଧ ଘଟାଇ ଖସି ଯାଉଛନ୍ତି ଅପରାଧୀ । ଏ ନେଇ ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭ ଲେଖିଛନ୍ତି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା । ଏଥିରେ ଏପରି କିଛି ତଥ୍ୟ ସେ ଉପସ୍ଥାପନ କରିଛନ୍ତି, ଯାହା ଆଶ୍ଚର୍ଯ୍ୟ କଲାଭଳି । ସେ ଲେଖିଛନ୍ତି, ଅନେକ ମାମଲାରେ ଅପରାଧୀ ସହ ଡିଲ୍ କରିଥାନ୍ତି ପୀଡ଼ିତାଙ୍କ ନିଜ ପରିବାର ଲୋକ । ଚାପରେ ପଡ଼ି ଶେଷ ମୁହୂର୍ତରେ ପୀଡ଼ିତା ବଦଳାଇ ଦେଇଥାନ୍ତି ବୟାନ । ସାକ୍ଷୀ ମଧ୍ୟ ଅସହଯୋଗ କରିଥାନ୍ତି ।

ଧର୍ଷଣ ଓ ଯୌନ ବ୍ୟଭିଚାର ଭଳି ଜଘନ୍ୟ ଅପରାଧ ପରେ ଖସି ଯାଉଛନ୍ତି ଅପରାଧୀ । ଏପରି ମାମଲାରେ ଦେଶରେ ଦୋଷୀ ସାବ୍ୟସ୍ତ ଅତ୍ୟନ୍ତ ନୈରାଶ୍ୟଜନକ । ଅଦାଲତରେ ମାତ୍ର ୧୮.୯ ପ୍ରତିଶତ ଧର୍ଷଣ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକରେ ଏହାର ହାର ଆହୁରି କମ । ଏହିସବୁ ରାଜ୍ୟରେ କୋର୍ଟରେ ଦଣ୍ଡିତ ହୋଇଥାନ୍ତି ମାତ୍ର ୧୦ ପ୍ରତିଶତ । ଅର୍ଥାତ ୧୦ ଜଣ ଅପରାଧୀଙ୍କ ମଧ୍ୟରୁ ୯ ଜଣ ଅପରାଧୀ ଖସି ଯାଇଥାନ୍ତି ଏଭଳି ମାମଲାରେ । ଏକ ଧର୍ଷଣ ମାମଲାର ଶୁଣାଣି ବେଳେ ପୀଡ଼ିତା ତାଙ୍କ ବୟାନ ବଦଳାଇବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଶେଷ ମୁହୁର୍ତରେ ପୀଡ଼ିତା ବୟାନ ବଦଳାଇବା ଓ ପୂର୍ବ ଷ୍ଟେଟମେଂଟରୁ ସାକ୍ଷୀ ଓହରି ଯିବା ପରେ ଖସି ଯାଇଥାନ୍ତି ଅପରାଧୀ ।

ଏ ନେଇ ଜାତୀୟ ଗଣମାଧ୍ୟମ ‘ଦି ନିଉ ଇଣ୍ଡିଆନ୍ ଏକ୍ସପ୍ରେସ’ରେ ଏକ ସ୍ତମ୍ଭ ଲେଖିଛନ୍ତି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା । ଏଥିରେ ଏପରି କିଛି ତଥ୍ୟ ସେ ଉପସ୍ଥାପନ କରିଛନ୍ତି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଲେଖିଛନ୍ତି, ଅନେକ ମାମଲାରେ ଅପରାଧୀ ସହ ଡିଲ୍ କରିଥାନ୍ତି ପୀଡ଼ିତାଙ୍କ ପରିବାର ଲୋକ । ଏପରକିି କିଛି ମାମଲାରେ କୋର୍ଟ ବାହାରେ ଟଙ୍କା ନେଇ ମାମଲାର ସମାଧାନ କରିବା ପାଇଁ ଚାହିଁଥାନ୍ତି ପୀଡ଼ିତାଙ୍କ ପରିବାର । ଏଥିରେ ପୀଡ଼ିତାଙ୍କ ମତାମତ ନିଆ ଯାଇନଥାଏ ।

ଦୋଷୀ ଖସିଯିବା ପରେ ତଦନ୍ତ ପ୍ରକ୍ରିୟା ଉପରେ ବିଶେଷ କରି ପ୍ରଶ୍ନ ଉଠିଥାଏ । ତେବେ ଏହାର ବାସ୍ତବତା ଅଲଗା ବୋଲି ଯୁକ୍ତି ବାଢ଼ିଛନ୍ତି ଅରୁଣ ବୋଥ୍ରା । ଫରେନସିକ୍ ପ୍ରମାଣ, ମେଡିକାଲ ରିପୋର୍ଟ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରୁଥିଲେ ମଧ୍ୟ ପୀଡ଼ିତା ଓ ସାକ୍ଷୀ ଅସହଯୋଗ କଲେ ଭାରତରେ ଖସି ଯାଇଥାନ୍ତି ଦୋଷୀ । ହେଲେ ବିକଶିତ ରାଷ୍ଟ୍ରରେ ବୈଜ୍ଞାନିକ ପ୍ରମାଣକୁ ଗୁରୁତ୍ୱ ଦିଆଯାଇଥାଏ ।