ରାଗିଗଲେ ପ୍ରଧାନ ବିଚାରପତି ! ସିବିଆଇ ନିର୍ଦ୍ଦେଶକଙ୍କ ତଥ୍ୟ ଲିକ୍ ହେବାରୁ ଜାହିର କଲେ କ୍ଷୋଭ, ନଭେମ୍ବର ୨୯ରେ ପରବର୍ତ୍ତୀ ଶୁଣାଣି ।

691

କନକ ବ୍ୟୁରୋ : ରାଗିଗଲେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ । ସିବିଆଇ ନିର୍ଦ୍ଦଶକ ଆଲୋକ ବର୍ମାଙ୍କ ତଥ୍ୟ ଲିକ ହେବାକୁ ନେଇ ଅସନ୍ତୋଷ ଜାହିର କଲେ ଜଷ୍ଟିସ ଗୋଗୋଇ । ବନ୍ଦ ଲଫାପାର ଦିଅଯାଇଥିବା ତଥ୍ୟ ଗଣମାଧ୍ୟମରେ କିପରି ଲିକ୍ ହେଲା ତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହି ଶୁଣାଣୀ ପାଇଁ ସମସ୍ତ ପକ୍ଷ ଅଯୋଗ୍ୟ ବୋଲି କହି ୨୯ତାରିଖ ପର୍ଯ୍ୟନ୍ତ ଶୁଣାଣୀ ଘୁଂଚାଇ ଦେଇଛନ୍ତି ।ଦେଖନ୍ତୁ ଏହି ରିପୋର୍ଟ ।

ବିଗଡିଗଲେ ପ୍ରଧାନ ବିଚାରପତି । କାହିଁକି କ୍ଷୁବ୍ଧ ହେଲେ ଜଷ୍ଟିସ ରଂଜନ ଗୋଗୋଇ ? ସିବିଆଇ ବିବାଦକୁ ନେଇ କ୍ଷୋଭ ପ୍ରକାଶ କଲେ ଚିଫ୍ ଜଷ୍ଟିସ ରଂଜନ ଗୋଗୋଇ । କୋର୍ଟରେ ହାଜର ଥିବା ସମସ୍ତ ପକ୍ଷ ଶୁଣାଣୀ ପାଇଁ ଅଯୋଗ୍ୟ ବୋଲି କ୍ଷୁବ୍ଧ ହୋଇ କହିଛନ୍ତି ଚିଫ୍ ଜଷ୍ଟିସ ଗୋଗୋଇ । ମଙ୍ଗଳବାର ଦିନ ଶୁଣାଣୀ ଆରମ୍ଭ ହେବା ମାତ୍ରେ ଚିଫ୍ ଜଷ୍ଟିସ ରଂଜନ ଗୋଗୋଇ, ଆଲୋକ ବର୍ମାଙ୍କ ଓକିଲ ଫଲି ନରିମନଙ୍କୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟର କପି ଦେଖାଇ ପ୍ରଶ୍ନ କରିଥିଲେ । 

ଚିଫ୍ ଜଷ୍ଟିସ ରଂଜନ ଗୋଗୋଇ ପଚାରିଥିଲେ ଯେ, ବନ୍ଦ ଲଫାପାରେ ଆଲୋକ ବର୍ମା ଦେଇଥିବା ରିପୋର୍ଟ ଗଣମାଧ୍ୟମ ହାତରେ କିପରି ଲାଗିଲା? ଏହାର ଜବାବରେ ଆଲୋକ ବର୍ମାଙ୍କ ଓକିଲ ଫଲି ନରିମନ କହିଥିଲେ ଯେ, ଏହି ରିପୋର୍ଟ କିପରି ଲିକ୍ ହେଲା ସେ ନେଇ କିଛି ସୂଚନା ନାହିଁ । ଏବଂ ଏଥିପାଇଁ ସେ ଦାୟୀ ନୁହଁନ୍ତି ତେବେ ଏହା ଦୁଭାର୍ଗ୍ୟଜନକ । ଏହା ପରେ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରି କହିଥିଲେ ଯେ, ଯଦି ଆଲୋକ ବର୍ମାଙ୍କୁ ସୋମବାର ଦିନ ହିଁ ଜବାବ ଦାଖଲ କରିବାର ଥିଲା ତେବେ ସେ କାହିଁକି କୋର୍ଟକୁ ଅଧିକ ସମୟ ମାଗୁଥିଲେ । ଏହାର ଜବାବରେ ନରିମନ କହିଥିଲେ ଯେ, ଏନେଇ ମଧ୍ୟ କୌଣସି ସୂଚନା ନାର୍ହିଁ । ଏଥିରକ୍ଷୋଭ ପ୍ରକାଶ କରି ଚିଫ୍ ଜଷ୍ଟିସ କହିଥିଲେ ଯେ, ଆପଣ ସମସ୍ତେ ଶୁଣାଣୀ ପାଇଁ ଅଯୋଗ୍ୟ । ମାମଲାର ଶୁଣାଣୀ ଆଜି ହୋଇପାରିବନାହିଁ । ନଭେମ୍ବର ୨୯ପର୍ଯ୍ୟନ୍ତ ଶୁଣାଣୀ ଘୁଂଚିଲା ।

ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରି ସିଭିସି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଦିନ ଏହାର ଜବାବ ରଖିଥିଲେ ଆଲୋକ ବର୍ମା । ଏବଂ ବନ୍ଦ ଲଫାପାରେ ଅତ୍ୟନ୍ତ ଗୋପନୀୟ ଭାବେ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଲୋକ ବର୍ମା ଯେଉଁ ଜବାବ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ ତାହା ଏକ ଇଂରାଜୀ ୱେବସାଇଟରେ ପ୍ରକାଶ ପାଇଥିଲା ।

ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ । ମାତ୍ର ୧୦ମିନିଟରେ ଆଜିର ଶୁଣାଣୀ ଶେଷ ହୋଇଥିଲା । ଜଷ୍ଟିସ ଗୋଗୋଇଙ୍କ ସହ ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ କେଏମ ଯୋଶେଫ ଏହି ମାମଲାର ଶୁଣାଣୀ କରୁଛନ୍ତି । ସେପଟେ ସିବିଆଇ କାହାଣୀରେ ନୂଆ ମୋଡ ଆସିଛି । ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସିହ୍ନାଙ୍କ ମାମଲାରେ ଜଣେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୋଟି କୋଟି ଟଙ୍କା ଲାଂଚ ନେଇଥିବା ବେଳେ ଡୋଭାଲ ହସ୍ତକ୍ଷେପ କରିଥିବା ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା ଅଭିଯୋଗ କରିଛନ୍ତି ।