ରାଜ୍ୟ ରାଜନୀତିରେ ହଟଚମଟ କଲା ରାଜ୍ୟସଭା ନିର୍ବାଚନ । ବିଜେପି ପ୍ରାର୍ଥୀଙ୍କୁ ବିଜେଡି କଲା ସମର୍ଥନ ।

941

କନକ ବ୍ୟୁରୋ : ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ । ନବୀନଙ୍କ ଏହି ଘୋଷଣା ପରେ ଏବେ ରାଜ୍ୟ ରାଜନୀତିର ପାଣିପାଗ ବଦଳିଛି । ଫାଙ୍କା ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟସଭା ପାଇଁ ୨ ଦଳୀୟ ପ୍ରାର୍ଥୀଙ୍କ ନାଁ ବିଜେଡି ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଆସନ ପାଇଁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ସମର୍ଥନ କରିବ ବୋଲି କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଅଶ୍ୱିନୀଙ୍କ ସମର୍ଥନ ପ୍ରସ୍ତାବରେ ନିଜର ସମ୍ମତି ଜଣାଇଥିବା କହିଛନ୍ତି ନବୀନ । ତେବେ ନବୀନଙ୍କ ଏଭଳି ନିଷ୍ପତିକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନଙ୍କ ଏଭଳି ନିଷ୍ପତି ଦ୍ୱାରା କେବଳ ବିଜେଡି ଗୋଟିଏ ଆସନ ହରାଇବ ନାହିଁ ବରଂ ରାଜ୍ୟସଭାରେ ବିଜେପି ଗୋଟିଏ ଆସନ ଲାଭରେ ରହିବ ।

ଫାଙ୍କା ପଡିଥିବା ୩ ରାଜ୍ୟସଭା ଆସନ ବିଜେଡି ହାତକୁ ଆସିବା ଏକପ୍ରକାର ସ୍ପଷ୍ଟ ହୋଇସାରିଥିଲା । ଏହି ୩ଟି ଆସନ ପାଇଁ ବିଧାନସଭାରେ ବିଜେଡିର ଆବଶ୍ୟକୀୟ ସଂଖ୍ୟା ମଧ୍ୟ ରହିଥିଲା । ଏପରିକି ରାଜ୍ୟସଭା ଲଢେଇରେ ବିଜେପି ନଥିବା ସ୍ପଷ୍ଟ କହିଥିଲେ ଖୋଦ୍ ଦଳୀୟ ନେତା । ତେଣୁ ଏହି ୩ ଆସନ ବେଶ ସହଜରେ ହାତେଇଥାନ୍ତା ବିଜେଡି । କିନ୍ତୁ ଏସବୁ ପରିବର୍ତ୍ତେ ବିଜେପି ପ୍ରାର୍ଥୀଙ୍କୁ କାହିଁକି ସମର୍ଥନ କଲା ବିଜେଡି । ଏପରିକି ବିଜେପି ପାଖରେ ରାଜ୍ୟସଭା ସାଂସଦ ନିର୍ବାଚିତ କରିବାକୁ ଆବଶ୍ୟକୀୟ ସଂଖ୍ୟା ନଥିଲେ ମଧ୍ୟ ଏହାର ପ୍ରାର୍ଥୀଙ୍କୁ କାହିଁକି ସବୁଜ ସଂକେତ ଦେଲା ବିଜେଡି । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ଅଶ୍ୱିନୀଙ୍କୁ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା ତାହାକୁ ଅବଶ୍ୟ ଦୂର କରିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଅଶ୍ୱିନୀଙ୍କୁ ବିଜେଡି ସର୍ମଥନ ଦେଇଥିବା କହିଛନ୍ତି ନବୀନ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଲୋକେ । ଯଦି ଆଲୋଚନା ହୋଇଥିଲା ତେବେ ଅଶ୍ୱିନୀ ବୈଷ୍ଣବ ବିଜେଡିର ପ୍ରାର୍ଥୀ ହୋଇଥିଲେ ବିଜେପି ମଧ୍ୟ ସର୍ମଥନ ଦେଇପାରିଥାନ୍ତା । କିନ୍ତୁ ଏହା ପରିବର୍ତ୍ତେ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ନବୀନ ରାଜନୀତିର କେଉଁ ଅଙ୍କ କଷୁଛନ୍ତି । ଏହା ବିଜେଡିକୁ କଣ ଫାଇଦା ଦେବ । ଗୋଟିଏ ପଟେ ରାଜ୍ୟସଭାକୁ ଯିବାକୁ ବିଜେଡିର ମାଳ ମାଳ ନେତା ଗୋଡ କାଢି ବସିଥିବା ବେଳେ ନିର୍ବାର୍ଚନ ପୂର୍ବରୁ ଟିକେଟରୁ ବଞ୍ଚିତ ହୋଇଥିବା ଦୁଇ ବରିଷ୍ଠ ନେତାଙ୍କୁ ସଂସଦର ଉଚ୍ଚ ସଦନକୁ ପଠାଇବାକୁ ପ୍ରତିଶୃ୍ତି ମଧ୍ୟ ଦେଇଥିଲେ ନବୀନ । ତେବେ ଅନ୍ୟପଟେ ଏଭଳି ନିଷ୍ପତି ନେଇ ବିଜେପି ପ୍ରତି ଆକ୍ରୋଶମୂଳକ ଆଭିମୁଖ୍ୟ ରଖିବାକୁ ଚାହୁଁନାହାନ୍ତି କି ନବୀନ ନା ମୋଦି ସରକାରଙ୍କୁ ପରୋକ୍ଷରେ ସମର୍ଥନ ଦେଉଛନ୍ତି କି ବିଜେଡ଼ି ସୁପ୍ରିମୋ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଏଭଳି ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ । କାରଣ ନବୀନ କେବଳ ଅଶ୍ୱିନୀଙ୍କୁ ସମର୍ଥନ ଦେଇନାହାନ୍ତି ବରଂ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା ବଢାଇବାରେ ମଧ୍ୟ ସାହାର୍ଯ୍ୟ କରିଛନ୍ତି ।

ନିର୍ବାଚନ ସମୟରେ ଉଭୟ ଦଳ ପରସ୍ପରକୁ ଟାର୍ଗେଟ କରିବାକୁ ଭୁଲୁନଥିବା ବେଳେ ଏବେ କିନ୍ତୁ ସ୍ଥିତି ବଦଳିଛି । ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟର ସର୍ମ୍ପକରେ ଘନିଷ୍ଠତା ବଢିଥିବା ଚର୍ଚ୍ଚା ହେଉଛି । ରାଜ୍ୟର ବିକାଶ ପାଇଁ ସମଦୂରତା ଫର୍ମୁଲାରୁ ନବୀନ ଦୂରେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରତି ବିଜେଡି ସରକାରର ସେଭଳି କଠୋର ଆଭିମୁଖ୍ୟ ମଧ୍ୟ ଦେଖିବାକୁ ମିଳିନାହିଁ । ଏପରିକି ବିଜେପିର ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରି ରାଜ୍ୟ-କେନ୍ଦ୍ର ସର୍ମ୍ପକରେ ଥିବା ଫାଟକୁ ଯୋଡିବାକୁ ନବୀନ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି । ତେଣୁ ଏଭଳି ସ୍ଥିତିରେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଜଣାଇବା ପରେ ରାଜ୍ୟ ରାଜନୀତିର ଗତି କେଉଁ ଆଡକୁ ଗତି କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।