ଧୋନିଙ୍କୁ ନେଇ ବଡ଼ ବୟାନ ରଖିଲେ କୋଚ ରବିଶାସ୍ତ୍ରୀ । କହିଲେ, ଧୋନିଙ୍କୁ ଜଣାଅଛି କେବେ ଖେଳରୁ ନେବେ ସନ୍ୟାସ, ନିଜ ନିଷ୍ପତି ନିଜେ ନେବାର ରହିଛି ଅଧିକାର ।

291

କନକ ବ୍ୟୁରୋ : କେବେ ମୈଦାନରେ ଧୋନିଙ୍କ ଜଲୱା ଦେଖିବେ ପ୍ରଶଂସକ । ଧୋନି ପଡ଼ିଆକୁ କେବେ ଫେରିବେ । ଏସବୁ କଳ୍ପନାଜଳ୍ପନା ଭିତରେ ଧୋନିଙ୍କୁ ନେଇ ବଢ଼ିଛି ସସପେନ୍ସ । ବିସିସିଆଇର ଚୟନକର୍ତା ଏମଏସକେ ପ୍ରସାଦ ତାଙ୍କ ବୟାନ ସ୍ପଷ୍ଟ କରିଥିବା ବେଳେ କୋଚ ରବିଶାସ୍ତ୍ରୀ କିନ୍ତୁ କିଛି ଭିନ୍ନ ବୟାନ ଦେଇଛନ୍ତି । ରବିଶାସ୍ତ୍ରୀଙ୍କ ଏପରି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କ’ଣ ହେବ ମହେନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟତ । ଖେଳରୁ ସନ୍ୟାସ ନେବା ନେଇ କ’ଣ ରହିବ ଧୋନିଙ୍କ ଆଭିମୁଖ୍ୟ । ଏସବୁ ଚର୍ଚ୍ଚା ଭିତରେ ଧୋନିଙ୍କୁ ନେଇ ସାକ୍ଷାତକାରରେ ବୟାନ ରଖିଛନ୍ତି ଭାରତୀୟ ଦଳର କୋଚ ରବିଶାସ୍ତ୍ରୀ । ଶାସ୍ତ୍ରୀ କହିଛନ୍ତି ଧୋନିଙ୍କୁ ଜଣାଅଛି କେବେ ସେ ଖେଳରୁ ସନ୍ୟାସ ନେବେ । ୧୫ବର୍ଷ ପଡ଼ିଆରେ ନିଜ ଜଲୱା ଦେଖାଇଥିବା ଧୋନି ନିଜ ନିଷ୍ପତି ନିଜେ ନେବାର ଅଧିକାର ରଖିଛନ୍ତି । ଶାସ୍ତ୍ରୀ ସମାଲୋଚକଙ୍କୁ କଟାକ୍ଷ କରି କହିଛନ୍ତି ଯେଉଁ ଲୋକମାନେ ନିଜ ଯୋତାର ଲେସ ବାନ୍ଧି ଜାଣନ୍ତିନି ସେମାନେ ଧୋନିଙ୍କୁ ସମାଲୋଚନା କରୁଛନ୍ତି ।

ଯେତେବେଳେ ଦଳର କଥା ଆସେ ସେତେବେଳେ ଧୋନି ତାଙ୍କ ଚିନ୍ତାଧାରା ଏବଂ ବିଚାର ମଧ୍ୟ ରଖିଥାନ୍ତି ବୋଲି ଶାସ୍ତ୍ରୀ କହିଥିଲେ । ରାଂଚି ଟେଷ୍ଟର ଶେଷ ଦିନରେ ଧୋନି ଡ଼୍ରେସିଂ ରୁମକୁ ଆସି ଶାହବାଜ ନଦୀମଙ୍କ ସହ କଥା ହୋଇଥିଲେ, ଏବଂ ତାଙ୍କୁ କିଛି ଟିପ୍ସ ମଧ୍ୟ ଦେଇଥିଲେ । ଧୋନିଙ୍କ ଅଧିକାର ଅଛି ସେ କେବେ ଖେଳ ଜଗତରୁ ସନ୍ୟାସ ନେବେ ତାହା ସେ ନିଜେ ନିଷ୍ପତି ନେବେ । ଏହି କଥାରେ ଅତ୍ୟଧିକ ଆଲୋଚନା ବନ୍ଦ କରିବା ଉଚିତ । ହେଲେ ଶାସ୍ତ୍ରୀଙ୍କ ଏପରିି ବୟାନ ବିସିସିଆଇ ଚୟନକର୍ତ୍ତାଙ୍କ ବୟାନରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ସେହିପରି ଗାଙ୍ଗୁଲିଙ୍କୁ ମଧ୍ୟ ବିସିସିଆଇର ନୂତନ ଅଧ୍ୟକ୍ଷ ହେବା ନେଇ ଶୁଭକାମନା ଜଣାଇଥିଲେ । ଏହା ସହ ଶାସ୍ତ୍ରୀ କହିଛନ୍ତି ବିସିସିଆଇ ନୂତନ ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲି ଭଲ କାମ କରିବେ । ସେ ହିଁ ଏକମାତ୍ର ବ୍ୟକ୍ତି ଯେ ଭାରତୀୟ କ୍ରିକେଟକୁ ଉଚିତ ଦିଗରେ ନେଇ ପାରିବେ । ସେ ଜଣେ ସ୍ୱାଭାବିକ ନେତା । ତାଙ୍କ ପାଇଁ ଅଧ୍ୟକ୍ଷ ପଦ ଉପଯୁକ୍ତ । ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ କ୍ରିକେଟ ସଂଘରେ ମଧ୍ୟ ୪ରୁ ୫ ବର୍ଷ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ।