ମୋଦିଙ୍କ ସହ କାହିଁକି ଷ୍ଟେଜ୍ ସେୟାର କଲେନି ଅପରାଜିତା ! ବଡ ଋଣନୀତିର ଆଭାସ ଦେଲେ କି ପୂର୍ବତନ ପ୍ରଶାସିକା

2,597

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ପ୍ରଶାସିକାରୁ ନେତା ହୋଇଥିବା ଅପରାଜିତା ଷଡଙ୍ଗୀ । ମୋଦିଙ୍କ ଏହି ଗସ୍ତ ସମୟରେ ଅପରାଜିତାଙ୍କ ଭୂମିକା କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ଏପରିକି ଅପରାଜିତାଙ୍କୁ ନେଇ ଖୋର୍ଦ୍ଧା ମାଟିରେ ମୋଦି କି ସଂକେତ ଦେବେ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଥିଲା । ଅପରାଜିତା ମୋଦିଙ୍କ ସହ ମଞ୍ଚ ସେୟାର କରିବେ କି ନାହିଁ ତାହା ଉପରେ ପୂରା ରାଜ୍ୟ ରାଜନୀତିର ନଜର ରହିଥିଲା ।

ଦିଲ୍ଲୀ ଦରବାରରେ ପଦ୍ମ ପୋଖରୀକୁ ଡେଇଁ ଥିବା ଅପରାଜିତାଙ୍କ ନାଁ ମୋଦି ମଞ୍ଚ ଉପରେ ନେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି ଯେତେବେଳେ ଅପରାଜିତା ମୋଦିଙ୍କ ସହ ମଞ୍ଚ ସେୟାର କରିନାହାନ୍ତି କି ମୋଦି ସଭାସ୍ଥଳରେ ଅପରାଜିତାଙ୍କ ନାଁ ମଧ୍ୟ ତୁଣ୍ଡରେ ନେଇଁ ନାହାନ୍ତି । କିନ୍ତୁ ଏହାଦ୍ୱାରା ମଧ୍ୟ ଅପରାଜିତାଙ୍କ ରାଜନୈତିକ ଫାଇଦା ରହିଛି ।

ଆଜି ଯେତେବେଳେ ଗୋଶାଳା ଜନସଭାରେ ମୋଦି ପହଞ୍ଚିଥିଲେ ଠିକ୍ ସେତିକିବେଳେ ହିଁ ଅପରାଜିତାଙ୍କୁ ପଡିଆ ମଧ୍ୟରେ ଦେଖିବାକୁ ମିଳିଥିଲା । ମୋଦି ପହଞ୍ଚିବା ପରେ ପ୍ରଥମେ ମଞ୍ଚ ତଳେ ପ୍ରଧାନମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ଅପରାଜିତା । ସମସ୍ତେ ଭାବିଥିଲେ ନୂଆ ନୂଆ ଗେରୁଆ କ୍ୟାମ୍ପରେ ଯୋଗଦେଇଥିବା ଅପରାଜିତାଙ୍କୁ ମୋଦିଙ୍କ ସହ ମଞ୍ଚ ସେୟାର କରିବାକୁ ଦେଖିବାକୁ ମିଳିବ । କିନ୍ତୁ ସେମିତି କିଛି ବି ଦେଖିବାକୁ ମିଳିନଥିଲା ।

ତେବେ କିଛି ସମୟ ପରେ ମଞ୍ଚ ଉପରେ ଆର୍ବିଭାବ ହୋଇଥିଲେ ଅପରାଜିତା । ତାହା ବି ପୁଣି କିଛି ମିନିଟ୍ ପାଇଁ । ହାତରେ ଥିଲା ବଡ ଫୁଲମାଳ । ଅନ୍ୟ କର୍ମୀଙ୍କ ଭଳି ଅପରାଜିତା ମଧ୍ୟ ଫୁଲମାଳ ଧରି ମଞ୍ଚ ଉପରେ ମୋଦିଙ୍କୁ ପୁଣିଥରେ ସ୍ୱାଗତ କରିଥିଲେ । ଆଉ ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା । ଆଉ ଅପରାଜିତା ମଧ୍ୟ ବେଶ ଖୁସିରେ ମଞ୍ଚ ତଳକୁ ଚାଲି ଯାଇଥିଲେ । ଆଉ ଏହାପରେ ଅପରାଜିତାଙ୍କୁ ଆଉ ମୋଦିଙ୍କ ସହ ମଞ୍ଚ ଉପରେ ଦେଖିବାକୁ ମିଳିନଥିଲା । ଅପରାଜିତାଙ୍କ ସିଟ୍ ଥିଲା ଦ୍ୱିତୀୟ ମଞ୍ଚରେ ଯେଉଁଠି କିଛି ବିଧାୟକ ଟିକେଟ ପାଇବା ଆଶାୟୀଙ୍କ ସହ ଅପରାଜିତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ମୋଦିଙ୍କ ସହ ମଞ୍ଚ ସେୟାର ନ କରି ମଧ୍ୟ ବେଶ ଖୁସିଥିଲେ ଅପରାଜିତା ।

ଅପରାଜିତା ମୋଦିଙ୍କ ସହ ମଞ୍ଚ ସେୟାର ନକରି ମଧ୍ୟ ରାଜନୀତିର ପୋଖତ ଖେଳାଳିର ପରିଚୟ ଦେଇଛନ୍ତି । ଏକଥା ଏଥିପାଇଁ କୁହାଯାଉଛି କାରଣ, ଯଦି ଅପରାଜିତା ମୋଦିଙ୍କ ସହ ମଞ୍ଚ ସେୟାର କରିଥାନ୍ତେ ତେବେ ସାଧାରଣ କର୍ମୀଙ୍କ ପାଖକୁ ଏକ ଭିନ୍ନ ବାର୍ତ୍ତା ଯାଇଥାନ୍ତା । କିଛିଦିନ ପୂର୍ବେ ପଦ୍ମ ଧରିଥିବା ତଥା କୌଣସି ପଦପଦବୀରେ ନଥାଇ ମଧ୍ୟ ଅପରାଜିତା କିଭଳି ମଞ୍ଚ ଉପରେ ବସିଲେ ତାହା ମଧ୍ୟ କର୍ମୀଙ୍କ ମନରେ ବଡ ପ୍ରଶ୍ନ ଭାବେ ଉଭା ହୋଇଥାନ୍ତା । ଆଉ ଏହାକୁ ନେଇ ହୁଏତ ଦଳ ମଧ୍ୟରେ ଅସନ୍ତୋଷ ବଢିଥାନ୍ତା । ଖାସକରି ଦଳରେ ଆଉ ଏକ କ୍ଷମତାକେନ୍ଦ୍ରର ଆର୍ବିଭାବ ହେଉଛି ବୋଲି ସ୍ପଷ୍ଟ ବାର୍ତ୍ତା ଯାଇଥାନ୍ତା । ଯାହା ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବା ଅପେକ୍ଷା ହୁଏତ ଦୁର୍ବଳ କରି ଦେଇଥାନ୍ତା ।

ମୋଦିଙ୍କ ସମର୍ଥନ ତାଙ୍କ ପଛରେ ରହିଛି ଏକଥା ବେଶ ଭଲଭାବେ ଜାଣିଛନ୍ତି ଅପରାଜିତା । ତେଣୁ ନିଜକୁ ଜଣେ ବଡ ନେତା ଭାବେ ପ୍ରଦର୍ଶନ ନ କରି ଜଣେ ସାଧାରଣ କର୍ମୀ ଭଳି ମଞ୍ଚ ଉପରେ ଫୁଲତୋଡା ଦେଇ ଚାଲି ଯାଇଥିଲେ ଅପରାଜିତା ।କିନ୍ତୁ କୁହାଯାଉଛି ଏହି ସଭାକୁ ସଫଳ କରିବାକୁ ଅପରାଜିତା ମଧ୍ୟ କମ ପରିଶ୍ରମ କରିନାହାନ୍ତି । ସଭାସ୍ଥଳର ପ୍ରସ୍ତୁତି ଠାରୁ ଆରମ୍ଭ କରି ସଭା ଶେଷ ହେବା ପର୍ଯ୍ୟନ୍ତ ପରଦା ପଛରେ ରହି ସମସ୍ତ କାମର ମନିଟରିଂ କରୁଥିଲେ ଅପରାଜିତା । କିନ୍ତୁ ଚର୍ଚ୍ଚାରୁ ଦୂରେଇ ରହିବା ପାଇଁ ମୋଦିଙ୍କ ସହ ଷ୍ଟେଜ ସେୟାର କଲେନି ପୂର୍ବତନ ପ୍ରଶାସିକା ।

ଯଦି ମୋଦିଙ୍କ ସହ ଅପରାଜିତା ଷ୍ଟେଜ ସେୟାର କରିଥାନ୍ତେ ତେବେ ହୁଏତ ତାଙ୍କର ଅଭିଳାଷା ପୁରଣ ହୋଇଯାଇଥାନ୍ତା । କିନ୍ତୁ ଦଳରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥାନ୍ତା । ଆଉ ଏହା ଅପରାଜିତାଙ୍କୁ ହିଁ ଅଧିକ ଘାଟାରେ ପକାଇଥାନ୍ତା । କାରଣ ନୂଆ ନୂଆ ରାଜନୀତିକୁ ଏଣ୍ଟ୍ରି ମାରିଥିବା ଅପରାଜିତାଙ୍କୁ ଦଳରେ ଏଯାଏଁ ବଡ ଚେହେରା ଭାବେ ଦର୍ଶାଯାଇନାହିଁ । ଆଉ ଏଭଳି ସ୍ଥଳେ ମଞ୍ଚ ଉପରେ ନ ରହି ତଳେ ରହିବା ସହ ବେଶ ଚାଲାକିର ସହ ରାଜନୀତି ପରିପକ୍ୱତାର ପରିଚୟ ଦେଇଛନ୍ତି ଅପରାଜିତା ।