କିଏ ଯିବ ରାଜ୍ୟସଭା, ଆରମ୍ଭ ହେଲା ଅଙ୍କକଷା ! ପ୍ରତିଶ୍ରୁତି ପାଇଥିବା ନେତା ନା ନୂଆ ଚେହେରା ବାଛିବେ ନବୀନ?

ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଅଙ୍କକଷା । ଆସନ୍ତା ୫ରେ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ପରେ ଏବେ କିଏ ପାଇବ ରାଜ୍ୟସଭା ଟିକେଟ୍ ତାହାକୁ ନେଇ ଆଶା, ଆଶଙ୍କାରେ ନେତା ।

1,317

କନକ ବ୍ୟୁରୋ: ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଅଙ୍କକଷା । ଆସନ୍ତା ୫ରେ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ପରେ ଏବେ କିଏ ପାଇବ ରାଜ୍ୟସଭା ଟିକେଟ୍ ତାହାକୁ ନେଇ ଆଶା, ଆଶଙ୍କାରେ ନେତା । ୨୦୧୯ ସାଧାରଣ ନିର୍ବାଚନ ପରେ ଓଡିଶାର ୩ଟି ରାଜ୍ୟସଭା ଆସନ ଖାଲି ହୋଇଥିଲା । ରାଜ୍ୟସଭା ସାଂସଦ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଓ ଅଚ୍ୟୁତ ସାମନ୍ତ ସାଧାରଣ ନିର୍ବାଚନରେ ଭାଗ ନେଇ ନିର୍ବାଚିତ ହେବା ପରେ ଏହି ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହି ୩ଟି ରାଜ୍ୟସଭା ଆସନରେ ବିଜେଡି ସୁପ୍ରିମୋ କାହାକୁ ଦିଲ୍ଲୀ ଦରବାରକୁ ପଠାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କାହାକୁ ରାଜ୍ୟସଭା ଟିକେଟ୍ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁସି କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ଖାଲି ପଡ଼ିଥିବା ୩ଟି ସିଟ୍ ପାଇଁ ଦାବିଦାର ଲିଷ୍ଟରେ ରହିଛନ୍ତି ଅନେକ ଆଶାୟୀ । ସେମାନଙ୍କ ମଧ୍ୟରୁ ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରଶନ୍ନ ପାଟଶାଣୀ ଏବଂ ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଗରେ ରହିଛନ୍ତି । କାରଣ ୨୦୧୯ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ଏହି ଦୁଇ ପୁରୁଖା ନେତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନବୀନ ଘୋଷଣା କରିଥିଲେ ।

Source:Catch News

ସେପଟେ ଚଳିତ ନିର୍ବାଚନରେ ବିଜେଡିର କିଛି ହେଭିୱେଟ୍ ନେତାଙ୍କର ପରାଜୟ ଘଟିଛି ଏବଂ ସେମାନଙ୍କୁ ମଧ୍ୟ ଥଇଥାନ କରି ପାରନ୍ତି ବିଜେଡି ସୁପ୍ରମୋ । ସେମାନଙ୍କ ମଧ୍ୟରେ ରହିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ବଲାଙ୍ଗୀରର ପୂର୍ବତନ ସାଂସଦ ଅନଙ୍ଗଉଦୟ ସିଂହଦେଓ, ରାଜ୍ୟସଭା ରେସରେ ଥିବା ଚର୍ଚ୍ଚା ହେଉଛି । ସେହିପରି ବ୍ୟୁରୋକ୍ରାଟ୍ ତଥା ବିଜେଡି ମୁଖପାତ୍ର ଅରୂପ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ପୂର୍ବରୁ ପୁରୁଖା ନେତାଙ୍କ ସହ ଯୁବ ଚେହେରାଙ୍କୁ ବି ସୁଯୋଗ ଦେଇଛନ୍ତି ନବୀନ । ତେଣୁ ନିର୍ବାଚନରେ ଟିକେଟ୍ ପାଇନଥିବା ବିଜେଡିର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ରାଜ୍ୟସଭା ଉପରେ ନଜର ରଖିଛନ୍ତି । ଏହି ତାଲିକାରେ ଆଉ ମଧ୍ୟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି । ସେହିଭଳି ମହିଳା ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଧ୍ୟ ଏହି ରେସରେ ରହିଛନ୍ତି । କାରଣ ୧୯ ସାଧାରଣ ନିର୍ବାଚନରେ ପାଟଣାଗଡ଼ ବିଧାନସଭା ଆସନ ପାଇଁ ଆଶାୟୀ ଥିବା ଶ୍ରୀମୟୀଙ୍କୁ ଟିକେଟ୍ ମିଳିନଥିଲେ ମଧ୍ୟ ସେ ଦଳରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ତାଙ୍କୁ ସୁପ୍ରିମୋ ଏଥର ବଡ଼ ଦାୟିତ୍ୱ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାବାଦ୍ ବିଜେଡି ସହିତ ସୁସମ୍ପର୍କ ରଖିଥିବା ଚମ୍ପୁଆର ପୂର୍ବତନ ବିଧାୟକ ସନା ମହାକୁଡ଼ଙ୍କ ନାଁ ମଧ୍ୟ ରାଜ୍ୟସଭା ରେସରେ ରହିଥିବା ‘ଶଙ୍ଖ’ ଶିବିରରେ ଶୁଣିବାକୁ ମିଳୁଛି ।

ବିଜେଡିର ଚାରି ଚାରିଜଣ ରାଜ୍ୟସଭା ସାଂସଦ ୨୦୧୯ ବିଧାନସଭା ନିର୍ବାଚନ ଲଢି ବାଜିମାତ କରିଛନ୍ତି । କିନ୍ତୁ ସୈାମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନେ ବିଧାୟକ ନିର୍ବାଚିତ ହୋଇ, ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ତେବେ ବର୍ତମାନ ୩ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି । ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳ ୫ବର୍ଷ ପାଖାପାଖି ବାକି ରହିଥିବାବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ ମଧ୍ୟ ୩ ବର୍ଷରୁ ଅଧିକ ବାକି ରହିଛି ।

ଏସବୁ ଭିତରେ ବିଧାନସଭାର ଗଣିତକୁ ହିସାବ କଲେ ଗୃହରେ କେବଳ ବିଜେଡି ପ୍ରାର୍ଥୀ ହିଁ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ଅଧିକ । ତେଣୁ ଦଳୀୟ ନେତାଙ୍କ ଭିତରେ ରାଜ୍ୟସଭାକୁ ନେଇ ଯେତିକି ଉତ୍କଣ୍ଠା ସେତିକି ଆଶଙ୍କା । ସାଧାରଣ ନିର୍ବାଚନରେ ସରକାର ଗଠନର ପ୍ରକ୍ରିୟା ଶେଷ ହେବା ପରେ ବର୍ତମାନ ରାଜ୍ୟସଭା ରାଜନୀତିକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଉ ରାଜ୍ୟସଭା ଉପ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ବିଜେଡିର ୩ ଜଣ ରାଜ୍ୟସଭା ସାଂସଦ ସିଟ୍ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ଏହି ୩ଟି ରାଜ୍ୟସଭା ଆସନରେ ବିଜେଡି ସୁପ୍ରିମୋ କାହାକୁ ଦିଲ୍ଲୀ ଦରବାରକୁ ପଠାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।