କିଏ ହେବ ବିଜେପୁରର ବାଜିଗର ? ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୪ରେ ଆସିବ ଆଶା ଆଶଙ୍କାର ଚୂଡାନ୍ତ ପରିଣାମ ।

407

କନକ ବ୍ୟୁରୋ : ବିଜେପୁରରେ ଉପନିର୍ବାଚନ ଶେଷ ହୋଇଛି । ଦେଢବର୍ଷ ଭିତରେ ତିିନି ତିନି ଥର ମତଦାନ କରିଥିବା ବିଜେପୁର ବାସୀ ନୂଆ ବିଧାୟକ ବାଛିସାରିଛନ୍ତି । ବିଜେପୁରବାସୀଙ୍କ ନିଷ୍ପତି ଇଭିଏମରେ ସିଲ୍ ହୋଇସାରିଥିବା ବେଳେ ଆସନ୍ତା ୨୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏବଂ ସେଦିନ ସ୍ପଷ୍ଟ ହୋଇଯିବ, ବିଜେପୁରରେ ବାଜି ମାରିଲା କିଏ । ରିତା ସାହୁ, ସନତ ଗଡତିଆ ନା ଦିଲ୍ଲୀପ ପଣ୍ଡା । ତେବେ ତିନି ଦଳର ଦମ୍ଭୋକ୍ତି, ବିଜେପୁରରେ ବିଜୟୀ ହେବେ ।

ସମସ୍ତ ରାଜନୈତିକ ଦଳ ଗୁଡିକର ଦମ୍ଭୋକ୍ତି ଭିତରେ ବଡ ପ୍ରଶ୍ନ ଉଠୁଛି, କାହା ସପକ୍ଷରେ ଭୋଟ୍ ଦେଲା ବିଜେପୁର ? ନବୀନ, ଧର୍ମେନ୍ଦ୍ର ନା’ ନିରଞ୍ଜନ ? ମତଦାନ କେନ୍ଦ୍ରରେ ଲମ୍ବିଥିବା ଲମ୍ବା ଲାଇନ ଏବଂ ଇଭିଏମରେ ପଡିଥିବା ଭୋଟ୍, ନିର୍ଣ୍ଣୟ କରିବ ବିଜେପୁରର ପରବର୍ତୀ ବିଧାୟକ ହେବ କିଏ ? ରୀତା ସାହୁ, ସନତ ଗଡ଼ତିଆ ଏବଂ ଦିଲ୍ଲୀପ ପଣ୍ଡା, ମୁକାବିଲାର ମୈଦାନରେ ତିନି ପ୍ରମୁଖ ଦଳର ଚେହେରା । କିନ୍ତୁ ପ୍ରଚ୍ଛଦପଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କାହା ସପକ୍ଷରେ ଭୋଟ୍ ଦେଲା ବିଜେପୁର ?

ପ୍ରାର୍ଥୀଙ୍କ ଦମ୍ଭୋକ୍ତି ଭିତରେ ପ୍ରାୟ ଦେଢ଼ବର୍ଷ ଭିତରେ ୩-୩ଟି ନିର୍ବାଚନ ଦେଖିସାରିଛି ବିଜେପୁର । ଆଉ ଏହାରି ଭିତରେ ବିଜେପୁର ମନ ପରିବର୍ତନ କରିଛି ନା’ ମନୋବଳ ଦୃଢ଼ ରଖିଛି, ତାହା ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ, ଯେତେବେଳେ ଉପ-ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ । ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ୨ଲକ୍ଷ ୩୨ ହଜାର ଭୋଟର । ଆଉ ଏବେ ଇଭିଏମରେ ସିଲ୍ ହୋଇ ରହିଛି ଆଶା-ଆଶଙ୍କାର ଚୁଡ଼ାନ୍ତ ପରିଣାମ । ଆଉ ଯେତେବେଳେ ଇଭିଏମ୍ ଖୋଲିବ ବିଜେପୁର ବାଜିର ବାଦଶାହା କିଏ, ତାହା ସ୍ପଷ୍ଟ ହୋଇଯିବ ।

ଏପଟେ ଅତି ବ୍ୟବସ୍ଥିତ ଭାବରେ ନିର୍ବାଚନ ପ୍ରକ୍ରିୟାକୁ ଶେଷ କରିଛି ପ୍ରଶାସନ । ଦିବ୍ୟାଙ୍ଗମାନଙ୍କ ପାଇଁ ଗାଡ଼ି, ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମଡ଼େଲ ବୁଥ, ସମ୍ବେଦନଶୀଳ ବୁଥ ଉପରେ କଡ଼ା ନଜର ଏବଂ ମାଓ ପ୍ରଭାବିତ ବୁଥ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ । ଆଉ ଏବେ ଅପେକ୍ଷା ବିଜେପୁର ଫଳାଫଳକୁ । ଆଉ ଫଳାଫଳ ହିଁ ସ୍ପଷ୍ଟ କରିବ, ବିଜେପୁରରେ ବିଜେଡିର ଶଙ୍ଖ ବାଜିବ ? ବିଜେପିର ପଦ୍ମଫୁଟିବ ? ନା’ କଂଗ୍ରେସର ହାତ ଆସିବ ?