ଦିଲ୍ଲୀରେ ଗେହଲଟ୍, ପାଇଲଟ୍ ! ଆଜି ଘୋଷଣା ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ।

133

କନକ ବ୍ୟୁରୋ : ରାଜସ୍ଥାନରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏପରି ସ୍ଥିତି ଯୋଗୁଁ କଂଗ୍ରେସ ହାଇକମାଣ୍ଡ ୨ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ଏବଂ ଉଭୟ ସଚିନ ଏବଂ ଅଶୋକ ଦିଲ୍ଲୀ ପହଞ୍ଚିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେମାନେ ସାକ୍ଷାତ କରିବେ ।

ରାଜସ୍ଥାନରେ ଅଭିଜ୍ଞ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାର ନିଷ୍ପତି ହାଇକମାଣ୍ଡ ନେବେ ବୋଲି ନିଷ୍ପତି ନିଆଯାଇଛି । ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । କାଲି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାୟକମାନେ ସେମାନଙ୍କର ନେତା ଚୟନ କରି ଲିଖିତ ରାୟ ପ୍ରଦାନ କରିଛନ୍ତି ।

ତେବେ କଂଗ୍ରେସ ବିଧାୟକ ଦଳ ବୈଠକରେ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ନେବେ ବୋଲି ଏକ ଧାଡିକିଆ ପ୍ରସ୍ତାବ ଆଣିଥିଲେ ଅଶୋକ ଗେହଲୋତ । ହାଇକମାଣ୍ଡ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ଜଣାପଡିଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଆଜି ଘୋଷଣା ହେବାର ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ସମ୍ପର୍କରେ ଘୋଷଣା କରିବାକୁ  ସଂପକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।