ଭୁବନେଶ୍ୱରରେ ହୋଇପାରେ ଆଇଏଏସ୍ ବନାମ ଆଇପିଏସ୍ ଲଢ଼େଇ? ବିଜେପିରୁ ଅପରାଜିତା ଓ ବିଜେଡିରୁ ଅରୂପଙ୍କ ନାଁ ଚର୍ଚ୍ଚାରେ ।

584

କନକ ବ୍ୟୁରୋ : ଭୁବନେଶ୍ୱରରେ ହେବ କି ଆଇଏଏସ୍ ବନାମ ଆଇପିଏସ ଲଢେଇ । ଏଭଳି ଏକ ରାଜନୈତିକ ସମ୍ଭାବନାକୁ ନେଇ ଚର୍ଚା ହେଉଛି । ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ୍ଅଫିସର ଅପରାଜିତା ଷଡଙ୍ଗୀ, ପୁରା ଦମରେ ବୁଲି ବୁଲି ପ୍ରଚାର କରୁଛନ୍ତି । ଆଉ ଏପଟେ ବିଜେଡି କାହାକୁ ମୈଦାନକୁ ଆଣିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ମୁମ୍ବାଇରେ ପୋଲିସ କମିଶନର ଥିବା ଅରୁପ ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚା ହେଉଛି । ଯଦି ଏଭଳି ହୁଏ, ତେବେ ରାଜଧାନୀରେ ଆଇଏଏସ୍ ବନାମ ଆଇପିଏସ ଲଢେଇ ଦେଖିବାକୁ ମିଳିବ ।

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଭୁବନେଶ୍ୱରରେ ପ୍ରଚାରର ମାହୋଲ । ଜନ ସଂପର୍କ ପଦଯାତ୍ରା ଜରିଆରେ ଲୋକଙ୍କ ପାଖରେ ପହଂଚୁଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ଆଇଏଏସ୍ ଚାକିରି ଛାଡି ରାଜନୀତିରେ ଯୋଗ ଦେବା ଦିନଠାରୁ ପ୍ରାୟ ପ୍ରତିଦିନ ଗଳି-ଗଳି ଏବଂ ୱାର୍ଡ-ୱାର୍ଡ ବୁଲି ଲୋକଙ୍କ ସହ ଯୋଗ ସୁତ୍ର ରଖୁଛନ୍ତି ଏହି ପୂର୍ବତନ ପ୍ରଶାସିକା ଏହି ଜନ ସଂପର୍କ ଭିତରେ ଅପରାଜିତା କହିଛନ୍ତି- ବିଜେପିରେ ଯୋଗ ଦେବାର ୫୦ ଦିନ ଭିତରେ ୪୫ଟି ଗାଁ ଏବଂ ଭୁବନେଶ୍ୱରର ୧୭ଟି ୱାର୍ଡ ବୁଲି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଚର୍ଚ୍ଚା ହେଉଛି-ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିପାରନ୍ତି । ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧ କୌଣସି ସୂଚନା ଦିଆଯାଇନଥିଲେ ବି ଭୁବନେଶ୍ୱର ପାଇଁ ଅପରାଜିତା ଦଳର ପ୍ରଥମ ପସନ୍ଦ ବୋଲି କୁହାଯାଉଛି । ଏପଟେ ଅପରାଜିତାଙ୍କୁ ମୁକାବିଲା କରିବା ପାଇଁ ବିଜେଡି ମଧ୍ୟ ଭୁବନେଶ୍ୱରରେ ସେଭଳି ଜଣେ ନେତାଙ୍କୁ ମୈଦାନକୁ ଓହ୍ଲାଇପାରେ । ଚର୍ଚ୍ଚା ହେଉଛି ଆଇଏଏସଙ୍କ ବିପକ୍ଷରେ ଜଣେ ଆଇପିଏସଙ୍କୁ ମୈଦାନକୁ ଓହ୍ଲାଇବ ବିଜେଡି । ଆଉ ଏହି ଚର୍ଚ୍ଚାର ଶୀର୍ଷରେ ଅଛନ୍ତି-ପୂର୍ବତନ ମୁମ୍ବାଇ ପୁଲିସ୍ କମିଶନର ତଥା ବିଜେଡି ନେତା ଅରୁପ ପଟ୍ଟନାୟକ ।
ରାଜନୀତିର ଏହି ଆକଳନ ଏବଂ ଅନୁମାନ ଭିତରେ କିନ୍ତୁ ଓଡ଼ିଶାକୁ ଦଖଲ କରିବା ପାଇଁ ଛୁଟୁଛି ବିଜେପିର ଜାତୀୟସ୍ତରୀୟ ନେତାଙ୍କ ସୁଅ । ମୋଦିଙ୍କ ଲଗାତର ଗସ୍ତ ପରେ,
-ଆସନ୍ତା ୧୪ ତାରିଖ ଟିଟିଲାଗଡ଼ ଏବଂ ରାଉରକେଲା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ
-ଆସନ୍ତା ୧୫ ତାରିଖ ସମ୍ବଲପୁର, ବରଗଡ଼, ଢ଼େଙ୍କାନାଳ, ସୁନ୍ଦରଗଡ଼ରେ ବୁଥସ୍ତରୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
-ଆସନ୍ତା ୧୭ ତାରିଖ ଭଦ୍ରକ ଆସୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂ
-ଆସନ୍ତା ୨୦ ତାରିଖ ଭବାନୀପାଟଣା ଏବଂ ଖୋର୍ଦ୍ଧାରେ ଜନସଭା କରିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ
ବିଜେପି ନେତାଙ୍କ ଏହି ଘନଘନ ଗସ୍ତ ଏବଂ କ୍ଷମତାକୁ ଫେରିବା ନେଇ ବିଜେଡିର ଦମ୍ଭୋକ୍ତି ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୧୯ ଲଢ଼େଇ ଜୋରଦାର ହେବାକୁ ଯାଉଛି ।