ଖେଳାଳି ବିକ୍ରି ହୋଇଗଲେ , ହେଲେ କିଏ ହେବ ମଙ୍ଗୁଆଳ ? ଆପଣ ବାଛନ୍ତୁ ଆପଣଙ୍କ ପ୍ରିୟ ଟିମର କ୍ୟାପଟେନ

182

ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ୧୧ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଶେଷ ହୋଇଛି । ପ୍ରତି ଫ୍ରାଞ୍ଚାଇଜ ନିଜ ପସନ୍ଦର ଖେଳାଳିଙ୍କୁ ବଜେଟ ଅନୁଯାୟୀ କିଣି ନେଇଛନ୍ତି । ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକସ ୧୨.୫୦ କୋଟି ଟଙ୍କାରେ ବିକ୍ରି ହେବା ସହ ଚଳିତ ସିଜିନର ସବୁଠାରୁ ଦାମୀ ଖେଳାଳି ପାଲଟି ଯାଇଛନ୍ତି । ପ୍ରତି ଦଳରେ ରହିଛନ୍ତି ପ୍ରତିଭାସମ୍ପନ୍ନ ଅର୍ନ୍ତଜାତୀୟ ଖେଳାଳି । ତେବେ ନିଲାମୀ ସରିବା ପରେ ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କେଉଁ ଦଳର ମଙ୍ଗ କିଏ ସମ୍ଭାଳିବ । ଏନେଇ ଏବେଠୁ ପ୍ରତି ଫ୍ରାଞ୍ଚାଇଜ ଆରମ୍ଭ କଲେଣି କସରତ । ଏ ସବୁ ଭିତରେ ଆସନ୍ତୁ ଜାଣିବା କେଉଁ ଖେଳାଳି ଧରିବେ କେଉଁ ଦଳର ମଙ୍ଗ ।

ms-dhoni_0ee9e22e-fe82-11e7-b4bc-5499dc23e9cfଚେନ୍ନାଇ ସୁପର କିଙ୍ଗସ : ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହିଁ ପୁର୍ନବାର ଚେନ୍ନାଇ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବେ । ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ଟିମ ଧୋନିଙ୍କୁ ପାଇଁ ବେଶ ଉତ୍ସାହିତ ଅଛି । ଏହାବାଦ୍ ଚେନ୍ନାଇ ଦଳ ପାଇଁ ଧୋନି ପ୍ରଥମ ୮ଟି ସିଜିନରେ ମଧ୍ୟ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ଧୋନିଙ୍କ ନେତୃତ୍ୱରେ ହିଁ ଚେନ୍ନାଇ ଦୁଇଥର ଆଇପିଏଲ ଚାମ୍ପିୟନ ମଧ୍ୟ ହୋଇଛି ।

କୋଲକାତା ନାଇଟରାଇଡର୍ସ : ଚଳିତବର୍ଷ କୋଲକାତା ଟିମ ଗୌତମ ଗମ୍ଭୀରଙ୍କୁ ରିଟେନ ନ କରି ନିଲାମୀ ପାଇଁ ଛାଡିଥିଲା । ତେବେ ନିଲାମୀରେ ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାର ଡେଭିଲିସ କିଣିଛି । ଏହାସହ ପୁଣିଥରେ ନିଜ ହୋମ ଟିମକୁ ଫେରିଛନ୍ତି ଗମ୍ଭୀର । ଦିଲ୍ଲୀ ଟିମକୁ ଗମ୍ଭୀର ଫେରିବା ପରେ କୋଲକାତାର ଅଧିନାୟକ ପଦ ଫାଙ୍କା ପଡିଛି । କାରଣ ଗମ୍ଭୀର ହିଁ କୋଲାକାତା ଦଳର ନେତୃତ୍ୱ ନେଇ ଏହାକୁ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଚଳିତ ସିଜିନରେ କୋଲକାତା ଦଳ ପାଖରେ କୌଣସି ଅନୁଭବୀ ପ୍ଲେୟାର ନାହାନ୍ତି । ତେଣୁ ନିଲାମୀ ପରେ ଦଳରେ ସାମିଲ ହୋଇଥିବା ଦିନେଶ କାର୍ତ୍ତିକ , ସୁନୀଲ ନାରାୟଣ, ଓ ରବିନ ଉଥପ୍ପାଙ୍କ ମଧ୍ୟରୁ ଜଣକୁ ଦଳର ମଙ୍ଗୁଆଳ କରିପାରେ କେକେଆର । ଏହାବାଦ ଚଳିତ ସିଜିନରେ କେକେଆର ଟିମରେ ବିନୟ କୁମାର ମଧ୍ୟ ସାମିଲ ହୋଇଛନ୍ତି ତେଣୁ ତାଙ୍କୁ ମଧ୍ୟ କ୍ୟାପଟେନ କରିବା କଥା ଚିନ୍ତା କରିପାରେ ଦଳ । କାରଣ ଘରୋଇ କ୍ରିକେଟରେ ଅଧିନାୟକ ଭାବେ ବିନୟ କୁମାରଙ୍କର ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଅନୁଭବ ରହିଛି ।

କିଙ୍ଗସ ଇଲେଭେନ ପଞ୍ଜାବ : ପ୍ରୀତି ଜିଣ୍ଟାଙ୍କ ମାଲିକାନାରେ ଥିବା କିଙ୍ଗସ ଇଲେଭେନ ପଞ୍ଜାବ ଚଳିତ ନିଲାମୀରେ ବଡ ବଡ ନାଁକୁ ନିଜ ଦଳରେ ସାମିଲ କରିଛି । ଯୁବରାଜ ସିଂହ, କ୍ରିସ ଗେଲ, ଡେଭିଡ ମିଲର, ଆର ଅଶ୍ୱିନଙ୍କ ଭଳି ଖେଳାଳି ଚଳିତ ସିଜିନରେ ପଞ୍ଜାବ ପକ୍ଷରୁ ଖେଳିବେ । ତେବେ ଏହି ଧୁରନ୍ଧରଙ୍କ ମଧ୍ୟରୁ ଜଣକୁ ଅଧିନାୟକ କରିବା ପାଇଁ ଚିନ୍ତା କରୁଛି ଫ୍ରାଞ୍ଚାଇଜ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ହିଁ ଆରସିବି ଦଳର ମଙ୍ଗ ଧରିବେ । ଏହା ଏକରକମ ସ୍ଥିର ହୋଇସାରିଛି । ଆରସିବି ଦଳ ଚଳିତ ସିଜିନ ପାଇଁ ବିରାଟ କୋହଲିଙ୍କ ସମେତ ତିନି ଜଣ ଖେଳାଳିଙ୍କୁ ରିଟେନ କରିଥିଲା । ଡି ଭିଲିୟର୍ସ ଓ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଭଳି ଖେଳାଳିଙ୍କୁ ନେଇ ଆରସିବି ବେଶ ଶକ୍ତିଶାଳୀ । ତେବେ ଏସବୁ ଭିତରେ ବିରାଟ କୋହଲି ହିଁ ବାଙ୍ଗାଲୋର ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ଏହା ପ୍ରାୟତଃ ସ୍ଥିର ହୋଇସାରିଛି ।

ଦିଲ୍ଲୀ ଡେୟାରଡେଭିଲିସ : ଚଳିତ ନିଲାମୀ ପ୍ରକିୟା ଶେଷ ହେବା ପରେ ନିଜ ହୋମ ଟିମକୁ ଫେରିଛନ୍ତି ଗୌତମ ଗମ୍ଭୀର । କୋଲକାତା ଟିମର ଅଧିନାୟକ ଦାୟିତ୍ୱ ତୁଲାଉଥିବା ଗମ୍ଭୀରଙ୍କୁ ଚଳିତ ବର୍ଷ ଦିଲ୍ଳୀ ପକ୍ଷରୁ ଅଧିନାୟକ ଭାବେ ଦେଖିବାକୁ ମିଳିବ । ଏନେଇ ଦିଲ୍ଲୀ ଟିମର ମେଣ୍ଟର ରିକି ପଣ୍ଟିଂ ମଧ୍ୟ ଇଙ୍ଗିତ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ : ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ହିଟ ମ୍ୟାନ ରୋହିତ ଶର୍ମାଙ୍କ ହାତରେ ରହିବ । ପୂର୍ବରୁ ରୋହିତଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ମଧ୍ୟ କରିଛି । ତିନିଥର ଆଇପିଏଲ ଚାମ୍ପିୟନ ହୋଇଥିବା ମୁମ୍ବାଇ ଗତ ସିଜିନରେ ମଧ୍ୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା । ତେବେ ହରଭଜନଙ୍କୁ ଚେନ୍ନାଇ ଟିମ କିଣି ନେବା ପରେ ରୋହିତ ଶର୍ମାଙ୍କ ପାଇଁ ବାଟ ଫିଟିଛି ।

ସନରାଇଜର୍ସ ହାଇଦ୍ରାବାଦ : ଅଧିନାୟକ ପଦ ନେଇ ହାଇଦ୍ରାବାଦକୁ ବେଶି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ଦଳରେ ଡେଭିଡ ୱାନରଙ୍କ ଭଳି ଟି-୨୦ ସ୍ପେଶାଲିଷ୍ଟ ସ୍ଥାନ ପାଇଛନ୍ତି । ତେଣୁ ଡେଭିଡ ୱାନର ହିଁ ହାଇଦ୍ରାବାଦ ଟିମର ଅଧିନାୟକ ଭାର ସମ୍ଭାଳିବେ । କାରଣ ୱାନରଙ୍କ ନେତୃତ୍ୱରେ ହାଇଦ୍ରାବାଦ ପୂର୍ବରୁ ଆଇପିଏଲ ଚାମ୍ପିୟନ ହୋଇ ସାରିଛି ।

ରାଜସ୍ଥାନ ରୟାଲ୍ସ : ଦୁଇ ବର୍ଷ ନିଲମ୍ବନ ପରେ ଆଇପିଏଲକୁ ଫେରିଛି ରାଜସ୍ଥାନ ରୟାଲ୍ସ । ଚଳିତ ସିଜନରେ ରାଜସ୍ଥାନ ଟିମରେ ଅଧିକାଂଶ ନୂଆ ମୁହଁ ସ୍ଥାନ ପାଇଛନ୍ତି । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ଆଜିଙ୍କ୍ୟ ରାହାଣେ, ଷ୍ଟିଭ ସ୍ମିଥ, ବେନ ଷ୍ଟୋକସ, ସଞ୍ଜୁ ସାମସନଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ଚଳିତବର୍ଷ ଆଇପିଏଲ ଟିମରେ ସ୍ଥାନ ପାଇଛନ୍ତି । ତେବେ ପୂର୍ବରୁ ପୁଣେ ଟିମର ଅଧିନାୟକ ଦାୟିତ୍ୱ ତୁଲାଇଥିବା ଷ୍ଟିଭ ସ୍ମିଥ ହିଁ ରାଜସ୍ଥାନ ଦଳର ନେତୃତ୍ୱ ନେବେ ବୋଲି ଜଣାପଡିଛି ।