ନିର୍ଭୟାଙ୍କ ମା’ଙ୍କୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ’ଙ୍କ ପରାମର୍ଶ । କହିଲେ, ସୋନିଆ ଗାନ୍ଧୀଙ୍କ ପରି ଦୋଷୀଙ୍କୁ ଦିଅନ୍ତୁ କ୍ଷମା, କ୍ଷୋଭ ପ୍ରକାଶ କଲେ ଆଶାଦେବୀ ।

502

କନକ ବ୍ୟୁରୋ : ନିର୍ଭୟା ଗଣଦୁର୍ଷ୍କମ ଦୋଷୀଙ୍କୁ ଫେବୃଆରୀ ୧ତାରିଖରେ ଫାଶୀ ଦେବା ପାଇଁ ଡେଥ ୱାରେଂଟ ବାହାରିବା ଭିତରେ ବିବାଦୀୟ ବୟାନ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ । ସୋନିଆ ଗାନ୍ଧୀଙ୍କ ଉଦାହରଣ ଦେଇ ଦୋଷୀଙ୍କୁ ନିର୍ଭୟାଙ୍କ ମା କ୍ଷମା କରିଦେବା ଉଚିତ ବୋଲି କହିଛନ୍ତି । ଏହାସହ ତାଙ୍କୁ ଫାଶୀ ଦିଆଯିବାକୁ ବିରୋଧ କରିଛନ୍ତି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମାଆ । ସେ କିଏ ପରାମର୍ଶ ଦେବା ପାଇଁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଆଶାଦେବୀ । ଏହାସହ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେବାକୁ ନେଇ ସେ ବିଜେପି ଓ ଆପକୁ ଟାର୍ଗେଟ କରିଛନ୍ତି ।

ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ପରାମର୍ଶକୁ ନେଇ କ୍ଷୁବ୍ଧ ହେଲେ ନିର୍ଭୟାଙ୍କ ମାଆ ଆଶା ଦେବୀ । ସୋନିଆ ଗାନ୍ଧୀ ଯେପରି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇଥିଲେ ସେହିପରି ନିର୍ଭୟା ଦୋଷୀଙ୍କୁ ମଧ୍ୟ ତାଙ୍କ ମାଆ କ୍ଷମା କରିଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ମର୍ମାହତ ହୋଇଛନ୍ତି ନିର୍ଭୟାଙ୍କ ମାଆ ।

ଇନ୍ଦିରା ଜୟସିଂ ଟ୍ୱିଟ କରି ଲେଖିଛନ୍ତି ଯେ, ଆଶା ଦେବୀଙ୍କ ଦୁଃଖ ଓ ଯନ୍ତ୍ରଣାକୁ ମୁଁ ବୁଝିପାରୁଛି । କିନ୍ତୁ ସେ ସୋନିଆ ଗାନ୍ଧୀଙ୍କ ଉଦାହରଣକୁ ଅନୁସରଣ କରିବା ଉଚିତ, ଯେଉଁଥିରେ ସେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀଙ୍କୁ କ୍ଷମା କରିବା ସହ ମୃତ୍ୟୁଦଣ୍ଡ ଚାହୁଁନାହାନ୍ତି ବୋଲି କହିଥିଲେ । ଆମେ ସମସ୍ତେ ତୁମ ସାଥିରେ ଅଛୁ କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ । ଇନ୍ଦିରା ଜୟସିଂଙ୍କ ଏହି ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ନିର୍ଭୟାଙ୍କ ମାଆ କହିଛନ୍ତି ଯେ ସେ କିଏ ତାଙ୍କୁ ପରାମର୍ଶ ଦେବାପାଇଁ ।

ସେପଟେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେବାକୁ ନେଇ ବିଜେପି ଓ ଆପକୁ ଟାର୍ଗେଟ କରିଛନ୍ତି ଆଶା ଦେବୀ । ୨୦୧୨ରେ ନିର୍ଭୟା ମାମଲା ସମୟରେ ଯେଉଁମାନେ କଳା ପଟି ବାନ୍ଧି ରାସ୍ତାକୁ ଓହ୍ଳାଇଥିଲେ ଏବେ ସେମାନଙ୍କ ତାଙ୍କ ଝିଅଙ୍କ ମୃତ୍ୟୁ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିର୍ଭୟାଙ୍କ ମାଆ । ଏହାପୂର୍ବରୁ ଏହି ମାମଲାରେ ଆପ୍ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି ।

ନ୍ୟାୟିକ ପ୍ରକ୍ରିୟା ଭିତରେ ନିର୍ଭୟା ମାମଲା ଏଭଳି ଫଶି ଯାଇଛି ଯେ, ଗଡି ଚାଲିଛି ଫାଶୀ । ଗତ ଜାନୁଆରୀ ୭ ତାରିଖରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ, ସମସ୍ତ ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଂଟ ଜାରି କରିଥିଲେ । ଅର୍ଥାତ ଫାଶୀରେ ଝୁଲିବା ପାଇଁ ଆରମ୍ଭ ହୋଇଯାଇଥିଲା କାଉଂଟ ଡାଉନ୍ । ଅନୁମାନ କରାଯାଉଥିଲା, ଜାନୁଆରୀ ୨୨ ତାରିଖରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଖୁଂଟରେ ଝୁଲିପାରନ୍ତି ନିର୍ଭୟା ଦୋଷୀ । ହେଲେ ଦୋଷୀମାନଙ୍କ ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହୋଇଯାଇଥିଲେ ବି ସମ୍ଭବ ହେଉନାହିଁ ଫାଶୀରେ ଝୁଲାଇବା । କାରଣ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ଫାଶୀ ତାରିଖକୁ ଗଡାଇବାରେ ସମର୍ଥ ହୋଇଛନ୍ତି ୪ ଜହ୍ଲାଦ ।