ଦ୍ୱିତୀୟ ପର୍ଯ୍ୟାୟରେ କାହାକୁ ମିଳିବ କେତେ ଆସନ? ଭୋଟଗଣତି ପରେ ହିସାବ ଦେଲେ ନେତା?

403

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ । ଆଉ ଏହାସହ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଯାହା ଆସନ୍ତା ମେ ୨୩ରେ ଖୋଲିବ । ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଦଳୀୟ ନେତାଙ୍କ ହିସାବ କିତାବ ଆରମ୍ଭ ହୋଇଛି । ନିଜ ଦଳର ପ୍ରଦର୍ଶନକୁ ନେଇ ଗଣମାଧ୍ୟମ ଆଗରେ ବଡ ବୟାନ ରଖିଛନ୍ତି ଉଭୟ ବିଜେଡି ଓ ବିଜେପିର ନେତା । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଆସନ ଗୁଡିକରେ ଭୋଟିଂ କରାଯାଇଛି ତାହାର ଫଳାଫଳ ନେଇ ପୂର୍ବାନୁମାନ କରିଛନ୍ତି ଉଭୟ ପ୍ରଦୀପ ଓ ପ୍ରସନ୍ନ । ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ଦଳକୁ କେତେ ଆସନ ମିଳିବ ତାହାର ହିସାବ ଦେଇଛନ୍ତି ଏହି ଦୁଇ ନେତା ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ୫ଟି ଲେଖାଏଁ ଆସନରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଖାସକରି ଏହି ପର୍ଯ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିବା ବେଳେ କିଏ ବାଜି ମାରିବ ତାହା ମେ ୨୩ରେ ସ୍ପଷ୍ଟ ହେବ ।

ସେହିଭଳି ଏହି ପର୍ଯ୍ୟାୟରେ ୩୫ଟି ବିଧାନସଭା ପାଇଁ ମତଦାନ ହୋଇଥିବା ବେଳେ ଉଭୟ ବିଜେପି ଓ ବିଜେଡି ନିଜର ହିସାବ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ବିଜେପି ୩୫ଟି ଆସନରୁ ୩୦ଟିରେ ବିଜୟୀ ହେବ ବୋଲି ପ୍ରଦୀପ ପୁରୋହିତ ଦମ୍ଭ ଦେଖାଉଥିବା ବେଳେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଏପରିକି ରାଜ୍ୟରେ ଏବେ ନବୀନଙ୍କ ହାୱା ଚାଲିଛି ଓ ବିଜେପି ଦିବା ସ୍ୱପ୍ନ ଦେଖୁଛି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ତେବେ ଉଭୟଙ୍କ ନେତାଙ୍କ କଥା କେତେ ଦୂର ଫଳାଫଳରେ ପ୍ରମାଣିତ ହେଉଛି ତାହା ମେ ୨୩ରେ ସାମ୍ନାକୁ ଆସିବ ।