ଆଶା-ନିରାଶାର ‘ବିଜେପୁର’: ଯିଏ ବିଶ୍ୱାସ ଜିତିବ, ସିଏ ବିଜୟୀ ହେବ । ତିନି ଦଳରୁ କାହାକୁ ତଥାସ୍ତୁ କରିବେ ବିଜେପୁରବାସୀ ?

377

କନକ ବ୍ୟୁରୋ: କିଏ ଜିତିବ ବିଜେପୁର ବାଜି ? କିଏ ହେବ ବିଜେପୁର ବାଦସାହା? ୨୪ରେ ବିଜେପୁର ନୂଆ ବିଧାୟକ ପାଇବାକୁ ଥିବା ବେଳେ ଆଜି ଚାଲିଛି ବିଜେପୁର ପାଇଁ ବଡ ପରୀକ୍ଷା । ଗଡ ଦଖଲ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ବେଳେ ଆଜି ନେତାଙ୍କ ଭାଗ୍ୟ ଇଭିଏମରେ କଏଦ କରୁଛନ୍ତି ଜନତା । ତେବେ ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ମତାମତ ଦେଇଛନ୍ତି ଦଳୀୟ ନେତା ।

ବିଜେପୁରରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ପୂର୍ବରୁ ବିଜେଡି ବାରମ୍ବାର ଦମ୍ଭୋକ୍ତି ଦେଖାଇ ଆସିଥିବା ବେଳେ ଆଜି ପୁଣି ଦମ୍ଭ ଦେଖାଇଛନ୍ତି ବିଜେଡି ନେତା ସମୀର ଦାଶ । ବିଜେପୁରରେ ଆମେ ଭଲ କରିବୁ । ଲୋକେ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଜେପୁରରେ ଆମେ ବହୁତ ପରିଶ୍ରମ କରିଛୁ ତେଣୁ ଆମେ ନିଶ୍ଚୟ ଜିତିବୁ ବୋଲି ସମୀର କହିଛନ୍ତି । ତେବେ କେତେ ମାରଜିନରେ ଜିତିବୁ ବର୍ତ୍ତମାନ କହିହେବନି ମାତ୍ର ୨୦୧୮-୧୯ ଠାରୁ ଏଥର ଅଧିକ ଭୋଟରେ ଜିତିବୁ ବୋଲି ସମୀର ଆଶା ରଖିଛନ୍ତି ।

ସେପଟେ ବିଜେପୁର ନେଇ ନିରାଶ ଅଛି କଂଗ୍ରେସ । ବିଜେପୁର ପରୀକ୍ଷାରେ କଂଗ୍ରେସ ପାସ୍ ହୋଇପାରିବନି ବୋଲି ତାରା ସଂକେତ ଦେଇଛନ୍ତି । ବିଜେପୁରରେ ହାତର ସ୍ଥିତି ଭଲ ନଥିବା କଂଗ୍ରେସ ବିଧାୟକ ତାରା ବାହୀନିପତି କହିଥିବା ବେଳେ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢୁଥିବା ଦଳର ଭାଗ୍ୟ କଣ ହେବ ଭଗବାନ ଜାଣନ୍ତି ବୋଲି କହି ପରୋକ୍ଷରେ ପରାଜୟକୁ ସ୍ୱୀକାର କରିଛନ୍ତି ତାରା । ମାତ୍ର ହାରିବା କଥା କହୁଥିବା ସୁର ‘ବିବେକ’ ଭୋଟ କଥା ଉଠାଇ ବିଜେପୁର ବିଜୟ ପାଇଁ ଆଶାବାଦୀ ଅଛନ୍ତି ।

ବିଜେପି ମଧ୍ୟ ଗତଥର ପରାଜୟରୁ କିଛି ଶିକ୍ଷାକରି ଏଥର ଗଡ ଦଖଲ ପାଇଁ ଜଗିଛକି ଗୋଟି ଚାଳନା କରିଛି । ଯେଉଁଠି ଯେଉଁଠି ଦଳ ଦୁର୍ବଳ ସ୍ଥିତିରେ ଥିଲା ସେଠି ସବୁ ପ୍ରକାର ବଳ ଖଟାଇ ଏଥର ବିଜେପୁର ମାଟିରେ ପଦ୍ମ ଫୁଟାଇବ ବୋଲି ବିଜେପି ଆଶା ବାନ୍ଧି ବସିଛି । ତେଣୁ ଆଶା-ନିରାଶା ଭିତରେ ତିନି ଦଳ ଥିବା ବେଳେ ବିଜେପୁରବାସୀ କାହାକୁ ବିଜୟୀଭବଃ କହୁଛନ୍ତି ତାରି ଉପରେ ନଜର ।