ପାଇଲଟ ନା ଗେହଲଟ ! କାହା ମୁଣ୍ଡରେ ରାହୁଲ ବାନ୍ଧିବେ ମୁକୁଟ, ରାଜସ୍ଥାନରେ କିଏ କରିବ ରାଜ୍ ?

520

କନକ ବ୍ୟୁରୋ : ରାଜସ୍ଥାନର ମରୁଭୂମିରେ ଝାଉଁଳି ପଡିଲା ପଦ୍ମ, ୫ ବର୍ଷ ପରେ ପୁଣିଥରେ ହାତ ଟେକିଲା କଂଗ୍ରେସ । ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ, ରାଜସ୍ଥାନରେ ସରକାର ଗଢିବାକୁ କଂଗ୍ରେସ ଏକରକମ ପ୍ରସ୍ତୁତ ହୋଇ ସାରିଲାଣି । ଟ୍ରେଣ୍ଡରେ ୧୦୪ ଆସନ ସହ ସରକାର ଗଢିବା ପଥରେ ଆଗେଇ ଚାଲିଛି କଂଗ୍ରେସ । କିନ୍ତୁ ଯଦି ମ୍ୟାଜିକ ନମ୍ବର ଠାରୁ ଦଳ କିଛି ଆସନରେ ଯଦି ପଛୁଆ ରୁହେ ତେବେ ମଧ୍ୟ ବିଏସପି ଓ ଏସପି ସମର୍ଥନରେ ଦଳ ସରକାର ଗଢିବ ବୋଲି ଦୃଢୋକ୍ତି ବାଢିଛି । ଏସବୁ ଭିତରେ ଯଦି କଂଗ୍ରେସ ରାଜସ୍ଥାନରେ ରାଜେଙ୍କ ରାଜକୁ ହଟାଇବାକୁ ସକ୍ଷମ ହୁଏ ତେବେ ଏଠାରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ଗୋଟିଏ ପଟେ କଂଗ୍ରେସର ଭେଟରାନ ନେତା ଅଶୋକ ଗେହଲଟ ଓ ଅନ୍ୟପଟେ କଂଗ୍ରେସର ଯୁବ ତଥା ଲୋକପ୍ରିୟ ଚେହେରା ସଚିନ ପାଇଲଟ । କଂଗ୍ରେସକୁ ନିର୍ବାଚନରେ ଯେତିକି କଷ୍ଟ କରିବାକୁ ପଡିନଥିଲା ଏବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସେତିକି କସରତ କରିବାକୁ ପଡିବ । ରାଜସ୍ଥାନରେ କାହା ମୁଣ୍ଡରେ ହାତୀ କଳସ ଢାଳିବ ତାହା ମଧ୍ୟ ଏବେ ସସପେନ୍ସରେ ରହିଛି । କିନ୍ତୁ ଏସବୁ ଆଲୋଚନା ମଧ୍ୟରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ମୁହଁ ଖୋଲିଛନ୍ତି ଦୁଇ ହେଭିୱେଟ ସଚିନ ପାଇଲଟ ଓ ଅଶୋକ ଗେହଲଟ । ଦଳୀୟ ବିଧାୟକ ଓ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ବାବଦରେ ନିଷ୍ପତି ନେବେ ବୋଲି ଉଭୟ ନେତା କହିଛନ୍ତି । ତଥାପି ଏହି ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଜାତୀୟ ସ୍ତରରେ ଜୋରଦାର ଚର୍ଚ୍ଚା ।

ସଚିନ ପାଇଲଟ୍ । ରାଜସ୍ଥାନର ଯୁବ ତଥା ରାହୁଲଙ୍କ ବେଶ ଖାସ୍ । କୁହାଯାଉଛି ରାଜସ୍ଥାନ ରାଜନୀତିରେ ଯେଉଁ ପରିବର୍ତ୍ତ ଦେଖାଦେଇଛି ତାହାର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ସଚିନ୍ । ରାଜ୍ୟରେ କଂଗ୍ରେସ ଯେଉଁ ସଫଳତା ପାଇଛି ତାହା ପଛର ମୁଖ୍ୟ ନାୟକ ହେଉଛନ୍ତି ରାହୁଲଙ୍କ ଏହି ଟାଣୁଆ ସିପାହୀ । ଯେଉଁଥିପାଇଁ ରାହୁଲ ତାଙ୍କୁ ଦଳର ସଭାପତି ଦାୟିତ୍ୱ ଦେଇଥିଲେ । ଆଉ ଏହି ଗୁରୁଦାୟିତ୍ୱକୁ ବେଶ ସଫଳତାର ସହ ସମ୍ପାଦନ କରିଛନ୍ତି ସଚିନ୍ । ଦୀର୍ଘ ୪ ବର୍ଷର କଠିନ ପରିଶ୍ରମ ଓ ବିଚକ୍ଷଣ ରାଜନୈତିକ ଗୋଟି ଚାଳନା ଯୋଗୁଁ ଖୁବ୍ କମ ଦିନ ମଧ୍ୟରେ କଂଗ୍ରେସକୁ ସଫଳତାର ଶିଖରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ସଚିନ୍ । ଯାହାର ଫଳ ଆଜି କଂଗ୍ରେସ ପାଇବାକୁ ଯାଉଛି । ତେଣୁ ଅଧିକାଂଶ କଂଗ୍ରେସ କର୍ମୀଙ୍କ ମତରେ ସଚିନ୍ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକଦାର । କିନ୍ତୁ ଏହି ଆସନ ପାଇବା ସଚିନଙ୍କ ପାଇଁ ଏତେ ସହଜ ନୁହେଁ । କାରଣ କଂଗ୍ରେସ ଶିବିରରେ ଭେଟରାନ ଅଶୋକ ଗେହଲଟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅଶୋକ ଗେହଲଟ । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଅନୁଭବୀ ନେତା । ଏହି ଭେଟରାନ ନେତାଙ୍କ ଶାସନ କରିବାର ଅନୁଭବ ହିଁ ତାଙ୍କୁ ମୁଖ୍ୟମନ୍ତ୍ରୀ ରେସରେ ଆଗୁଆ ରଖିଛି । କଂଗ୍ରେସ ଦଳ ମଧ୍ୟ ଏହି ବିଶ୍ୱାସୀ ଯୋଦ୍ଧାକୁ ରାଜସ୍ଥାନ ବିଜୟର ପୁରସ୍କାର ଦେବାରେ ଆଦୌ ପଛଘୁଞ୍ଚ । ଦେବ ନାହିଁ । ଏପରିକି ଦଳର ମଧ୍ୟ କିଛି ନେତା ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ଯାହା ରାହୁଲଙ୍କ ପାଇଁ ଅଡୁଆ ବଢାଇପାରେ ।

ତେବେ ଏଭଳି ସମୟରେ ଦୁଇଟି ସମୀକରଣ ସାମ୍ନାକୁ ଆସୁଛି । ଯଦି ରାଜସ୍ଥାନରେ କଂଗ୍ରେସ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନ ହାସଲ କରେ ତେବେ ମୁଖ୍ୟମନ୍ତ୍ରୀ ଭାବେ ଦଳର ପ୍ରଥମ ପସନ୍ଦ ଭାବେ ସାମ୍ନାକୁ ଆସିବ ସଚିନ୍ ପାଇଲଟଙ୍କ ନାଁ । କାରଣ ସଚିନଙ୍କ ନେତୃତ୍ୱରେ ହିଁ ଦଳକୁ ମିଳିଛି ଏହି ସଫଳତା । ତା’ଛଡା ଅଧିକାଂଶ ଯୁବ ତଥା ତୃଣମୂଳସ୍ତରର କର୍ମୀଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ସଚିନ୍ । କିନ୍ତୁ ଯଦି ରାଜସ୍ଥାନରେ ମ୍ୟାଜିକ ନମ୍ବର କିଛି ଆସନରେ କଂଗ୍ରେସ ପଛରେ ରୁହେ ଓ ଅନ୍ୟ ଦଳ ସମର୍ଥନରେ ସରକାର ଗଢେ ତେବେ ଏଭଳି ସ୍ଥିତିରେ ଗେହଲଟ ଦଳର ପ୍ରଥମ ପସନ୍ଦ ପାଲଟିପାରନ୍ତି । କାରଣ ଗେହଲଟଙ୍କର ପୂର୍ବରୁ ଶାସନ କରିବାର ଅଭିଜ୍ଞତା ଓ ଅନ୍ୟ ଦଳ ମାନଙ୍କୁ ସାଥୀରେ ନେଇଯିବା କଳା ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନର ପ୍ରମୁଖ ଦାବିଦାର ଭାବେ ସାମ୍ନାକୁ ଆଣିବ । ଗୋଟିଏ ପଟେ ଅଶୋକ ଓ ସଚିନ ନିର୍ବାଚନୀ ବୈତରଣୀ ପାର ହୋଇଥିବା ବେଳେ ଏବେ ରାହୁଲଙ୍କୁ ଦେବାକୁ ପଡିବ ବଡ ପରୀକ୍ଷା ।