ସୀମାରୁ ଆସିଲା ରୋଚକ ଚିତ୍ର: ସାଥୀ ଯବାନଙ୍କ ମୃତଦେହ ନେବା ପାଇଁ ହାତରେ ଧଳା ପତାକା ଧରି ହାଜିପୁରରେ ପଶିଲେ ପାକିସ୍ତାନୀ ରେଂଜର୍ସ

ଅସ୍ତ୍ରବିରତି ଉଂଲଘନର ଯବାବି ହମଲାରେ ପ୍ରାଣ ହରାଇଥିଲେ ୨ ପାକ ରେଂଜର୍ସ

2,556

କନକ ବ୍ୟୁରୋ: ସୀମାରୁ ଆସିଲା ରୋଚକ ଚିତ୍ର । ପ୍ରତିଦିନ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନର ଏ ହେଉଛି ଆଉ ଏକ ଅସଲ ଚିତ୍ର । ସାଥୀ ଯବାନଙ୍କ ମୃତଦେହ ନେବା ପାଇଁ ହାଜିପୁର ସେକ୍ଟରରେ ପ୍ରବେଶ କରିଛନ୍ତି ପାକ୍ ରେଞ୍ଜର୍ସ । ଆଉ ହାତର ରହିଛି ଧଳା ପତାକା । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପର ଠାରୁ ଅଶାନ୍ତ ରହିଛି ସୀମା । ନିକଟରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରି ଆସୁଛି । ଏହାରି ଭିତରେ ଭାରତୀୟ ସେନା ଗୁଳିରେ ଟଳିଥିଲେ ୨ ପାକ୍ ରେଞ୍ଜର୍ସ ।

ଗତ ୯ ଓ ୧୦ ତାରିଖରେ ଏହି ଘଟଣା ସୀମାରେ ଘଟିଥିଲା । ହେଲେ ସେହି ଦିନ ଠାରୁ ପଡି ରହିଥିଲା ପାକ୍ ସେନାର ଶବ । ଏହା ପରେ ପିଓକେ ନିକଟ ହାଜିପୁର ସେକ୍ଟରକୁ ପାକ୍ ସେନା ଧଳା ପତାକା ଦେଖାଇ ପ୍ରବେଶ କରିବା ସହ , ନିହତ ପାକ୍ ସେନା ଯବାନଙ୍କ ଶବକୁ ନେଇଛନ୍ତି । ଆପଣ ଦେଖୁଥିବା ଚିତ୍ରରେ ସ୍ପଷ୍ଟ ଭାବେ ଦେଖିବାକୁ ପାଇବେ ଗୋଟିଏ ପରେ ଗୋଟିଏ କରି ଦୁଇଟି ଶବକୁ କେମିତି ପାକ୍ ରେଞ୍ଜର୍ସ ଧଳା ପତାକା ଦେଖାଇ କେମିତି ନେଇଯାଉଛନ୍ତି ପାକ୍ ସୀମାକୁ । ପାହାଡ ନିକଟରେ ଏକ ଛୋଟିଆ ପଥର ପଛପଟେ ରହି ଭାରତୀୟ ସେନାକୁ ଗୁଳି କରୁଥିବା ବେଳେ, ଭାରତୀୟ ସେନାର ପାଲଟା ଜବାବରେ ଏହି ପାକ୍ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିଲା ।