କେଉଁ ଦଳକୁ ମିଳିଲା କେତେ ଭୋଟ? ୨୦୧୪ରେ କେତେ ଓ ୨୦୧୯ରେ କେତେ?

556

କନକ ବ୍ୟୁରୋ: ପୁଣିଥରେ ରାଜ୍ୟବାସୀଙ୍କ ଆସ୍ଥା ଜିତିଛି ବିଜେଡି । ପଞ୍ଚମଥର ପାଇଁ ସରକାର ଗଢିବ ବିଜେଡି । ୧୧୨ ଆସନ ସହ ବହମୁତ ହାସଲ କରିଛି ବିଜେଡି । ଦୀର୍ଘ ୧୯ ବର୍ଷ ପରେ ମଧ୍ୟ ରାଜ୍ୟରେ ବିଜେଡିର ଲୋକପ୍ରିୟତା ସେତେଟା କମିନି । ତେବେ ଦଳ ଯେତିକି ଭୋଟ ପାଉଥିଲା, ସେଥିରେ ଭାଗ ବସାଇଛି ବିଜେପି । ଲୋକସଭା ନିର୍ବାଚନ ୨୦୧୪ରେ ବିଜେଡିର ଭୋଟହାର ୪୪.୮ ଥିବା ବେଳେ ଏହା ୨୦୧୯ରେ ୪୨ ଦଶମିକ ୭୮କୁ ଖସି ଆସିଛି । ବିଜେଡିର ଭୋଟହାର ପ୍ରାୟ ୨ ପ୍ରତିଶତ କମି ଯାଇଛି । ଫଳରେ ୨୦୧୪ରେ ବିଜେଡିର ୨୦ଜଣ ସାଂସଦ ସଂସଦକୁ ଯାଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୨କୁ ଖସି ଆସିଛି । ବିଜେପି ସାଂସଦ ସଂଖ୍ୟା ୧ରୁ ୮କୁ ବୃଦ୍ଧି ହୋଇଛି ।

କେଉଁ ରାଜନୈତିକ ଦଳ ପ୍ରତି କେତେ ଜନସମର୍ଥନ ରହିଛି ତାହା ଏହି ଭୋଟ ପ୍ରତିଶତରୁ ହିଁ ଜଣାପଡେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଂଟ ୪୯ ଦଶମିକ ୦୫ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୪୦ ଦଶମିକ ୪୩ ପ୍ରତିଶତ ଭୋଟ୍ । ୨୦୦୯ରେ ବିଜେଡି ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଜେଡି ଏକାକି ନିର୍ବାଚନ ଲଢି ୩୭ ଦଶମିକ ୨୩ ପ୍ରତିଶତ ଜନସମର୍ଥନ ହାସଲ କରିଥିଲା । ସେତେବେଳେ କଂଗ୍ରେସକୁ ୩୨ ଦଶମିକ ୭୫ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଲୋକସଭାରେ ବିଜେପି ଖାତା ଖୋଲି ପାରିନଥିଲା । ୨୦୧୪ରେ ମଧ୍ୟ ବିଜେଡିର ଭୋଟ୍ହାର ବଢିଥିଲା । ହେଲେ ୨୦୧୯ରେ ବିଜୁ ଜନତା ଦଳ ହାତରୁ କିଛି ଆସନ ଖସି ଯାଇଛି । ଉଭୟ ଲୋକସଭା ଓ ବିଧାନସଭାରେ ଭୋଟ୍ ପ୍ରତିଶତ ମଧ୍ୟ କମିଛି ।

ବିଜୁ ଜନତା ଦଳ ୨୦୦୦ ମସିହାରୁ ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବେଳେ ଦଳ ପ୍ରତି ଜନତାଙ୍କ ସମର୍ଥନ ରହିଆସିଛି । ହେଲେ ଚଳିତ ନିର୍ବାଚନରେ କିଛି ପାରମ୍ପରିକ ଭୋଟରଙ୍କୁ ବିଜେପି ନିଜ ଆଡକୁ ଟାଣି ନେବାରେ ସଫଳ ହୋଇଛି । ୨୦୧୪ରେ ରାଜ୍ୟରେ ମାତ୍ର ୧୬ ଦଶମିକ ୪୯ ପ୍ରତିଶତ ଜନମତ ପାଇଥିବା ଗେରୁଆ ଦଳ ଏଥର ୩୮ ଦଶମିକ ୩୭ ପ୍ରତଶିତ ଭୋଟ୍ ହାତେଇବାରେ ସଫଳ ହୋଇଛି ।

ବିଜେଡି ହାତରୁ କିଛି ଆସନ ଖସିଯାଇଥିବା ବେଳେ କଂଗ୍ରେସ ଧରାଶାୟୀ ହୋଇଛି । କଂଗ୍ରେସ ନିକଟରେ ଥିବା ଆସନକୁ ଛଡ଼ାଇ ନେଇଛି ବିଜେଡି । ୨୦୧୪ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଛି । ଦଳର ଭୋଟହାର ୨୦୧୪ ଅପେକ୍ଷା ୧୨ ଦଶମିକ ୭୧ ପ୍ରତିଶତ କମି ଯାଇଛି । ୨୦୧୪ରେ ୨୮ ଦଶମିକ ୩୮ ପ୍ରତିଶତ ଜନ ସମର୍ଥନ ପାଇଥିବା କଂଗ୍ରେସ ୨୦୧୯ରେ ୧୩ ଦଶମିକ ୬୭ ପ୍ରତିଶତ ଭୋଟରେ ସୀମିତ ରହିଛି । ଯାହା କଂଗ୍ରେସର ପରାଜୟର କାରଣ ପାଲଟିଛି ।

ଚଳିତ ଲୋକସଭା ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ କମ ହୋଇଥିବା ବେଳେ ଭୋଟବ୍ୟାଙ୍କ୍ କିନ୍ତୁ ବଢିଛି । ୨୦୧୪ରେ ୯୮ ଲକ୍ଷ ୬୩ ହଜାର ୬୨୬ ଭୋଟ ପାଇଥିବା ବିଜେଡି ୨୦୧୯ରେ ୧ କୋଟି ୧ ଲକ୍ଷ ୪ ହଜାର ୧୩୭ ଭୋଟ ହାତେଇଛି । ବିଧାନସଭା ନିର୍ବାଚନରେ ଭୋଟ ହାର ସହ ଭୋଟବ୍ୟାଙ୍କ ମଧ୍ୟ ବଢିଛି । ୨୦୧୪ରେ ବିଜେଡି ବିଧାନସଭା ନିର୍ବାଚନରେ ୯୭ ଲକ୍ଷ ୬୩ ହଜାର ୨୪ଟି ଭୋଟ ହାତେଇଥିବା ବେଳେ ୨୦୧୯ରେ ୧ କୋଟି ୪ ଲକ୍ଷ ୮ ହଜାର ୨୩୮ଟି ଭୋଟ ପାଇଛି । ୨୦୧୪ ତୁଳନାରେ ୨୦୧୯ରେ କଂଗ୍ରେସକୁ ସବୁଠୁ ବଡ ଝଟକା ଲାଗିଛି । ୨୦୧୪ରେ ୫୮ ଲକ୍ଷ ୧୩ ହଜାର ୨୫୩ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ୩୭ ଲକ୍ଷ ୪୩ ହଜାର ୪୬୫ ଭୋଟ ପାଇ ତୃତୀୟ ସ୍ଥାନକୁ ଖସିଆସିଛି ।