ମୋଦିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ଘଣ୍ଟାକ ପୂର୍ବରୁ ଭୁବନେଶ୍ୱର ଆକାଶ ହେବ ନୋ ଫ୍ଲାଇଙ୍ଗ ଜୋନ

ଭୁବନେଶ୍ବର ଆକାଶ ହେବ ନୋ- ଫ୍ଲାଇଙ୍ଗ୍ ଜୋନ୍

174

କନକ ବ୍ୟୁରୋ : ଭୁବନେଶ୍ବର ଆକାଶ ହେବ ନୋ- ଫ୍ଲାଇଙ୍ଗ୍ ଜୋନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ କୌଣସି ଘରୋଇ ବିମାନକୁ ଭୁବନେଶ୍ବର ଓହ୍ଲାଇ ଦିଆଯିବ ନାହିଁ କିମ୍ବା ଏଠାରୁ କୌଣସି ବିମାନ ରାଜ୍ୟ ବାହାରକୁ ଯାଇପାରିବ ନାହିଁ। ସେହିପରି କେହି ବି ବିମାନବନ୍ଦର, ଜଟଣୀ ଅରଗୁଳ ଓ ଖୋର୍ଧାସ୍ଥଳ ପାଖାପାଖି ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ଏସ୍ପିଜି ପକ୍ଷରୁ ଏଭଳି କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆସିବାର ୪ ଘଣ୍ଟା ପୂର୍ବରୁ ଦିଲ୍ଲୀରୁ ଭୁବନେଶ୍ବର ସମେତ ପଡ଼ୋଶୀ ରାଜ୍ୟର ଆକାଶ ସୀମା ଉପରେ ବାୟୁସେନା ପକ୍ଷରୁ କଡ଼ା ନଜର ରଖାଯିବ। ଏ ନେଇ ବାୟୁସେନା ଓ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରୀତିମତ ଏସପିଜି ସହ ଯୋଗାଯୋଗ କରୁଛନ୍ତି।

 

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ବିମାନବନ୍ଦର, ଜଟଣୀ ଅରଗୁଳ, ଖୋର୍ଧାର ବରୁଣେଇରେ ୩ ଜଣ ଏସପିଜି ଆଇଜି ସୁରକ୍ଷା ଦାୟିତ୍ବରେ ରହିବେ। ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନରେ ମଧ୍ୟ ଜଣେ ଏସପିଜି ଆଇଜି ରହିବେ। ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ବାହ୍ୟ ସୁରକ୍ଷା ଦେବା ପାଇଁ କମିସନରେଟ୍ ପୁଲିସ ଛଡ଼ା ୨ କମ୍ପାନି ସଶସ୍ତ୍ର ସିଆରପିଏଫ୍, ୫ ୟୁନିଟ-ଏସ୍ଓଜି ଏବଂ ଓସାଫ ଯବାନ ପ୍ରସ୍ତୁତ ରହିବେ। ରାଜ୍ୟର ପାଖାପାଖି ୭ଜଣ ବଛାବଛା ଆଇପିଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ନ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ କାରକେଡ ରହିର୍ସାଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଡମି କାର ଓ କାରକେଡରେ ବିମାନବନ୍ଦରରୁ ବାହାରି ସିଧା ଜଟଣୀ ଅରଗୁଳକୁ ଯାଇଥିଲା।

 

କାରକେଡ୍ ଯିବା ରାସ୍ତାକୁ ୨୫ମିନିଟ ପୂର୍ବରୁ ନୋ-ମ୍ୟାନ୍ ଜୋନ୍ ଭାବେ ଘୋଷଣା କରାଯାଇ ପରୀକ୍ଷା କରାଯାଇଥିଲା। ଏଥିପାଇଁ ବିମାନବନ୍ଦରରରୁ ଜଟଣୀ ଅରଗୁଳ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗାଡ଼ିର ସବା ଆଗରେ ଆଡଭାନ୍ସ ପାଇଲଟ୍, ତା’ ପଛକକୁ ଟେକ୍ନିକାଲ୍ କାର୍(ଯେଉଁଥିରେ ଏସପିଜି, ଜାମର୍ ଓ ବମ୍ ଡିସପୋଜାଲ୍ ସ୍କ୍ବାଡ୍ ରହିବ), ଏହା ପରେ ପାଇଲଟ୍, ଭିଆଇପି, ଭିଭିଆଇପି କାର୍, ଏସକର୍ଟ-୧, ଏସକର୍ଟ-୨, ଏସକର୍ଟ-୩, ସ୍ପେୟାର କାର୍, ଏହା ପଛକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଗାଡ଼ି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ଥିଲା। ଆଜିର କାରକେଡ୍ ରିହଲସାଲରେ ପୁଲିସ ଡିଜି ଶ୍ରୀ ଶର୍ମା, ପୁଲିସ କମିସନର ସତ୍ୟଜିତ୍ ମହାନ୍ତି, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ଅନୁପ ସାହୁ, କେନ୍ଦ୍ର ଓ ରାଜ୍ୟର ଗୁଇନ୍ଦା ଅଧିକାରୀ, ଏସ୍ପିଜି ଟିମ୍ ପ୍ରମୁଖ ସାମିଲ ହୋଇଥିଲେ।