ପୁଅ, ଝିଅଙ୍କ ପାଇଁ ରାଜନୈତିକ ଅଭିଳାଶକୁ ବଳି ପକାଇ ଦେବେ କି ଦାମ ! ସମ୍ବିତ ଓ ପ୍ରିତୀନନ୍ଦାଙ୍କୁ ବିଜେଡି ଟିକେଟ୍ ଅଫର ନେଇ ଚର୍ଚ୍ଚା, କ’ଣ କରିବେ ଦାମ ?

525

କନକ ବ୍ୟୁରୋ : ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଶୁଣିବାକୁ ମିଳୁଛି ବିଜେପିରେ ମିଶ୍ରଣ ନେଇ ଆଜି ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥାନ୍ତେ ପାରାଦୀପ ବିଧାୟକ । ତେବେ ଶେଷ ମୁହୁର୍ତ୍ତରେ ବାତିଲ ହୋଇଛି ଗସ୍ତ । ଚର୍ଚ୍ଚା ହେଉଛି ଦାମଙ୍କୁ ବ୍ରେକ୍ ଦେବା ଲାଗି ଜୋରଦାର ଉଦ୍ୟମ କରୁଛି ବିଜେଡି । ଏପରିକି ପୁଅ ସମ୍ବିତ ରାଉତରାୟଙ୍କୁ ବିଧାୟକ ଟିକେଟ୍ ଅଫର୍ ଦିଆଯାଇଥିବା ଶୁଣିବାକୁ ମିଳୁଛି ।

କ’ଣ କରିବେ ଦାମ ରାଉତ ? ବିଜେପିରେ ମିଶିବେ ନା’ ବଦଳାଇବେ ନିଷ୍ପତି । ଡାକ୍ତର ଦାମ ରାଉତ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ବୁଧବାର ଦିନ ଦିଲ୍ଲୀ ଯାଇ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲା । ତେବେ ଶୁଣିବାକୁ ମିଳୁଛି, ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ଟିକେଟ୍ ବାତିଲ କରିଛନ୍ତି ପାରାଦୀପ ବିଧାୟକ । ଆଉ ଏହା ମଧ୍ୟ ଚର୍ଚ୍ଚା ହେଉଛି, ଦାମଙ୍କୁ ଅଟକାଇବା ଲାଗି ବିଜେଡି ଶିବିର ଜୋରଦାର ଉଦ୍ୟମ କରୁଛି । ସେଥିପାଇଁ ପୁଅ ସମ୍ବିତ ରାଉତରାୟଙ୍କୁ ଦଳ ଦେଇଛି ଟିକେଟ୍ ଅଫର ।

ବିଜେପିରେ ଦାମ ଯୋଗ ଦେଲେ, ପୂରା ଜଗତସିଂହପୁର ରାଜନୀତିକୁ ଏହା ପ୍ରଭାବିତ କରିବା ଆଶଙ୍କା ରହିଛି । ଚର୍ଚ୍ଚା ହେଉଛି, ଦାମଙ୍କୁ ବ୍ରେକ୍ ଦେବା ଲାଗି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଟିକେଟ୍ ଓ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ଭୁବନେଶ୍ୱର ମେୟର ପଦବୀ ପାଇଁ ମଧ୍ୟ ଅଫର ଦେଇଛି ବିଜେଡି । ପୁଅ ଓ ଝିଅଙ୍କ ରାଜନୈତିକ କ୍ୟାରିୟର ଗଢ଼ିବା ପାଇଁ ସହାୟତା କରିବେ ନା’ ନବୀନଙ୍କ ବିରୋଧରେ ଯେଉଁ ରଣହୁଙ୍କାର ଦେଇଛନ୍ତି, ସେ ନେଇ ପଦକ୍ଷେପ ନେବେ, ଏହାରି ଭିତରେ ଦୋ’ଛକିରେ ପଡ଼ିଛନ୍ତି ବରିଷ୍ଠ ନେତା ଦାମ ରାଉତ । ତେବେ ଦାମ କହିଛନ୍ତି, ଯଦି ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯାଏ, ତେବେ ତାଙ୍କ ସପକ୍ଷରେ ସେ ପ୍ରଚାର କରିବେ ନାହିଁ ।

କେଭି ସିଂହଦେଓଙ୍କ ସହ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ଚର୍ଚ୍ଚା ହେଉଥିଲା, ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ଦାମ ରାଉତ । ହେଲେ ନିର୍ବାଚନ ପାଖେଇ ଆସୁଥିଲେ ବି ଏପର୍ଯ୍ୟନ୍ତ ସେ ନିଷ୍ପତି ନେଇପାରୁନାହାନ୍ତି । ଗୋଟିଏ ପଟେ ପୁଅ ଓ ଝିଅଙ୍କ ଭବିଷ୍ୟତ ଓ ଅନ୍ୟପଟେ ନିଜର ରାଜନୈତିକ ଅଭିଳାଷ, ଏହାରି ଭିତରେ ଛନ୍ଦି ହୋଇଛନ୍ତି ପାରାଦୀପ ବିଧାୟକ । ଆଉ ଏବେ କେବଳ ଅପେକ୍ଷା ନିର୍ବାଚନ ପୂର୍ବରୁ କେଉଁ ନିଷ୍ପତି ନେବେ ଦାମ ରାଉତ ।