ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଧ୍ୟ ଶେଷ ହୋଇନାହିଁ ସରକାର ଗଢିବାର ବିକଳ୍ପ । ଜାଣନ୍ତୁ ସରକାର ଗଢିବା ପାଇଁ କଣ ରହିଛି ବାଟ?

2,107

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଏହାପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ । ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା । ଆଉ ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ପରବର୍ତ୍ତୀ ସ୍ଥିତି କଣ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ଏହାପୂର୍ବରୁ ମ୍ୟାଜିକ ନମ୍ବର ନଥିବାରୁ ବିଜେପି ସରକାର ଗଢିବାକୁ ସିଧାସିଧା ମନା କରିଥିବା ବେଳେ କଂଗ୍ରେସ-ଏନସିପି-ଶିବସେନା ମଧ୍ୟରେ ସହମତି ହୋଇପାରୁ ନାହିଁ । ଏସବୁ ଭିତରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୁଯୋଗ ଶେଷ ହୋଇନାହିଁ । କିନ୍ତୁ ଏଥିପାଇଁ ରାଜ୍ୟପାଳଙ୍କ ନିକଟରେ ରାଜନୈତିକ ଦଳ ଗୁଡିକୁ ସରକାର ଗଢିବା ପାଇଁ ବହୁମତର ପ୍ରମାଣ ଦେବାକୁ ପଡିବ । ଏପରିକି ସମର୍ଥନ ଥିବା ବିଧାୟକଙ୍କୁ ରାଜ୍ୟପାଳଙ୍କ ନିକଟରେ ପରେଡ କରିବାକୁ ପଡିବ । ଏହାପରେ ସରକାର ଗଠନ ପାଇଁ ସୁଯୋଗ ଦିଆଯିବ କି ନାହିଁ ତାହା ରାଜ୍ୟପାଳଙ୍କ ଉପରେ ନିର୍ଭର କରେ ।

ଏହାପୂର୍ବରୁ ବିଜେପି ଓ ଶିବସେନାକୁ ସରକାର ଗଢିବାକୁ ରାଜ୍ୟପାଳ ସୁଯୋଗ ଦେଇଥିଲେ । କିନ୍ତୁ ରାଜ୍ୟପାଳ ଦେଇଥିବା ଡେଡଲାଇନ ମଧ୍ୟରେ ସରକାର ଗଢିବାକୁ ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ଜୁଟାଇ ପାରିନଥିଲେ ଉଭୟ ବିଜେପି-ଶିବସେନା । ତେଣୁ ଗତକାଲି ତୃତୀୟ ବୃହତ୍ତ ଦଳ ଭାବେ ଏନସିପିକୁ ସରକାର ଗଢିବାକୁ ୨୪ ଘଣ୍ଟାର ସମୟ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଆଜି ୧୧.୩୦ରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢିବାକୁ ଅଧିକ ୨ ଦିନ ସମୟ ମାଗିଥିଲା ଏନସିପି । ଆଉ ଏହି ଚିଠିକୁ ଆଧାର କରି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମାହୋଲ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ । ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା ।

ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଯଦି ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଢିବାକୁ ସହମତ ହୁଅନ୍ତି ତେବେ ପ୍ରଥମେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ବହୁମତର ପ୍ରମାଣ ଦେବାକୁ ପଡିବ । ଏହାପରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ପୁଣିଥରେ ସରକାର ଗଢିବାକୁ ପ୍ରକ୍ରିୟା ଆରମ୍ଭ କରିପାରନ୍ତି ରାଜ୍ୟପାଳ ।