ମହାରାଷ୍ଟ୍ର ମହାନାଟକ: ‘ହାତ-ଧନୁ ଓ ଘଣ୍ଟା’, କ’ଣ ରହିଛି କ୍ଷମତା ଭାଗବଣ୍ଟା?

ତିନି ଦଳର ଶୀର୍ଷ ନେତାଙ୍କ ସହ ଏହି କାର୍ଯ୍ୟକ୍ରମ ବାବଦରେ ଚର୍ଚ୍ଚା କରିବା ପରେ ଶନିବାର ସୁଦ୍ଧା ସେମାନଙ୍କ ମତାମତ ଆସିଯିବ ଓ ନଭେମ୍ବର ୧୯ ତାରିଖ ସୁଦ୍ଧା ଏକ ଚୂଡାନ୍ତ ରୂପରେଖ ସ୍ଥିର ହେବ ବୋଲି ଅନୁମାନ କରାଯାଉଛି ।

569

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ସତ୍ୱେ, ସରକାର ଗଠନ ପାଇଁ ଚାଲିଥିବା ପ୍ରୟାସ, ଗୁରୁବାର ନିର୍ଣ୍ଣାୟକ ସ୍ଥିତିରେ ପହଂଚିଛି । ଯେତେବେଳେ କଂଗ୍ରେସର ଦାବି ମୁତାବକ ଶିବସେନା, ଏନସିପି ଓ କଂଗ୍ରେସର ନେତାମାନେ ଏକାଠି ବସି କମନ ମିନିମମ ପ୍ରୋଗ୍ରାମ ବା ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ତିନି ଦଳ ଭିତରେ ୪୦ ସୂତ୍ରୀ ସିପିଏମ ସ୍ଥିର ହେବା ପରେ ସରକାଗ ଗଠନ ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି । ତିନି ଦଳର ଶୀର୍ଷ ନେତାଙ୍କ ସହ ଏହି କାର୍ଯ୍ୟକ୍ରମ ବାବଦରେ ଚର୍ଚ୍ଚା କରିବା ପରେ ଶନିବାର ସୁଦ୍ଧା ସେମାନଙ୍କ ମତାମତ ଆସିଯିବ ଓ ନଭେମ୍ବର ୧୯ ତାରିଖ ସୁଦ୍ଧା ଏକ ଚୂଡାନ୍ତ ରୂପରେଖ ସ୍ଥିର ହେବ ବୋଲି ଅନୁମାନ କରାଯାଉଛି ।

ତିନି ଦଳ ଏକାଠି ହେବାପାଇଁ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ସ୍ଥିର ହେବା ପରେ କ୍ଷମତା ବଂଟନ କିଭଳି ହେବ ତାକୁ ନେଇ ଉତ୍କଣ୍ଠା ଲାଗିରହିଛି । ତେଣୁ ହେଉଥିବା ଚର୍ଚ୍ଚା ଅନୁସାରେ
କ୍ଷମତା ବଂଟନର ଫର୍ମୁଲା
– ୧୪ + ୧୪ + ୧୨ ଫର୍ମୁଲାରେ ଆଗକୁ ବଢିବେ ତିନିଦଳ
– ଅର୍ଥାତ ନୂଆ ସରକାରରେ ଶିବସେନାକୁ ମିଳିବ ୧୪ଟି ମନ୍ତ୍ରୀ ପଦ
– ସେହିପରି ଏନସିପିକୁ ୧୪ ଓ କଂଗ୍ରେସକୁ ୧୨ ମନ୍ତ୍ରୀ ପଦ ମିଳିପାରେ
– ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା
– ଏନସିପି ଓ କଂଗ୍ରେସରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ସମ୍ଭାବନା
– ବିଧାନସଭାରେ ବାଚସ୍ପତି ପଦ କଂଗ୍ରେସକୁ ମିଳିପାରେ
– ଉପବାଚସ୍ପତି ପଦ ଶିବସେନାକୁ ଦେବା ନେଇ ଚର୍ଚ୍ଚା
– ଏନସିପିକୁ ମିଳିବ ବିଧାନପରିଷଦ ଅଧ୍ୟକ୍ଷ ପଦବୀ
– ଶିବସେନାକୁ ଛାଡି ଦେଇପାରନ୍ତି ବିଧାନପରିଷଦ ଉପାଧ୍ୟକ୍ଷ ପଦ
୫୬ ଆସନ ସହ ମେଂଟରେ ବଡଦଳ ହୋଇଥିବାରୁ ଶିବସେନାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । ଆଉ ସଂପୂର୍ଣ୍ଣ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଉଦ୍ଧବ ଠାକରେ । ଅନ୍ୟ ମେଂଟ ସହଯୋଗୀଙ୍କୁ ମିଳିପାରେ ଗୋଟିଏ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ପଦ ।

ଏହାରି ଭିତରେ ସବୁଠୁ ଅଧିକ ଚର୍ଚ୍ଚାର ବିଶୟ ହୋଇଛି, ବିଚାରଧାରାରେ ଭିନ୍ନତା ଥାଇ ସୁଦ୍ଧା କେମିତି ଗୋଟିଏ ବିନ୍ଦୁରେ ଏକାଠି ସହମତ ହେଲେ ତିନି ଦଳ? ଏଭଳି ଆଶଙ୍କା ଉପରୁ ପରଦା ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ । ସିପିଏମ ସ୍ଥିର କରିବା ପାଇଁ ଶିବସେନା ଓ ସହଯୋଗୀ ଦଳର ନିର୍ବାଚନୀ ଇସ୍ତାହାରକୁ ବିଚାରକୁ ନିଆଯାଇଥିଲା । ଆଗାମୀ ୫ ବର୍ଷ ପାଇଁ ରାଜ୍ୟରେ ଏକ ସ୍ଥିର ଓ ସ୍ୱଚ୍ଛ ସରକାର ଦେବାପାଇଁ ବିସ୍ତୃତ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା ।

ତେବେ ଏମିତି କଛି ପ୍ରସଙ୍ଗ ରହିଥିଲା ଯାହାକୁ ଗ୍ରହଣ କରିବାକୁ ମଧ୍ୟ ରାଜି ହୋଇନଥିଲେ ଏନସିପି ଓ କଂଗ୍ରେସ । ଶିବସେନାର ସହମତିରେ ଏସବୁ ପ୍ରସଙ୍ଗକୁ ସିପିଏମରୁ ବାଦ ଦିଆଯାଇଛି ।

କେଉଁ ପ୍ରସଙ୍ଗରେ ସହମତି?
– ୫ ବର୍ଷ କାଳ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ସହମତ ହୋଇଛନ୍ତି କଂଗ୍ରେସ ଓ ଏନସିପି
– କଂଗ୍ରେସ ଓ ଏନସିପିରୁ ଉପମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବରେ ମଧ୍ୟ ସମ୍ମତି ଜଣାଇଛି ଶିବସେନା
– ନୂଆ ସରକାର କ୍ଷମତାକୁ ଆସିବା ପରେ ମୁସଲମାନଙ୍କୁ ୫% ସଂରକ୍ଷଣ ପାଇଁ ଏକମତ ହୋଇଛନ୍ତି
– ତେବେ ସଭରକରଙ୍କୁ ଭାରତରତ୍ନ ପ୍ରଦାନ ନେଇ ଶିବସେନାର ପ୍ରତିଶ୍ରୁତିରେ ସହମତ ହୋଇନାହାନ୍ତି ଉଭୟ କଂଗ୍ରେସ ଓ ଏନସିପି
– ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୪୦ ରଖିବାକୁ ଉଭୟ ପକ୍ଷ ଅର୍ଥାତ ଶିବସେନା ଓ ଏନସିପି-କଂଗ୍ରେସ ରାଜି ହୋଇଛନ୍ତି

ତିନିଦଳର ବରିଷ୍ଠ ନେତା ମିଶି ପ୍ରସ୍ତୁତ କରିଥିବା ସର୍ବନିମ୍ନ କାର୍ଯ୍ୟସୂଚୀ ସଂପର୍କିତ ଡ୍ରାଫ୍ଟ ରିପୋର୍ଟକୁ ସୋନିଆ ଗାନ୍ଧି, ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ହସ୍ତାନ୍ତର କରାଯିବ । ଏହା ଉପରେ ସେମାନେ ତାଙ୍କ ମତାମତ ଦେବା ପରେ ରବିବାର ସୁଦ୍ଧା ଚୂଡାନ୍ତ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହାପରେ ସେହି ରବିବାର ହି ଶରଦ ପାୱାରଙ୍କୁ ଭେଟି ଆଲୋଚନା କରିପାରନ୍ତି ଉଦ୍ଧବ ଠାକରେ । ଏବଂ ଦୁହେଁ ନଭେମ୍ବର ୧୯ ତାରିଥ ସୁଦ୍ଧା ଦିଲ୍ଲୀ ଯାଇ ସୋନିଆ ଗାନ୍ଧିଙ୍କୁ ଭେଟି ସରକାର ଗଠନ ପାଇଁ ଆଗାମୀ ରଣନୀତି ସ୍ଥିର କରିବେ ବୋଲି ଜଣାପଡିଛି ।