ବାତ୍ୟା ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର: ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା; ସେପଟେ, ଆଜି ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ସାମୁଦ୍ରିକ ଝଡ

ଆସନ୍ତାକାଲି ସେହି ଅଞ୍ଚଳରେ ସାମୁଦ୍ରିକ ଝଡ ରୂପନେବା ଆଶଙ୍କା

2,341

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱବର୍ତି ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୂତ ହେଉଛି । ଆଜି ଏହି ଲଘୁଚାପ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ଆସନ୍ତାକାଲି ଏହା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏ ଉତର-ପଶ୍ଚିମ ଦିଗରେ ମୁହାଁଇବ ଏବଂ ପରେ ଏହା ନିଜ ଦିଗ ପରିବର୍ତନ ଉତର-ଉତର-ର୍ପୂବ ଦିଗରେ ବଙ୍ଗୋପସାଗର ଆଡକୁ ୧୮ରୁ ୧୯ ଯାଏ ଗତି କରିବ । ଏନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ କହୁଛି ୧୮-୧୯ ତାରିଖ ବେଳକୁ ଏହା ଉତର ବଙ୍ଗୋପ ସାଗର ଆଡକୁ ଗତି କରିବ ।

ଅର୍ଥାତ୍ ଓଡିଶା ମୁହାଁ ନ ହୋଇ ଏହି ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଆଡକୁ ଗତି କରିବ । ଯଦି ଏହି ଆକଳନ ଠିକ ହୁଏ ତେବେ ଓଡିଶାରେ ବର୍ଷା ହେବ ଏବଂ ପବନ ବି ବହିବ କିନ୍ତୁ ବାତ୍ୟାର ସିଧା ଆଶଙ୍କା ରହିବ ନାହିଁ । କିନ୍ତୁ ଯଦି ୧୭ ତାରିଖ ବେଳକୁ ଏହା ଉତର-ଉତର-ପୂର୍ବ ଦିଗରେ ଗତି ନ କରି ଉତର-ଉତର-ପଶ୍ଚିମ ଆଡକୁ ଗତି କରେ ତେବେ ବାତ୍ୟା ଓଡିଶା ମୁହାଁ ମଧ୍ୟ ହୋଇପାରେ । ଆଇଏମଡି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବା ପରେ ଏହାର ଗତିପଥକୁ ନେଇ ଅଧିକ ଆକଳନ କରାଯାଇପାରିବ । ଏହି ବାତ୍ୟା କେଉଁଠି ଉପକୂଳ ଅତିକ୍ରମ କରିବ ବା ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ ଆକଳନ କରାଯାଇନାହିଁ ।

କିନ୍ତୁ ଏହାର ପ୍ରଭାବକୁ ପାଣିପାଗ ବିଭାଗ ମାନେ ଆକଳନ କରିପାରୁଛନ୍ତି । ୧୮ତାରିଖରୁ ଉପକୂଳ ଜିଲ୍ଲା ଗଜପତି,ଗଂଜାମ, ପୁରି , ଜଗତସିଂପୁର,କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରେ ବର୍ଷାର ପରିମାଣ ବଢିପାରେ । ଦକ୍ଷିଣ ଉପକୂଳ ଜିଲ୍ଲା ମାନଙ୍କରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ୬୦ କିଲୋମିଟର ପ୍ରତି ଘଂଟା ବେଗକୁ ମଧ୍ୟ ପବନର ଗତି ଛୁଇଁ ପାରେ ।