ଡିସେମ୍ବର ଅଧା ହେଲାଣି ହେଲେ ଶୀତର ନାହିଁ ଦେଖା…ତାପମାତ୍ରା ଖସୁନି କି ଥଣ୍ଡା ହେଉନି…ଆସନ୍ତା ୩ଦିନ ବର୍ଷା ସମ୍ଭାବନା, ଲାଗି ରହିବ କୋହଲା ପାଗ, କୁହୁଡ଼ି

465

କନକ ବ୍ୟୁରୋ: ଡିସେମ୍ବର ଅଧା ହେଲାଣି। ତଥାପି ଶୀତର ଦେଖା ନାହିଁ। ତାପମାତ୍ରା ଖସୁନି କି ଥଣ୍ଡା ହେଉନି। ମଝିରେ ଦୁଇ ତିନି ଦିନ ପାଗରେ ସାମାନ୍ୟ ପରିବର୍ତନ ଆସିଥିଲେ ମଧ୍ୟ ଏବେ ପୁଣିଥରେ ଶୀତ ଗାଏବ ହୋଇଯାଇଛି। ରାତିର ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ଓଡ଼ିଶାରେ ତା’ଠାରୁ ପାଖାପାଖି ୫ ଡିଗ୍ରି ଅଧିକ ରହୁଛି। ସର୍ବୋଚ୍ଚ ତାପମାତ୍ରା ବି ଅନୁରୂପ ଭାବେ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସବୁଠାରୁ ବଡ଼ କଥା ହେଲା ଯେ ଆସନ୍ତା ୩ ଦିନ ଧରି ଶୀତ ଦିନରେ ବି ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। କିଛି ଜିଲ୍ଲାରେ ହାଲୁକା ବର୍ଷା ହେବା ସହ ଆଉ କେତେକ ଅଞ୍ଚଳରେ କୋହଲା ପାଗ ଲାଗି ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ଉପକୂଳ ଓଡ଼ିଶାର କାଁ ଭାଁ ସ୍ଥାନରେ ବି ବର୍ଷା ହୋଇପାରେ। ଶନିବାର ସକାଳ ସୁଦ୍ଧା ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ହାଲୁକା ବର୍ଷା ସହ ପାଗ କୋହଲା ରହିବ। ୧୫ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଗଜପତି ଜିଲ୍ଲା ଏବଂ ୧୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୫ ଦିନ ଯାଏ ରାଜ୍ୟର ‌କେତେକ ଜିଲ୍ଲାରେ ଘନ କୁହୁଡ଼ି ହେବ। ଶନିବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଫଳରେ ରାସ୍ତାଘାଟ ଠିକ୍‌ ଭାବେ ଦେଖା ଯିବ ନାହିଁ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିବ। ସର୍ବନିମ୍ନ ତାପମାତ୍ରାରେ ସେତେ ବଡ଼ ପରିବର୍ତନ ହେବନି। ଉତ୍ତର ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ସ୍ବାଭାବିକ ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। କୋରାପୁଟରେ ୧୧.୪, ଫୁଲବାଣୀରେ ୧୧.୫, ସୁନ୍ଦରଗଡ଼ରେ ୧୨, ସୋନପୁରରେ ୧୩, ଟିଟିଲାଗଡ଼ରେ ୧୩.୧, ଅନୁଗୁଳରେ ୧୩.୬ ଡିଗ୍ରି ରହିଥିଲା। ଅନ୍ୟ ସମସ୍ତ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲି ଯାଇଛି। ଏମିତି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ପାରଦ ୨୦ ଡିଗ୍ରି ପାଖାପଖି ପହଞ୍ଚିଲାଣି। ପୁରୀରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଥିବା ବେଳେ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।