କନକ ବ୍ୟୁରୋ: ପ୍ରଚଣ୍ଡ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ। ପାରଦ କମିବାର ନାଁ ଧରୁ ନଥିବା ବେଳେ ଶନିବାରଠାରୁ ଆହୁରି ତାପମାତ୍ର ବଢ଼ିବ। ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରି ପର୍ ହୋଇଯିବାର ଆଶଙ୍କା ରହିଛି। ଟିଟିଲାଗଡ଼, ସୋନପୁର, ତାଳଚେର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ଆଦି ସ୍ଥାନରେ ସାଂଘାତିକ ସ୍ଥିତି ହେବ। ପ୍ରବଳ ଖରା ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିପାରେ। ବୟସ୍କଙ୍କ ସମେତ ଛୋଟ ପିଲା, ମହିଳାମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯେତେଦୂର ସମ୍ଭବ ସେମାନେ ତାତିରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଉଛି ଯେ ୫ ଦିନ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ। ପାରଦ ଉପର ମୁହାଁ ରହିବ। ତେବେ ୨୮ ତାରିଖ ବେଳକୁ ପାରଦ ଧୀରେ ଧୀରେ ତଳକୁ ଖସିବ। ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ତେବେ ଜୁନ୍ ପ୍ରଥମ ସପ୍ତାହ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଯେଉଁଥିପାଇଁ ପାରଦ ସାମାନ୍ୟ କମିପାରେ। ଜୁନ୍ ଦ୍ବିତୀୟ ସପ୍ତାହ ଅର୍ଥାତ୍ ୧୦ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।
ଗତ ସପ୍ତାହକ ପରି ଆଜି ମଧ୍ୟ ଟିଟିଲାଗଡ଼ ତାପମାତ୍ରା ରାଜ୍ୟରେ ସର୍ବୋଚ୍ଚ ରହିଛି। ଏଠାରେ ୪୪.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସମ୍ବଲପୁରରେ ୪୩.୯, ହୀରାକୁଦରେ ୪୩.୮, ତାଳଚେରରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ସୋନପୁରରେ ୪୩.୨, ବଲାଙ୍ଗୀରରେ ତାପମାତ୍ରା ୪୨.୭ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ଚାନ୍ଦବାଲି, କଟକ, ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରି ଉପରେ ରହିଥିଲା।