ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ କଳାପଟି ବାନ୍ଧି ବିଜେପିର ପ୍ରତିବାଦ । କହିଲା, ସିବିଆଇ ତଦନ୍ତ ନହେବା ଯାଏ ଜାରି ରହିବ ବିରୋଧ

ସର୍ବଦଳୀୟ ବୈଠକରେ ସାମିଲ ହେଲେନି ଦଳୀୟ ବିଧାୟକ

192

କନକ ବ୍ୟୁରୋ: ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ଥମୁନି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ମୁହଁରେ କଳାପାଟି ବାନ୍ଧି ବିଧାନସଭାରେ ପ୍ରତିବାଦ କରିଛନ୍ତି । ସେହିଭଳି ଶାସକ ଦଳ ଗୃହରେ ବିରୋଧୀ ଦଳକୁ କହିବାର ସୁଯୋଗ ଦେଉନଥିବା ଅଭିଯୋଗ ଆଣି ସର୍ବଦଳୀୟ ବୈଠକରୁ ଦୂରେଇ ରହିଛନ୍ତି ବିଜେପି ବିଧାୟକ । ଏପଟେ ବିଜେଡି ବିଧାୟକ ଶଶିଭୂଷଣ କହିଲେ, ବିରୋଧୀଙ୍କର ପ୍ରତିବାଦ କରିବାର ଅଧିକାର ଅଛି ।

ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଆଜି ବି ସରଗରମ ରହିଛି ରାଜନୀତି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମାମଲାରେ ମାଳ ମାଳ ପ୍ରଶ୍ନ ଉଠାଇଛି ବିଜେପି । ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ କଳାପଟି ବାନ୍ଧି ବିଧାନସଭାରେ ପହଁଚିଥିଲେ ବିଜେପି ବିଧାୟକ । ବେଶ କିଛି ସମୟ ଧରି ନିଜ ନିଜ ଆସନରେ ଛିଡ଼ା ହୋଇ ମୌନ ପ୍ରତିବାଦ କରିଥିଲେ ବିଜେପି ବିଧାୟକମାନେ । ଏପରିକି ପ୍ରଶ୍ନକାଳରେ କୌଣସି ବି ପ୍ରଶ୍ନ-ଉତ୍ତରରେ ସାମିଲ ମଧ୍ୟ ହୋଇନଥିଲେ ବିଧାୟକମାନେ । ତେବେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ଶେଷରେ ନିଜ ଆସନରେ ବସି କଳାପଟି ଖୋଲିଥିଲେ । ସେପଟେ ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ ବାଚସ୍ପତି । କିନ୍ତୁ ଏହି ବୈଠକକୁ ବୟକଟ କରିଥିଲା ବିଜେପି ।

ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ତିନି ଦିନ ଧରି ବିଧାନସଭାରେ ଗୋଟିଏ ଜିଦରେ ଅଟଳ ରହିଛନ୍ତି ବିଜେପି ସଦସ୍ୟ । ତେବେ ନଜର ପକାନ୍ତୁ କ’ଣ ରହିଛି ବିଜେପିର ଦାବି?

• ୩୦୬ ବଦଳରେ ୩୦୨ ଦଫାରେ ମାମଲା ରୁଜୁ

• ସମିତି ସଭ୍ୟ, ଜିଳ୍ଲା ପରିଷଦ ସଦସ୍ୟ, ରାମକୋ ଅଧିକାରୀଙ୍କ ବିରୋଧରେ ମାମଲା

• ଯାଜପୁର ଏସପି ଓ ମହିଳା କମିସନରଙ୍କ ବହିଷ୍କାର

• ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରାଯାଉ

Comments are closed.