ରହସ୍ୟ ଘେରରେ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ । ପୋଲିସ କମିଶନର କହିଲେ ଜାରି ରହିଛି ତଦନ୍ତ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

206

କନକ ବ୍ୟୁରୋ: ରହସ୍ୟରେ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା । ନିକିତାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ସେ କହିଛନ୍ତି ନିକିତାଙ୍କ ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିଲା ପରେ ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ । ଏହା ସହିତ ସିପି କହିଛନ୍ତି ଯଦି କେହି ଅଭିଯୋଗ କରନ୍ତି ତାହେଲେ ସେହି ଅନୁସାରେ ଅନୁସନ୍ଧାନ କରାଯିବ ।

ସମ୍ବଲପୁରର ଆଲବମ୍ ଅଭିନେତ୍ରୀ ସେଲଫିବେବୋ ସିମରନଙ୍କ ମୃତ୍ୟୁର କେଇଦିନ ନପୂରୁଣୁ ଜଣାଶୁଣା ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଛି । ନିକିତାଙ୍କର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏସିପି ନିକିତା ଭୂମିକାରେ ଅଭିନୟ କରି ନୂଆ ପରିଚୟ ପାଇଥିବା ଏହି ଅଭିନେତ୍ରୀଙ୍କର ଶନିବାର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଛାତରୁ ପଡିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ଏବେ ରହସ୍ୟ ଲାଗିରହିଛି । ପରିବାରଲୋକେ କିଛି ମୁହଁ ଖୋଲୁନଥିବା ବେଳେ ନିକିତାଙ୍କ ମୃତ୍ୟୁ ପଛରେ ଆଉ କଣ କାରଣ ହୋଇପାରେ ସେ ନେଇ ଚାଲିଛି ଖୋଳତାଡ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକ ।

ସେପଟେ ସେଲଫି ବେବୋ ସୀମରନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ମୁଣ୍ଡରେ ପଥର ମାଡ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ସିମରନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଥିବା ବୁର୍ଲା ପୁଲିସ ସୂଚନା ଦେଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବାରୁ ଆଗକୁ ସିମରନଙ୍କ ମୃତ୍ୟୁର ଗୁମର ଫିଟିବା ସମ୍ଭାବନା ରହିଛି । ଏବେ ସିମରନଙ୍କ ମାମଲାର ତଦନ୍ତ ଝାରସୁଗୁଡା ପୁଲିସ କରୁଥିବାରୁ ପୋଷ୍ଟମର୍ଟମ ରିପୋର୍ଟ ଝାରସୁଗୁଡା ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ବୁର୍ଲା ପୁଲିସ କହିଛି । ଅନ୍ୟପଟେ ସିମରନଙ୍କ ସ୍ୱାମୀ ରଂଜୁ ସୁନାଙ୍କୁ ଗିରଫ କରାଯାଇଛି । ଝାରୁସୁଗୁଡା ଥାନାରେ ରଖି ଏସଡିପିଓ ଏବଂ ଥାନା ଆଇଆଇସି ପଚରା ଉଚରା ଜାରି ରଖିଛନ୍ତି । ବାଲ୍ୟ ବିବାହ ଓ ବିବାହ ପରେ ନିର୍ଯାତନା ଅଭିଯୋଗରେ ରଂଜୁ ସୁନାଙ୍କୁ ପୁଲିସ ଗିରଫ କରିଛି । ରଞ୍ଜୁ ସୁନା ନାଁରେ୍ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।