ଖରା ଆରମ୍ଭରୁ ଉତ୍କଟ ଜଳ ସମସ୍ୟା ! ଆଦିବାସୀଙ୍କ ଶୋଷ ମେଂଟାଉଛି ଚୂଆ, ପାଣି ପାଇଁ ୧ କିଲୋମିଟର ଜଙ୍ଗଲ ରାସ୍ତା ଚାଲନ୍ତି ମହିଳା ।

72

କନକ ବ୍ୟୁରୋ : ଖରା ଆରମ୍ଭରୁ ଜଳ ଚିନ୍ତା । ଆଦିବାସୀଙ୍କ ଶୋଷ ମେଂଟାଉଛି ଚୂଆ । ପାଲଲହଡା ଚୁଆନାଳି ଆଦିବାସୀ ବସ୍ତି ବାସିନ୍ଦାଙ୍କ ଭରସା ଚୂଆ । ଦିନ କି ଦୁଇ ଦିନ ନୁହେଁ, ୧୫ ବର୍ଷ ହେବ ଭଙ୍ଗା, ଦଦରା, ପରିତ୍ୟକ୍ତ ଖୋଲାକୂଅରୁ ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ ।

ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ଜଳକଷ୍ଟ । ଶୋଷ ମେଂଟାଉଛି ଚୂଆ । ଖରା ବଢିବା ସହ ତାଳ ଦେଇ ବଢୁଛି ଜଳ ସଂକଟ । ଗ୍ରୀଷ୍ମ ଆରମ୍ଭରୁ ବିଭିନ୍ନ ଗ୍ରାମାଂଚଳରେ ଉତ୍କଟ ହେଲାଣି ଜଳ ସଂକଟ । ଗାଁରେ ଥିବା ନଳକୂଅ ଅଚଳ ହୋଇପଡିଥିବା ବେଳେ ଆଦିବାସୀଙ୍କ ଶୋଷ ମେଂଟାଇବା ଠିକଣା ପାଲଟିଛି ଗାଁ ନିକଟ ଖୋଲାକୂଅ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଅନୁଗୁଳ ପାଲଲହଡା ବ୍ଲକ ଚୁଆନାଳି ଗାଁର ଆଦିବାସୀ ମଣିଷ । ଗାଁରୁ ବାହାରି ୧ କିଲୋମିଟର ଜଙ୍ଗଲ ରାସ୍ତା ଚାଲିବା ପରେ ୧୫ବର୍ଷର ପୁରୁଣା କୂଅରୁ ପାଣି ଆଣିଥାନ୍ତି ଆଦିବାସୀ ମହିଳା ଓ ଝିଅ । ଏମତି ଗରା ବାଲଟି ଧରି ସବୁଦିନ ଜଙ୍ଗଲରେ ମାର୍ଚ କରିଥାନ୍ତି ଗ୍ରାମବାସୀ ।

ଗ୍ରାମାଂଚଳ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚୂଆନାଳି ଗ୍ରାମବାସୀ ସରକାରଙ୍କ ସାବତ ପୁଅ ବୋଲି କହିଛନ୍ତି ସ୍ଥାନୀୟ ମହିଳା । ଆସନ୍ତା ନିର୍ବାଚନ ଆଗରୁ ଗାଁର ଜଳ ସମସ୍ୟା ସମାଧାନ ନହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏ ସଂପର୍କରେ ପାଳଲହଡା ବିଡିଓ କହିଛନ୍ତି ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଉଦ୍ୟମ ଜାରି ରହିଛି । ଚୁଆନାଳି ଗାଁରେ ତୁରନ୍ତ ନଳକୂଅ ମରାମତି କରି ଗ୍ରାମବାସୀଙ୍କ ଜଳ ସଂକଟ ଦୂର କରିବା ଜରୁରୀ ହୋଇପଡିଛି ।